Report Card Odisha

| Daily Odia News

ଭାରତ ମହାନ ନୁହେଁ, ମୋଦୀ ଭାରତକୁ ବଦନାମ କରିଛନ୍ତି:କମଲନାଥ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କରୋନା ଭାଇରସ୍‌ର ଭାରିଏଣ୍ଟକୁ ଭାରତ ଭାରିଏଣ୍ଟ କହି ବିଜେପି ନିଶାଣରେ ରହିଥିବା ବେଳେ ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଏବେ ଆଉ ଏକ ଅରୁଚିକର ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଭାରତ ମହାନ ନୁହେଁ, ଭାରତ ବଦନାମ। ସେ କହିଛନ୍ତି ସ୍ଥିତି ଏମିତି ଯେ, ଭାରତୀୟଙ୍କ ଉପରେ ସବୁ ଦେଶ କଟକଣା ଲଗାଇଛନ୍ତି । ଏଥିପାଇଁ କେନ୍ଦ୍ରର ବିଜେପି ସରକାରଙ୍କୁ ସେ ଦାୟୀ କରିଛନ୍ତି । କଂଗ୍ରେସ ନେତା ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ, ଭାରତ ମହାନ ହୋଇନି, ବଦନାମ ହୋଇଛି। ସବୁ ଦେଶ ଭାରତ ଲୋକଙ୍କ ଉପରେ ରୋକ୍ ଲଗାଇଛନ୍ତି। ଏପରିକି ନ୍ୟୁୟର୍କରେ ଟ୍ୟାକ୍ସି ଚଳାଉଥିବା ଭାରତୀୟଙ୍କ ଟ୍ୟାକ୍ସିରେ କେହି ବସିବାକୁ ପ୍ରସ୍ତୁତ ନାହାନ୍ତି। ମୋଦୀ ଏମିତି ଦେଶକୁ ବଦନାମ କରିଥିବା କମଲନାଥ କହିଛନ୍ତି । କମଲନାଥ ପ୍ରଥମେ ବିଦେଶକୁ କରୋନା ଟିକା ରପ୍ତାନୀ କରିବା ଏବଂ ଏବେ ଆମଦାନୀ କରିବା ସରକାରଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି। କମଲନାଥ କହିଛନ୍ତି, ମୋଦୀ କହୁଥିଲେ ଆମେ କୋଭିଡ୍ ଲଢେଇ ଜିତିଗଲୁ। କହୁଥିଲେ ଆମେ ବିଶ୍ଵର ଫାର୍ମାସୀ । ଆଜି କହୁଛନ୍ତି ଗ୍ଲୋବାଲ ଟେଣ୍ଡ ବାହାର କର। ଭ୍ୟାକ୍ସିନ ବିଦେଶରୁ ଆମଦାନୀ କର। ଓଲଟା ଭାରତ ଆଜି ବିଶ୍ଵ ଦରବାରରେ ବଦନାମ ହୋଇଛି ବୋଲି କମଲନାଥ କହିଛନ୍ତି । ଉଲ୍ଲେଖନୀୟ କମଲନାଥ ସଂକ୍ରମଣ ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରୁଥିବା ବେଳେ ଅନ୍ୟପଟେ ସାମାଜିକ ଦୂରତା ନିୟମର ଖୁଲମଖୁଲା ଉଲ୍ଲଂଘନ କରି ତାଙ୍କ ନିକଟରେ ଅନେକ ଲୋକ ଉପସ୍ଥିତ ଥିଲେ। ଏପରିକି କିଛି ଲୋକଙ୍କ ମୁହଁରେ ମାସ୍କ ମଧ୍ୟ ନଥିଲା। ଖୋଦ୍ କମଲନାଥ ଠିକ୍‌ ଭାବେ ମାସ୍କ ପିନ୍ଧିନଥିଲେ। ତାଙ୍କ ମାସ୍କ ନାକ ତଳେ ରହିଥିଲା।

Breaking News