ରିପୋର୍ଟ କାର୍ଡ / ଯାଜପୁର
ଜାରକା ଆରଡି ଡିଭିଜନର କନିଷ୍ଠ ଯନ୍ତ୍ରୀ ଭୀମସେନ ମହାରଣା ଠିକାଦାରଙ୍କଠାରୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। କଟକ ଭିଜିଲାନ୍ସର ଏକ ଟିମ୍ ତାଙ୍କୁ ଟାଙ୍ଗୀ ଟୋଲ୍ ଗେଟ୍ ନିକଟରେ ମାଡ଼ି ବସିଥିଲା। ତାଙ୍କ ନିକଟରୁ ୨ ଲକ୍ଷ ୩ ହଜାର ୯୪୦ ଟଙ୍କା ଜବତ ହୋଇଛି। ତାଙ୍କ ଅବଶିଷ୍ଟ ସମ୍ପତ୍ତିର ଆକଳନ କରାଯାଉଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି। ଯାଜପୁର ଜିଲ୍ଲା କୁଆଖିଆ ସେକ୍ସନ୍ର ଜାରକା ଆରଡି ଡିଭିଜନରେ କନିଷ୍ଠ ଯନ୍ତ୍ରୀ ଥିବା ଭୀମସେନ ମହାରଣା ଠିକାଦାରଙ୍କ ନିକଟରୁ ବିପୁଳ ପରିମାଣର ଟଙ୍କା ନେଉଥିଲେ। ଏ ସମ୍ପର୍କିତ ଅଭିଯୋଗ ଭିଜିଲାନ୍ସ କାର୍ଯ୍ୟାଳୟରେ ବାରମ୍ବାର ପହଞ୍ଚିଥିଲା। ତେଣୁ କଟକ ଭିଜିଲାନ୍ସର ଏକ ଟିମ୍ ଭୀମସେନଙ୍କ ଉପରେ ତୀକ୍ଷଣ ନଜର ରଖିଥିଲା। ଶୁକ୍ରବାର କଟକ ଟାଙ୍ଗୀ ଟୋଲ୍ ଗେଟ୍ ନିକଟରେ ଶ୍ରୀ ମହାରଣା ଟଙ୍କା ଧରି ତାଙ୍କ ବ୍ୟକ୍ତିଗତ କାରରେ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ବେଣ୍ଟପୁର ଶାସନ ଗାଁରୁ ଫେରୁଥିବା ବେଳେ ଭିଜିଲାନ୍ସ ତାଙ୍କୁ ମାଡ଼ି ବସିଥିଲା। ଯାଞ୍ଚ ପରେ ତାଙ୍କ ନିକଟରୁ ୨ ଲକ୍ଷ ୩ ହଜାର ୯୪୦ ଟଙ୍କା ଜବତ ହୋଇଥିଲା। ଏହି ଟଙ୍କା କେଉଁଠାରୁ ଆଣିଥିଲେ ସେ ସଂପର୍କରେ ଶ୍ରୀ ମହାରଣା କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଭିଜିଲାନ୍ସର ଆଉ ଏକ ଟିମ୍ ଶ୍ରୀ ମହାରଣାଙ୍କ ବାଲିଅନ୍ତା ଘର, କୁଆଖିଆରେ ଥିବା ଅଫିସରେ ଚଢ଼ଉ କରିଛି। ଏ ନେଇ କଟକ ଭିଜିଲାନ୍ସ ଟିମ୍ ଏକ ମାମଲା ରୁଜୁ କରିଛି ଏବଂ ତାଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରାଯାଇଛି। ଶ୍ରୀ ମହାରଣାଙ୍କ ସମ୍ପତ୍ତି ଆକଳନ କରାଯାଉଥିବା ବେଳେ ଆୟ ବହିର୍ଭୂତ ସମ୍ପତ୍ତିର ପରିମାଣ ବଢ଼ିବାର ଯଥେଷ୍ଟ ଆଶଙ୍କା ରହିଛି।






More Stories
ବିଜେପି ନେତାଙ୍କ ଉପରେ ହେଉ କାର୍ଯ୍ୟାନୁଷ୍ଠାନ…..
ଆସନ୍ତାକାଲି ଯୁକ୍ତ ଦୁଇ ପରୀକ୍ଷା ଫଳ….
ବିଚ୍ ରାସ୍ତାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ:ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ନବୀନ……