ରିପୋର୍ଟ କାର୍ଡ / ଭୁବନେଶ୍ବର
ସବୁ ବର୍ଷ ଭଳି ଚଳିତ ବର୍ଷ ରାଜ୍ୟର ବିଭିନ୍ନ ଜେଲରେ ଥିବା କଏଦୀମାନେ ମାଟ୍ରିକ୍ ପରୀକ୍ଷା ଦେବେ। ବୋର୍ଡ ଅଫ୍ ସେକେଣ୍ଡାରି ପକ୍ଷରୁ ମାର୍ଚ୍ଚ ୧୦ ତାରିଖରେ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେବ | ବିଭିନ୍ନ ଜେଲରେ ଥିବା ୬୦ ଜଣ କଏଦୀ ଚଳିତ ବର୍ଷ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଜେଲ ବିଭାଗ ପକ୍ଷରୁ ଜେଲ୍ ସଂସ୍କାରରେ ଅଣାଯାଉଥିବା କାର୍ଯ୍ୟକ୍ରମରେ ଏହି କଏଦୀମାନେ ପରୀକ୍ଷା ଦେବେ ବୋଲି ଜେଲ ସୂତ୍ରରୁ ସୂଚନା ମିଳିଛି। ୨୦୨୨ ମସିହାରେ ଏହି ଜେଲ ସଂସ୍କାର କାର୍ଯ୍ୟକ୍ରମରେ ୧୪୭ ଜଣ କଏଦୀ ପରୀକ୍ଷା ଦେଇଥିଲେ। ସେଥି ମଧ୍ୟରୁ ୧୦ ଜଣ ପାସ୍ କରିଥିଲେ। ୨୦୨୧ ମସିହାରେ ୬୩ ଜଣ କଏଦୀ ପରୀକ୍ଷା ଦେଇଥିବାବେଳେ ସେଥି ମଧ୍ୟରୁ ୧୩ ଜଣ ପାସ କରିଥିଲେ। ଝାରପଡ଼ା ସ୍ବତନ୍ତ୍ର ଜେଲର ଜେଲର ସନ୍ତୋଷିନୀ ଦାଶ କହିଛନ୍ତି, ପରୀକ୍ଷା ଦେଉଥିବା କଏଦୀମାନେ କେବଳ ଝାରପଡ଼ା ଜେଲର ଅନ୍ତେବାସୀ ବା କଏଦୀ ନୁହଁନ୍ତି। ସେମାନେ ରାଜ୍ୟର ବିଭିନ୍ନ ଜେଲ ଓ ସବଜେଲରୁ ଏଠାକୁ ଆସିଥାନ୍ତି। ଚଳିତ ବର୍ଷ ରାଜ୍ୟର ଖୋର୍ଧା, ବଲାଙ୍ଗୀର, ଅନୁଗୁଳ, ନୟାଗଡ଼, କୁଜଙ୍ଗ, ଜଗତସିଂହପୁର, ଯାଜପୁର ଓ ପୁରୀ ଜେଲରେ ବିଭିନ୍ନ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ହୋଇଥିବା କଏଦୀ ଏବଂ ବିଚାର ବିଭାଗ ହାଜତରେ ଥିବା କଏଦୀମାନେ ପରୀକ୍ଷା ଦେବାକୁ ଏଠାକୁ ଆସିବେ ବୋଲି ଜେଲର ଶ୍ରୀମତୀ ଦାଶ କହିଛନ୍ତି। ରାଜ୍ୟର ବିଭିନ୍ନ ଜେଲରେ ଥିବା କଏଦୀମାନଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଭୁବନେଶ୍ବର ଅଣାଯିବା ପରେ ସେମାନେ ଏଠାରେ ପରୀକ୍ଷା ଦେବେ।






More Stories
୨୮ ଯାଏଁ ଝଡ଼ବର୍ଷା…..
ଜଳିଗଲା ବସ୍….
ବଦଳିଲେ ଏସ୍ସିବି ଡିନ୍ ଓ ଅଧୀକ୍ଷକ…..