Report Card Odisha

| Daily Odia News

ବଦଳିଲା ଶ୍ରୀମନ୍ଦିରର ପ୍ରବେଶ ନିୟମ….

ରିପୋର୍ଟ କାର୍ଡ / ପୁରୀ

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଶୁକ୍ରବାର ବୈଠକରେ ୨୦୦ କୋଟି ଟଙ୍କାର ବଜେଟ୍‌ ଉପସ୍ଥାପନ ହେବାକୁ ସ୍ଥିର ହୋଇଥିଲେ ମଧ୍ୟ ତାହା ପୂର୍ଣ୍ଣାଙ୍ଗ ହୋଇନଥିବାରୁ ଉପସ୍ଥାପନ କରାଯାଇ ପାରିନାହିଁ । ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ ଓ ଜଗା ଦର୍ଶନ ସହଜ ହେବ । ପୂର୍ବରୁ ଭକ୍ତମାନେ କେବଳ ପୂର୍ବଦ୍ୱାର ଦେଇ ଶ୍ରୀମନ୍ଦିର ଭିତରେ ପ୍ରବେଶ କରୁଥିବାବେଳେ ଆସନ୍ତା ୨୯ ତାରିଖଠାରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ଶ୍ରୀମନ୍ଦିର ପଶ୍ଚିମଦ୍ୱାର ଖୋଲା ରହିବ । ପୂର୍ବରୁ ପଶ୍ଚିମ ଦ୍ୱାର ଦେଇ ସେବାୟତଙ୍କ ପରିବାର ଓ ପୁରୀ ସହରବାସୀଙ୍କୁ ମନ୍ଦିର ଯିବାପାଇଁ ଅନୁମତି ରହିଥିଲା । ଏବେ ପଶ୍ଚିମ ଦ୍ୱାର ଦେଇ ସମସ୍ତ ଭକ୍ତ ପ୍ରବେଶ କରିବା ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି । ସେହିଭଳି ଚଳିତବର୍ଷ ଚନ୍ଦନ ଯାତ୍ରାରେ ଭକ୍ତମାନେ ସାମିଲ ହେବା ନେଇ ମଧ୍ୟ ନିଷ୍ପତ୍ତି ଗ୍ରହଣ କରାଯାଇଛି । ରଥଯାତ୍ରା ଗହଳିକୁ ଦେଖି ପଶ୍ଚିମ ଦ୍ୱାରରେ ସେଡ୍‌ ନିର୍ମାଣ କରାଯିବ । ଏହି ସେଡ୍‌ ପୂର୍ବରୁ ବଡ଼ଦାଣ୍ଡରେଥିବାରୁ ଏହାକୁ ଖୋଲାଯିବା ପାଇଁ ମଧ୍ୟ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଅନ୍ୟପଟେ ରଥଯାତ୍ରା ପାଇଁ ଖୁବ୍‌ଶୀଘ୍ର ରଥନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭି.ଭି. ଯାଦବ, ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍‌ପି କନୱର ବିଶାଲସିଂହ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ସେବାୟତ ଓ ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ରହିଥିଲେ । ଏଥିସହ ଐତିହ୍ୟ କରିଡର ଶ୍ରୀମନ୍ଦିର ସମ୍ମୁଖରେ ବିକ୍ଷୋଭ ବା ଆନ୍ଦୋଳନକୁ ବନ୍ଦକରିବା ଇତ୍ୟାଦି ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ତେବେ ଆସନ୍ତା ୨୫ ତାରିଖରେ ବସିବାକୁ ଥିବା ବୈଠକରେ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରାଯିବ ବୋଲି ମୁଖ୍ୟ ପ୍ରଶାସକ ଶ୍ରୀ ଯାଦବ ସୂଚନା ଦେଇଛନ୍ତି ।

 

Breaking News