ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗୁରୁବାର ଆଫଗାନିସ୍ତାନ କାବୁଲ ବିମାନବନ୍ଦର ହବାରେ ଆଇଏସ୍-କେ ଆତଙ୍କୀ ସଂଗଠନ ପକ୍ଷରୁ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ତାଲିବାନ ସଂଗଠନର ୨୮ ଜଣ ସଦସ୍ୟଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି | ବନ୍ଧୁକ ମୁନରେ ଆଫଗାନକୁ ଦଖଲ କରିଥିବା ତାଲିବାନ ସଂଗଠନ ମଧ୍ୟ ସିରିଜ୍ ବିସ୍ଫୋରଣରେ ବ୍ୟାପକ କ୍ଷତି ସହିଛି| କାବୁଲରେ ୪ଟି ସିରିଜ୍ ବିସ୍ଫୋରଣ ହୋଇଥିବା ବେଳେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏୟାରପୋର୍ଟ ବାହାରର ସୁରକ୍ଷା ଦାୟିତ୍ୱ ତାଲିବାନ ପକ୍ଷରୁ ସହଯୋଗୀ ହକ୍କାନୀ ନେଟୱର୍କକୁ ଦିଆଯାଇଥିଲା। କିନ୍ତୁ ତାଲିବାନର ପରମଶତ୍ରୁ ଆଇଏସ୍-କେର ସଦସ୍ୟମାନେ ସୁରକ୍ଷା ବଳୟକୁ ଭେଦ କରି ଏୟାରପୋର୍ଟ ନିକଟରେ ହମଲା କରିବାକୁ ସକ୍ଷମ ହୋଇଛନ୍ତି। ଏଥିରେ ଏଯାଏ ୧୦୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୧୩ ଆମେରିକା ସେନା, ଛୋଟ ପିଲା ଓ ମହିଳା ବି ରହିଛନ୍ତି। ଘଟଣାକୁ ଦୃଢ଼ ନିନ୍ଦା କରି ତାଲିବାନର ଜଣେ ସଦସ୍ୟ କହିଛନ୍ତି, କାବୁଲ ବିସ୍ଫୋରଣରେ ୨୮ ଜଣ ତାଲିବାନୀ ପ୍ରାଣ ହରାଇଛନ୍ତି। ସେମାନେ ଏୟାରପୋର୍ଟରେ ଭିଡ଼ ନିୟନ୍ତ୍ରଣ କରୁଥିବା ବେଳେ ଏପରି ଘଟଣା ଘଟିଛି। ଏଥିସହ ୩୦ରୁ ଅଧିକ ସଦସ୍ୟ ଆହତ ହୋଇଛନ୍ତି। ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଗକୁ ଆହୁରି ଆକ୍ରମଣର ଆଶଙ୍କା ଥିବାରୁ କାବୁଲ ଏୟାରପୋର୍ଟକୁ ସଂଯୋଗ କରୁଥିବା ରାସ୍ତା ଗୁଡ଼ିକୁ ସିଲ୍ କରି ଦିଆଯାଇଛି।
Discussion about this post