ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦିନକୁ ଦିନ ଅସୁରକ୍ଷିତ ହୋଇଯାଉଛି ରାଜଧାନୀ ଭୁବନେଶ୍ୱର | ରାଜଧାନୀ ପାଲଟିଛି ଗୁଣ୍ଡା ଗର୍ଦାରୀର ପେଣ୍ଠସ୍ଥଳୀ | ଭୁବନେଶ୍ୱର ଧଉଳି ଥାନା ଅଧୀନ ସୁନ୍ଦରପଦା-ସାମନ୍ତରାପୁର ରାସ୍ତାର କେନାଲ ବନ୍ଧରୁ ଶନିବାର ରାତିରେ ଜଣେ ଖାଦ୍ୟ ଡେଲିଭରି ବୟଙ୍କୁ କିଛି ଦୁର୍ବୃତ୍ତ ଛୁରି ଭୁସି ଡାଲା ଅଟୋରେ ପକାଇ ଅପହରଣ କରି ନେଇଛନ୍ତି। ଅପହୃତ ଯୁବକ ପତିତପାବନ ପୃଷ୍ଟିଙ୍କ ପାଖରେ ଥିବା ଅନ୍ୟ ଏକ ମୋବାଇଲ୍ ଫୋନ୍ର ସ୍ବର ବାର୍ତ୍ତା (ଭଏସ୍ ମେସେଜ୍) ତାଙ୍କ ପତ୍ନୀଙ୍କ ନିକଟକୁ ପଠାଇବା ପରେ ଅପହରଣ ଘଟଣା ପଦାକୁ ଆସିଥିଲା। ରାତି ପ୍ରାୟ ୩ଟାବେଳେ ପତିତପାବନଙ୍କ ବଡ଼ ଭାଇ ପୁରୁଷୋତ୍ତମ ପୃଷ୍ଟି ଧଉଳି ଥାନାରେ ଏ ସମ୍ପର୍କରେ ଅଭିଯୋଗ କରିଥିଲେ। ପୋଲିସ ଗତକାଲି ରାତିରୁ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ସୁଦ୍ଧା ଅପରାଧୀଙ୍କ ନିକଟରେ ପହଞ୍ଚି ପାରିନାହିଁ। ଦୁର୍ବୃତ୍ତମାନେ ଦୟାନଦୀର ଲିଙ୍ଗିପୁରଠାରୁ ହାଇଟେକ ରାସ୍ତାରେ ତାଙ୍କୁ ଅପହରଣ କରିନେଇଥିଲେ। ଉକ୍ତ ସ୍ବର ବାର୍ତ୍ତାକୁ ଭିତ୍ତିକରି ପୁଲିସ ଉକ୍ତ ରାସ୍ତା ଦେଇ ଖୋଜାଖୋଜି କରିବା ବେଳେ ଲିଙ୍ଗିପୁର ମେଳଣ ପଡ଼ିଆଠାରୁ କିଛି ଦୂର ଏକ ଫାର୍ମ ହାଉସ୍ ନିକଟ ରାସ୍ତା କଡ଼ରେ ପତିତପାବନଙ୍କ ଗଞ୍ଜି, ଚପଲ, ଜରିବ୍ୟାଗ୍, ମାଟିରେ ପୋତା ଯାଇଥିବା ଏକ ଛୁରି ଓ ପର୍ସ ପାଇଥିଲା। ପୋଲିସ ଏସବୁ ସାମଗ୍ରୀ ଜବତ କରିଥିଲା। ପତ୍ନୀ ଅହଲ୍ୟା ଘଟଣାସ୍ଥଳକୁ ଯାଇ ସେସବୁକୁ ଚିହ୍ନଟ କରିଥିଲେ। ଏନେଇ ପୋଲିସ ଅପହରଣ ମାମଲା ରୁଜୁ କରି ତଦନ୍ତ କରୁଛି। ସଞ୍ଚାର(ଅନଲାଇନ) ସେବା ମାଧ୍ୟମରେ ଘରେ ଘରେ ସାମଗ୍ରୀ ବିତରଣ କରୁଥିବା ସଂସ୍ଥାରେ ପତିତପାବନ କାର୍ଯ୍ୟ କରୁଥିଲେ। ତାଙ୍କ ଭାଇ ପୁରୁଷୋତ୍ତମ ମଧ୍ୟ କାର୍ଯ୍ୟ କରନ୍ତି। ଗତକାଲି ରାତି ସାଢ଼େ ୮ଟାବେଳେ ତାଙ୍କ ଭାଇ ଫୋନ୍ କରି ଘରେ ପହଞ୍ଚିଲୁ କି ନାହିଁ ପଚାରିଥିଲେ। ‘ବର୍ଷା ହେଉଛି, ଗାଡ଼ି ଖରାପ ହୋଇଥିବାରୁ ସୁନ୍ଦରପଦାରୁ ସାମନ୍ତରାପୁର ରାସ୍ତାର କେନାଲ ବନ୍ଧ ନିକଟରେ ଅଟକିଥିବା’ କହିଥିଲେ। ରାତି ପ୍ରାୟ ସାଢ଼େ ୯ଟା ପାଖାପାଖି ଅହଲ୍ୟା ତାଙ୍କୁ ଫୋନ୍ କରିଥିଲେ। ସେତେବେଳେ ସେ ତାଙ୍କୁ ଭାରି ଭୟ ଲାଗୁଛି ବୋଲି କହିଥିଲେ। ୪ଜଣ ଦୁର୍ବୃତ୍ତ ସାମନ୍ତରାପୁର ଛକରୁ ତାଙ୍କୁ ପିଛା କରୁଛନ୍ତି ବୋଲି ସେ ଜଣାଇଥିଲେ। ସେମାନେ ନିଶାସକ୍ତ ଅବସ୍ଥାରେ ଥିବା ଜଣାପଡୁଛନ୍ତି । ମୋ ପାଖରେ ୧୫,୦୦୦ଟଙ୍କା ଅଛି। ପୁଣି ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଦେବାକୁ ବାକି ଅଛି। ଦେଇ ସାରିବା ପରେ ଘରକୁ ଫେରିବି ବୋଲି କହିଥିଲେ।
Discussion about this post