Report Card Odisha

| Daily Odia News

ରଜ ପାଇଁ ଲାଗିଲା କଟକଣା….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଉ ୪ ଦିନ ପରେ ରଜ | ଓଡ଼ିଶାର କୃଷି ଭିତ୍ତିକ ଗଣ ପର୍ବ ହେଉଛି ରଜ ପର୍ବ | ରଜ ପାଇଁ କଟକଣା ଜାରି କରାଯାଇଛି । ନିୟମ ନମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ରଜ ପାଇଁ ଆଜିଠୁ ପୋଲିସର ସ୍ପେଶାଲ ଡ୍ରାଇଭ ଆରମ୍ଭ କରାଯାଇଥିବା ସେ କହିଛନ୍ତି । କୋଭିଡ୍ କଟକଣା ନମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟପଟେ କଟକଣା ଉଲ୍ଲଙ୍ଘନ କରି ଦୋକାନ ଖୋଲିଲେ ତାକୁ ସିଲ୍ କରାଯିବ ବୋଲି ଦୋକାନୀମାନଙ୍କୁ ଚରମବାଣୀ ଶୁଣାଇଛନ୍ତି ପୋଲିସ କମିଶନର । ଏମିତିକି ଆବଶ୍ୟକ ପଡ଼ିଲେ ଦୋକାନୀଙ୍କୁ ଗିରଫ କରାଯିବ ବୋଲି ମଧ୍ୟ ସେ କହିଛନ୍ତି । କୋଭିଡ ନିୟମ ପାଳନ କରି ରଜ ପାଳନ କରିବାକୁ ସେ ଟୁଇନ ସିଟିବାସୀଙ୍କୁ ଅପିଲ କରିଛନ୍ତି । ସାବିତ୍ରୀ ବ୍ରତ ପାଇଁ ଲୋକମାନେ କୋଭିଡ ନିୟମ ଉଲଂଘନ କରିଥିବା ଦେଖାଯିବା ପରେ ପୋଲିସ କମିଶନରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ସାବିତ୍ରୀ ଅମାବାସ୍ୟା ପୂର୍ବଦିନ ବିଭିନ୍ନ ଛକ ବଜାରରେ ଭିଡ଼ ଜମିଥିଲା । ଯାହାଫଳରେ କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ବଢ଼ିଥିଲା । ଏହାସହ ବେପାରୀମାନେ ମଧ୍ୟ କୋଭିଡ ନିୟମକୁ ମାନି ନଥିଲେ । ମାସ୍କ ହେଉ କି ସାମାଜିକ ଦୂରତା, ସବୁକୁ ଫୁ କରିଦେଇଥିଲେ । ଫଳ କିଣିବା ପାଇଁ ଆଇନ ଓ କଟକଣାକୁ ଦଳିଚକଟି ନିଜ ଜୀବନକୁ ବିପଦରେ ପକାଇବାକୁ ଟିକିଏ ବି ପଛାଇଲେନି ଲୋକେ । ଏପଟେ ଫଳ ମାର୍କେଟ୍‌ରେ ଦର ଆକାଶ ଛୁଆଁ ହୋଇଥିବା ସତ୍ତ୍ୱେ ଗ୍ରାହକଙ୍କ ଭିଡ଼ ଯୋଗୁ ବ୍ୟବସାୟୀ ବେଶ୍ ଦି ପଇସା ରୋଜଗାର କରିଥିଲେ । ତେବେ ରଜ ପାଇଁ ଲୋକ ଯେମିତି କୋଭିଡ୍ ନିୟମକୁ ଉଲଂଘନ ନକରନ୍ତି, ସେଥିପାଇଁ କମିଶନରେଟ ପୋଲିସ ଆଗୁଆ ସତର୍କ କରିଛି । ଯଦି କେହି କୋଭିଡ ନିୟମ ଉଲଂଘନ କରିବେ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ଏଥିପାଇଁ ଆଜି ସକାଳୁ ପୋଲିସ କମିଶନର ନିଜେ ଭିଡ଼ ଜମୁଥିବା ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ ।

Breaking News