Report Card Odisha

| Daily Odia News

ଆଜି ଗୋଲାପୀ ବଲ୍ ଟେଷ୍ଟ

ନବୀକରଣ ପରେ ବିଶ୍ବର ସର୍ବବୃହତ୍ କ୍ରିକେଟ୍ ଷ୍ଟାଡିୟମ୍‌ର ମାନ୍ୟତା ଲାଭ କରିଥିବା ଅହମ୍ମଦାବାଦର ମୋଟେରା ଷ୍ଟାଡିୟମ୍‌ରେ ଆଜିଠାରୁ ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ୍ ଖେଳାଯିବ। ଦିବା-ରାତ୍ର ଭିତ୍ତିରେ ଏବଂ ଗୋଲାପି ବଲ୍‌ରେ ଖେଳାଯିବାକୁ ଥିବାରୁ ଏହି ଟେଷ୍ଟ୍‌କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଗୋଲାପି ବଲ୍ କ୍ରିକେଟ୍ ଖେଳିବାରେ ଇଂଲଣ୍ଡର ଅଧିକ ଅଭିଜ୍ଞ ଥିବାରୁ ଭାରତ ପାଇଁ ଏହି ମ୍ୟାଚ୍ ନୂଆ ଆହ୍ବାନ ନେଇ ଆସିବ ବୋଲି କ୍ରିକେଟ୍ ପଣ୍ଡିତମାନେ ଆକଳନ କରିଛନ୍ତି। ତେବେ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍‌ର ଫାଇନାଲ୍ ଖେଳିବା ଲାଗି ଏହି ମ୍ୟାଚ୍ ସହ ଶୃଙ୍ଖଳାର ବଳକା ଦୁଇଟି ମ୍ୟାଚ୍‌ରେ ଅପରାଜେୟ ରହି ଅନ୍ତତଃ ଗୋଟିକୁ ଜିତିବା ଭାରତ ପାଇଁ ନିହାତି ଦରକାର। ସେହିଦୃଷ୍ଟିରୁ ବୁଧବାରରୁ ଶୁଭାରମ୍ଭ ହେଉଥିବା ମୋଟେରା ମ୍ୟାଚ୍‌ରେ ବିରାଟ କୋହଲିଙ୍କ ଦଳ କଡ଼ା ପରୀକ୍ଷାର ସମ୍ମୁଖୀନ ହେବ। ଅନ୍ୟପକ୍ଷରେ ଚାରି ଟିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଜିତି ଚମତ୍କାର ଢଙ୍ଗରେ ଭାରତ ଗସ୍ତ ଆରମ୍ଭ କରିଥିବା ଇଂଲଣ୍ଡ ଦ୍ବିତୀୟ ମୁକାବିଲାକୁ ହାରିବା ପରେ ବିଜୟଧାରାକୁ ଫେରିବାକୁ ଆପ୍ରାଣ ଉଦ୍ୟମ କରିବ। ଇଂଲଣ୍ଡ ଯଦି ଏହି ମ୍ୟାଚ୍ ଜିତିନିଏ, ତାହାଲେ ଭାରତର ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍ ଖେଳିବା ବାଟ ଆପାତତଃ ବନ୍ଦ ହୋଇଯିବ। ଭ୍ରମଣକାରୀ ଇଂଲଣ୍ଡ ମଧ୍ୟ ୨-୧ରେ ଆଗୁଆ ହୋଇ ଶେଷ ମ୍ୟାଚ୍ ପୂର୍ବରୁ ମନୋବଳ ବଢ଼ାଇପାରିବ। ଭାରତ ବିଜୟୀ ହେଲେ ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍‌ସିପ୍ ଫାଇନାଲ୍‌ରେ ସ୍ଥାନ ପକ୍କା କରିବା ସହ ଶୃଙ୍ଖଳା ଜିତିବା ଲାଗି ଶେଷ ମ୍ୟାଚ୍‌କୁ ‌କେବଳ ଅସୀମାଂସିତ ରଖିବାର ଆବଶ୍ୟକତା ରହିବ। ୨୦୧୫ ମସିହାରେ ଆରମ୍ଭ ହୋଇଥିବା ଗୋଲାପି ବଲ୍ ଟେଷ୍ଟ୍ ବା ଦିବା-ରାତ୍ର ଟେଷ୍ଟ୍‌ର ଧାରା ୬ ବର୍ଷ ପୁରୁଣା ହୋଇଥିଲେ ମଧ୍ୟ ଆଜିପର‌୍ୟ୍ୟନ୍ତ ମାତ୍ର ୧୫ଟି ଟେଷ୍ଟ୍ ଖେଳା ଯାଇଛି। ଭାରତରେ ପ୍ରଥମ ଗୋଲାପି ବଲ୍ ଟେଷ୍ଟ୍ ଭାରତ ଓ ବାଂଲାଦେଶ ମଧ୍ୟରେ ୨୦୧୯ ମସିହା ନଭେମ୍ବର ୨୨ରୁ ୨୬ ତାରିଖ ପର‌୍ୟ୍ୟନ୍ତ ଐତିହାସିକ ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିଲା। ଏହି ମ୍ୟାଚ୍‌କୁ ଭାରତ ଗୋଟିଏ ପାଳି ଓ ୪୬ ରନ୍‌ରେ ଜିତି ନେଇଥିଲା। ଭାରତ ତା’ର ଦ୍ବିତୀୟ ଗୋଲାପି ବଲ୍ ଟେଷ୍ଟ୍ କୋଭିଡ୍ ସଙ୍କଟ ଭିତରେ ହୋଇଥିବା ଅଷ୍ଟ୍ରେଲିଆ ଗସ୍ତରେ ଆଡିଲେଡ୍ ଓଭାଲରେ ଖେଳିଥିଲା। ଡିସେମ୍ବର ୧୭ରୁ ୨୧, ୨୦୨୦ ମଧ୍ୟରେ ଖେଳାଯାଇଥିବା ଏହି ମୁକାବିଲାକୁ ଘରୋଇ ଅଷ୍ଟ୍ରେଲିଆ ୮ ୱିକେଟ୍‌ରେ ଜିତି ନେଇଥିଲା। ଏଣୁ ଗୋଲାପି ବଲ୍ ଟେଷ୍ଟ୍‌ରେ ଉଭୟ ଖଟା ମିଠା ଅଭିଜ୍ଞତା ପାଇ ଭାରତ ଗୋଟିଏ ପରାଜୟ ଏବଂ ଗୋଟିଏ ବିଜୟ ପାଇଛି। ସର୍ବମୋଟ ଦୁଇଟି ମ୍ୟାଚ୍ ଖେଳିଛି। ମୋଟେରାରେ ତୃତୀୟ ମ୍ୟାଚ୍ ଖେଳିବାକୁ ଯାଉଛି। ଅନ୍ୟପକ୍ଷରେ ଇଂଲଣ୍ଡର ତିନିଟି ଦିବା-ରାତ୍ର ଟେଷ୍ଟ୍ ଖେଳିବାର ଅଭିଜ୍ଞତା ରଖିଛି। ତେବେ ସେଥିମଧ୍ୟରୁ ଏହି ଦଳ ଦୁଇଟିରେ ପରାଜିତ ହୋଇଥିଲା ବେଳେ ମାତ୍ର ଗୋଟିକୁ ଜିତି ପାରିଛି। ଇଂଲଣ୍ଡ ତା’ର ପ୍ରଥମ ଦିବା-ରାତ୍ର ଟେଷ୍ଟ୍ ୨୦୧୭ ମସିହାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳିଥିଲା। ଘରୋଇ ପରିବେଶରେ ଖେଳିଥିବା‌ ଏହି ମ୍ୟାଚ୍‌କୁ ଗୋଟିଏ ପାଳି ଓ ୨୦୯ ରନ୍‌ରେ ଜିତି ନେଇଥିଲା। ସେହିବର୍ଷ ଆଡିଲେଡ୍‌ରେ ଖେଳିଥିବା ଦ୍ବିତୀୟ ଦିବା-ରାତ୍ର ଟେଷ୍ଟ୍‌ରେ କିନ୍ତୁ ଅଷ୍ଟ୍ରେଲିଆଠାରୁ ୧୨୦ ରନ୍‌ରେ ହାରିଯାଇଥିଲା। ପରବର୍ଷ ଅର୍ଥାତ୍ ୨୦୧୮ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଅକଲାଣ୍ଡ୍‌ଠାରେ ‌ଖେଳିଥିବା ନିଜ ତୃତୀୟ ତଥା ଶେଷ ଦିବା-ରାତ୍ର ଟେଷ୍ଟ୍‌ରେ ପାଳି ପରାଜୟ (ଗୋଟିଏ ପାଳି ଓ ୪୯ ରନ୍)ର ସମ୍ମୁଖୀନ ହୋଇଥିଲା। ଏଣୁ ତିନିଟି ଗୋଲାପି ବଲ୍ ଟେଷ୍ଟ୍ ଖେଳି ଇଂଲଣ୍ଡ ଦୁଇଟିରେ ହାରିଥିଲା ବେଳେ ଗୋଟିକୁ ଜିତିଛି।

Breaking News