ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବଙ୍ଗଳାକୁ ନେଇ ପୂର୍ବତନ ମନ୍ତ୍ରୀ ଏବଂ ମନ୍ତ୍ରୀଙ୍କ ମଧ୍ୟରେ ଝିକାଝିକ। ଦୁଇ ନେତାଙ୍କ ଲଢେଇକୁ ନେଇ ଦଳ ଚିନ୍ତାରେ | ମୋଦୀଙ୍କ କ୍ୟାବିନେଟ୍ରୁ ବିଦା ହୋଇଥିବା ପୂର୍ବତନ ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ୨୭ ସଫଦରଜଙ୍ଗ ରୋଡରେ ସ୍ଥିତ ବଙ୍ଗଳା ଛାଡ଼ିବାକୁ ମନା କରିଦେଇଛନ୍ତି। ମନ୍ତ୍ରୀ ହେବା ପରେ ତାଙ୍କୁ ଏହି ଘର ମିଳିଥିଲା । ଏବେ ନିୟମ ଅନୁସାରେ ତାଙ୍କୁ ବଙ୍ଗଳା ଖାଲି କରିବାର ଥିଲା। କିନ୍ତୁ ସେ ସେଠାରେ ରହିବାକୁ ଅଡ଼ି ବସିଛନ୍ତି। ଏଥିପାଇଁ ତାଙ୍କୁ ଡାଇରେକ୍ଟୋରେଟ୍ ଅଫ ଆସେଟସ୍ରୁ ଅନୁମତି ମଧ୍ୟ ମିଳିଥିବା କୁହଯାଉଛି । କିନ୍ତୁ ଅସୁବିଧା ହେଉଛି ନୂଆ କରି ବେସମାରିକ ବିମାନ ଚଳାଚଳ ମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ସେହି ବଙ୍ଗାଳାରେ ରହିବାକୁ ଚାହୁଁଛନ୍ତି । ସଫଦରଜଙ୍ଗର ମକବେର ପାଖରେ ଲୁଟିୟନ୍ ଦିଲ୍ଲୀରେ ଥିବା ଏହି ବଙ୍ଗଳାରେ ସିନ୍ଧିଆ ପରିବାର ଦୀର୍ଘ ଦିନ ଧରି ରହିଆସିଥିଲେ। ଏପରିକି ୨୦୧୯ ଲୋକସଭା ନିର୍ବାଚନ ହାରିବା ପର୍ଯ୍ୟନ୍ତ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ସେଠାରେ ରହୁଥିଲେ। ତାଙ୍କ ପୂର୍ବରୁ ତାଙ୍କ ବାପା ମାଧବରାଓ ସିନ୍ଧିଆ ମଧ୍ୟ ଦୀର୍ଘ ବର୍ଷ ସେଠାରେ ରହିଥିଲେ। ଏପରିକି ମାଧବରାଓ ସେହି ବଙ୍ଗଳାରେ ନିଜର ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ଏହାକୁ ନେଇ ସେହି ବଙ୍ଗଳା ସହ ସିନ୍ଧିଆଙ୍କ ଭଲପାଇବା ରହିଛି। ତେଣୁ ସେ ସେଠାକୁ ଶିଫ୍ଟ ହେବାକୁ ଚାହୁଁଛନ୍ତି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଗତବର୍ଷ ସିନ୍ଧିଆ ବିଜେପିରେ ସାମିଲ ହେବା ପରେ ତାଙ୍କୁ ତିନୋଟି ବଙ୍ଗଳା ପାଇଁ ଅଫର ମିଳିଥିଲା କିନ୍ତୁ ସେ ମନା କରିଦେଇଥିଲେ। ଏବେ ସେ ଆନନ୍ଦ ଲୋକରେ ଥିବା ନିଜ ବାସଭବନରେ ରହୁଛନ୍ତି। ନେତାଙ୍କ ମଧ୍ୟରେ ବଙ୍ଗଳାକୁ ନେଇ ଖାସ ଆଗ୍ରହ କିଛି ନୂଆ କଥା ନୁହେଁ। ନିକଟରେ ଏଲଜେପି ନେତା ଚିରାଗ ପାସଓ୍ବାନ୍ଙ୍କୁ ନିଜ ଘର ଖାଲି କରିବାକୁ ନିର୍ଦେଶ ଦିଆଯାଇଥିଲା। ସେଠାରେ ମନ୍ତ୍ରୀ ଥିଲା ବେଳେ ରାମବିଳାସ ପାସଓ୍ବାନ ରହୁଥିଲେ । ତେଣୁ ଚିରାଗ ସେଠାରେ ରହିବାକୁ ଗୁହାରି କରିଥିଲେ। କିନ୍ତୁ ଶେଷରେ ତାଙ୍କୁ ବଙ୍ଗଳା ଖାଲି କରିବାକୁ ପୁଣି ଥରେ ନିର୍ଦ୍ଦେଶ ହୋଇଥିବା ଜଣାପଡ଼ିଛି।
Discussion about this post