ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସ୍ବାସ୍ଥ୍ୟ ସେକ୍ଟର୍ରେ ବିଦେଶୀ ରାଷ୍ଟ୍ରଙ୍କ ଉପରେ ନିର୍ଭରଶୀଳତା ହ୍ରାସ ପାଇଁ ଭାରତ ଉଦ୍ୟମ ଜାରି ରଖିଛି | ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ‘ସ୍ବାସ୍ଥ୍ୟ ଓ ଡାକ୍ତରୀ ଗବେଷଣା’ ବିଷୟରେ ବଜେଟ୍-ପରବର୍ତ୍ତୀ ‘ୱେବିନର୍’ରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ସମନ୍ବିତ ଆଭିମୁଖ୍ୟ ଅଭାବ ଓ ଦଶନ୍ଧି ଦଶନ୍ଧି ଧରି ସେହି ଅବସ୍ଥା ଅପରିବର୍ତ୍ତିତ ରହିବାରୁ ଭାରତର ସ୍ବାସ୍ଥ୍ୟ ସେକ୍ଟର୍ ନଷ୍ଟ ହୋଇଯାଇଥିଲା। କିନ୍ତୁ, ସେ ଅବସ୍ଥା ସୁଧାରିବା ପାଇଁ ଆମ ସରକାର ଏହି କ୍ଷେତ୍ରକୁ କେବଳ ସ୍ବାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟରେ ସୀମିତ ନ ରଖି ସରକାରର ସାମଗ୍ରିକ ଆଭିମୁଖ୍ୟରେ ରଖିଛି। ଏହି କ୍ଷେତ୍ରରେ ଉଦ୍ୟୋଗିତାକୁ ପ୍ରୋତ୍ସାହନ ଦେବା ନିମନ୍ତେ ତାଙ୍କ ସରକାର ଗ୍ରହଣ କରିଥିବା କେତେକ ପଦେକ୍ଷେପ କଥା ଉଲ୍ଲେଖ କରି କହିଛନ୍ତି, ଭାରତ ଆଉ ବୈଷୟିକ ଜ୍ଞାନକୌଶଳ ଆମଦାନି ନ କରି ଆତ୍ମନିର୍ଭରଶୀଳ ହୋଇପାରିଛି ବୋଲି ଆମ ଉଦ୍ୟୋଗୀମାନେ ସୁନିଶ୍ଚିତ ହେବା ଉଚିତ। ସରକାରୀ ସ୍ବାସ୍ଥ୍ୟ ବୀମା ଯୋଜନା ‘ଆୟୁଷ୍ମାନ ଭାରତ’ ଏବଂ ଶସ୍ତାରେ ଔଷଧ ବିକ୍ରୟ ‘ଜନ ଔଷଧି’ କେନ୍ଦ୍ର କଥା ଉଲ୍ଲେଖ କରି ସେ କହିଛନ୍ତି, ସୁଲଭ ମୂଲ୍ୟରେ ଚିକିତ୍ସା କଥା ଉପରେ ପ୍ରାଧାନ୍ୟ ଦିଆଯାଇଛି। ଉପରୋକ୍ତ ଦୁଇ ଯୋଜନା ଯୋଗୁଁ ନାଗରିକମାନେ ଯଥାକ୍ରମେ ୮୦,୦୦୦ କୋଟି ଟଙ୍କା ଏବଂ ୨୦,୦୦୦ କୋଟି ଟଙ୍କା ବଞ୍ଚାଇ ପାରିଛନ୍ତି। ମହାମାରୀ ସମୟରେ ଦେଶର ଔଷଧ ପ୍ରସ୍ତୁତକାରୀ ଶିଳ୍ପ ବୈଶ୍ବିକ ଭରସା ଆଣି ଦେଇଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କେବଳ ସ୍ବାସ୍ଥ୍ୟ ସେବା ନୁହେଁ ତାଙ୍କ ସରକାର ନାଗରିକମାନଙ୍କର ସାମଗ୍ରିକ କଲ୍ୟାଣ ଉପରେ ଧ୍ୟାନ ଦେଉଥିବା କଥା ସେ କହିଛନ୍ତି।






More Stories
ମହିଳାଙ୍କୁ ମିଳିବ ଋତୁସ୍ରାବ ଛୁଟି…..
ଓଡିଶା ସରକାରଙ୍କୁ ଟାର୍ଗେଟ କଲେ ମହୁଆ……
ଦକ୍ଷିଣ ଗାଜା ଉପରେ ଇସ୍ରାଏଲର ଆକ୍ରମଣ…..