ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଜେପିର ଜଣେ ମୁଖପାତ୍ର ମହାପୁରୁଷ ମହମଦ୍ଙ୍କ ବିଷୟରେ ଅସମ୍ମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ କରି ଉତ୍ତର ପ୍ରଦେଶର କାନପୁରରେ ସଂଘଠିତ ହିଂସାକାଣ୍ଡରେ ସମ୍ପୃକ୍ତ ଥିବା ୩୬ଜଣଙ୍କୁ ପୋଲିସ ଗିରଫ କରିଛି | ଭିଡିଓ କ୍ଲିପ୍ରୁ ଚିହ୍ନଟ କରି ହିଂସାକାଣ୍ଡରେ ଜଡ଼ିତ ଥିବା ବ୍ୟକ୍ତିମାନଙ୍କୁ ଗିରଫ କରିଥିବା କଥା ପୋଲିସ ଅଧିକାରୀମାନେ କହିଛନ୍ତି। ଏହାଛଡ଼ା, ଉକ୍ତ ହିଂସାକାଣ୍ଡରେ ଜଡ଼ିତ ଥିବା ଅଜ୍ଞାତ ବ୍ୟକ୍ତିମାନଙ୍କ ନାମରେ ୩ଟି ‘ଏଫ୍ଆଇଆର୍’ ପଞ୍ଜୀକୃତ ହୋଇଥିବା କଥା ମଧ୍ୟ ସେମାନେ କହିଛନ୍ତି। ପୋଲିସ କମିସନର୍ ବିଜୟ ସିଂହ ମୀନା କହିଛନ୍ତି, ଭିଡିଓ କ୍ଲିପ୍ ସବୁକୁ ଆଧାର କରି ଆହୁରି ଅଧିକ ଲୋକଙ୍କୁ ଚିହ୍ନଟ କରାଯାଉଛି। ଗ୍ୟାଙ୍ଗ୍ଷ୍ଟର୍ ଆଇନ୍ ଅନୁସାରେ, ଷଡ଼ଯନ୍ତ୍ରକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ସେମାନଙ୍କର ସମ୍ପତ୍ତି ବ୍ୟାଜାପ୍ତ କରାଯିବ। ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ସହିତ ସହରରେ ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ନିମନ୍ତେ ନିରାପତ୍ତା ବ୍ୟବସ୍ଥା ବ୍ୟାପକ କରାଯାଇଛି। ନିକଟ ଅତୀତରେ ଜ୍ଞାନବାପି ମସ୍ଜିଦ୍ ମାମଲାରେ ଏକ ଟେଲିଭିଜନ୍ ଚାନେଲ୍ରେ ସମ୍ବାଦ ବିତର୍କ ଚାଲିଥିବା ବେଳେ ବିଜେପିର ମୁଖପାତ୍ରୀ ନୂପୁର ଶର୍ମା ମହାପୁରୁଷ ମହମ୍ମଦଙ୍କ ସଂକ୍ରାନ୍ତରେ ଅସମ୍ମାନଜନକ ମନ୍ତବ୍ୟ ଦେଇଛନ୍ତି ବୋଲି ଅଭିଯୋଗ କରି ବଜାର ବନ୍ଦ କରିବାକୁ କହିବାରୁ ଶୁକ୍ରବାର ନମାଜ ପରେ କାନପୁରରେ ଦୁଇ ଗୋଷ୍ଠୀର ବ୍ୟକ୍ତିମାନେ ସଂଘର୍ଷ କରି ପରସ୍ପର ଉପରକୁ ଟେକାପଥର ପକାଇଥିଲେ। ଏହି ସଂଘର୍ଷରେ ୧୩ଜଣ ପୋଲିସ କର୍ମଚାରୀ ଓ ଦୁଇ ଗୋଷ୍ଠୀରୁ ୩୨ଜଣ ବ୍ୟକ୍ତି ଆହତ ହୋଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।






More Stories
ପୁଣି ଆନ୍ଦୋଳନକୁ ଓହ୍ଲାଇବ CJP…..
ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ବୃଦ୍ଧି ବିଲ୍ ଗୃହୀତ…..
ହକି ଇଣ୍ଡିଆ ଡିଜିଙ୍କୁ ଜବାବ ମାଗିଲେ ଦିଲୀପ…..