Report Card Odisha

| Daily Odia News

ଭାରତ ରୁ ବିଦା ହେବେ ଚାଇନିଜ୍‌ କମ୍ପାନି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତର ଶସ୍ତା ସ୍ମାର୍ଟଫୋନ୍‌ ବଜାରରୁ ବିଦା ହେବେ ଚାଇନିଜ୍‌ କମ୍ପାନି । ଦୁର୍ବଳ ଘରୋଇ କମ୍ପାନିଗୁଡ଼ିକୁ ବଳ ଦେବା ପାଇଁ ଭାରତ ସରକାର ୧୨,୦୦୦ ଟଙ୍କା(୧୫୦ ଡଲାର)ରୁ କମ୍‌ ମୂଲ୍ୟର ସ୍ମାର୍ଟଫୋନ୍‌ ବଜାରରୁ ଚାଇନିଜ୍‌ ସ୍ମାର୍ଟଫୋନ୍‌ କମ୍ପାନିଙ୍କୁ ବାରଣ କରିବା ପାଇଁ ଚାହୁଁଛନ୍ତି । ଫଳରେ ସାଓମି ଭଳି କମ୍ପାନିଗୁଡ଼ିକୁ ଶକ୍ତ ଝଟ୍‌କା ମିଳିବ ଏବଂ ଘରୋଇ କମ୍ପାନି ଉଧେଇପାରିବେ । ବିଶ୍ୱର ଦ୍ୱିତୀୟ ବୃହତ୍‌ ମୋବାଇଲ ବଜାର ହେଉଛି ଭାରତ ।  ଚାଇନା କମ୍ପାନିଗୁଡ଼ିକର ଦବ୍‌ଦବା ବଢିବା ଫଳରେ ଘରୋଇ କମ୍ପାନିଗୁଡ଼ିକ ଆଗକୁ ବଢ଼ିବା ମୁସ୍କିଲ ହୋଇଯାଉଛି । ମେକ୍‌ ଇନ୍‌ ଇଣ୍ଡିଆ ଅଭିଯାନକୁ ସଫଳ କରାଇବା ଦିଗରେ ଏହା ବାଧକ ସାଜିଛି । ତେଣୁ ଦେଶର ଶସ୍ତା ଫୋନ୍‌ ବଜାରରୁ ଚାଇନା କମ୍ପାନିଗୁଡ଼ିକୁ ହଟାଇବା ପାଇଁ ସରକାରୀ ସ୍ତରରେ ଜୋର୍‌ଦାର ଆଲୋଚନା ଚାଲିଥିବା ଜଣାପଡ଼ିଛି । ରିୟଲ୍‌ମି ଏବଂ ଟ୍ରାନ୍ସନ ଭଳି ବ୍ରାଣ୍ଡଗୁଡ଼ିକ ଯୋଗୁ ସ୍ଥାନୀୟ ନିର୍ମାତା ଆଗକୁ ବଢ଼ିପାରୁନାହାନ୍ତି । ଏଭଳି ସ୍ଥିତିରେ ସରକାର ଏ ଦିଗରେ କଡ଼ା ପଦକ୍ଷେପ ଗ୍ରହଣ କରିବା ପାଇଁ ସଜବାଜ ହେଉଥିବା ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି । ସାଓମି, ରିୟଲ୍‌ମି ଭଳି ଚାଇନିଜ୍‌ କମ୍ପାନି ମୋଟା ଅଭିବୃଦ୍ଧି ପାଇଁ ଭାରତୀୟ ବଜାରର ଭରପୁର ଫାଇଦା ନେଉଛନ୍ତି । ଚୀନ୍‌ରେ କୋଭିଡ୍‌-୧୯ ଲକ୍‌ଡାଉନ୍‌ ମଧ୍ୟରେ ଏମାନେ ଭାରତ ବଜାର ଉପରେ ଅତି ମାତ୍ରାରେ ନିର୍ଭରଶୀଳ ପାଲଟିଛନ୍ତି । ଘରୋଇ କମ୍ପାନିଗୁଡ଼ିକ ପାଇଁ ଏହା ବଡ଼ ସମସ୍ୟା ସାଜିଛି । ୨୦୨୨ ଜୁନ୍‌ରେ ଶେଷ ହୋଇଥିବା ତ୍ରୟମାସରେ ଦେଶରେ ୧୨,୦୦୦ ଟଙ୍କାରୁ କମ୍‌ ମୂଲ୍ୟ ରେଞ୍ଜ୍‌ର ଯେତିକି ସ୍ମାର୍ଟଫୋନ୍‌ ବିକ୍ରି ହୋଇଛି, ସେଥିରେ ଚାଇନିଜ୍‌ କମ୍ପାନିଗୁଡ଼ିକର ଭାଗ ୮୦% ରହିଛି । ଏଭଳି ସ୍ଥିତିରେ ସରକାର ଡ୍ରାଗନ୍‌ର ଦବ୍‌ଦବାକୁ ରୋକିବାକୁ ଚାହୁଁଥିବା ଶିଳ୍ପ ସହ ଜଡ଼ିତ ଜଣେ ଅଧିକାରୀ ପ୍ରକାଶ କରିଛନ୍ତି । ଇତିମଧ୍ୟରେ ଭାରତ ସରକାର ଦେଶରେ କାରବାର କରୁଥିବା ଚାଇନିଜ୍‌ କମ୍ପାନି ଯଥା ସାଓମି, ଓପୋ ଏବଂ ଭିଭୋ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏସବୁ କମ୍ପାନି ଟିକସ ଖିଲାପ କରି ନିଜ ଦେଶକୁ ବିପୁଳ ମାତ୍ରାରେ ବେଆଇନ ଅର୍ଥ ଚାଲାଣ କରିଥିବା ଯାଞ୍ଚରୁ ଜଣାପଡ଼ିଛି । କମ୍ପାନିଗୁଡ଼ିକ ଉପରେ ବେଆଇନ ଅର୍ଥ କାରବାର ଅଭିଯୋଗ ରହିଛି । ସେମାନଙ୍କ ଆର୍ଥିକ କାରବାରର କଡ଼ା ଯାଞ୍ଚ କରାଯାଇଛି । କମ୍ପାନିଗୁଡ଼ିକ ଉପରେ ଅନେକ ମାତ୍ରାରେ ଟିକସ ବକେୟା ରହିଥିବା ଯାଞ୍ଚରୁ ଜଣାପଡ଼ିଛି । ପୂର୍ବରୁ ଭାରତ ସରକାର ବେସରକାରୀ ଭାବେ ଚାଇନିଜ୍‌ କମ୍ପାନି ଯଥା ହୁୱେଇ ଟେକ୍ନୋଲୋଜିଜ୍‌ ଏବଂ ଜେଡ୍‌ଟିଇ କର୍ପୋରେଶନ ଉପରେ କଟକଣା ଲଗାଇଥିଲେ । ଯଦିଓ ସେମାନଙ୍କ ଟେଲିକମ୍‌ ଉପକରଣ ଉପରେ କଟକଣା ନେଇ କୌଣସି ପ୍ରକାର ସରକାରୀ ନିର୍ଦ୍ଦେଶ ଜାରି କରାଯାଇନାହିଁ ତଥାପି ଭାରତୀୟ ଟେଲିକମ୍‌ ସେବା ପ୍ରଦାନକାରୀମାନଙ୍କୁ ବିକଳ୍ପ ଖୋଜିବା ପାଇଁ ପରାମର୍ଶ ଦିଆଯାଇଛି । ଭାରତୀୟ ଶସ୍ତା ସ୍ମାର୍ଟଫୋନ୍‌ ବଜାରକୁ ନେଇ କଟକଣା ଆପଲ ଏବଂ ସାମ୍‌ସଙ୍ଗ୍‌ ଇଲେକ୍ଟ୍ରୋନିକ୍ସ କମ୍ପାନିକୁ ପ୍ରଭାବିତ କରିବ ନାହିଁ । କାରଣ ଏହି କମ୍ପାନିଗୁଡ଼ିକର ସ୍ମାର୍ଟଫୋନ୍‌ ଉଚ୍ଚ ଦରଯୁକ୍ତ । ଚୀନ୍‌ ଉପରେ ଭାରତର ଆର୍ଥିକ କଟକଣା ନୂଆ ନୁହେଁ । ୨୦୨୦ରୁ ଏହା ତୀବ୍ର ହୋଇଛି । ଲଦାଖର ଗଲୱାନ ଘାଟିରେ ଭାରତ ଏବଂ ଚୀନ୍‌ ସେନା ମଧ୍ୟରେ ସଂଘର୍ଷ ଫଳରେ ଏକାଧିକ ଭାରତୀୟ ଯବାନ ସହିଦ ହୋଇଯିବା ପରେ ଭାରତ ପ୍ରତିକ୍ରିୟା ପରାୟଣ ହୋଇଛି । ଭାରତରେ ୱିଚାଟ୍‌ ଏବଂ ଟିକ୍‌ଟକ୍‌ ଭଳି ଲୋକପ୍ରିୟ ଆପ୍‌ଠାରୁ ଆରମ୍ଭ କରି ୩୦୦ରୁ ଊଦ୍ଧ୍ୱର୍ ଚାଇନା ଆପ୍‌ ବ୍ୟାନ୍‌ ହୋଇଛି । ପ୍ରକାଶଯୋଗ୍ୟ, ଚୀନ୍‌ ସ୍ମାର୍ଟଫୋନ୍‌ କମ୍ପାନିଗୁଡ଼ିକର ପତିଆରା ବଢ଼ିବା ପୂର୍ବରୁ ଭାରତରେ ଲାଭା ଏବଂ ମାଇକ୍ରୋମାକ୍ସ ଭଳି କମ୍ପାନିଗୁଡ଼ିକ ଦେଶର ମୋଟ ସ୍ମାର୍ଟଫୋନ୍‌ ବିକ୍ରିରେ ଅଧା ଯୋଗଦାନ ଦେଉଥିଲେ । ଚାଇନିଜ୍‌ କମ୍ପାନିଗୁଡ଼ିକ ଶସ୍ତାରେ ଅଧିକ ବୈଶିଷ୍ଟ୍ୟପୂର୍ଣ୍ଣ ଡିଭାଇସ୍‌ ଯୋଗାଇବା ଫଳରେ ଦେଶୀ କମ୍ପାନିଗୁଡ଼ିକ ଚାପ ମଧ୍ୟକୁ ଆସିଗଲେ ଏବଂ ଧୀରେ ଧୀରେ ଏମାନେ ଦୁର୍ବଳ ହୋଇଗଲେ । ଏବେ ଦେଶୀ କମ୍ପାନିଗୁଡ଼ିକୁ ସବଳ କରିବା ପାଇଁ ଭାରତ ସରକାର ଅଣ୍ଟା ଭିଡ଼ିବାକୁ ପ୍ରସ୍ତୁତ ହେଉଥିବା ଜଣେ ସରକାରୀ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି ।

Breaking News