Report Card Odisha

| Daily Odia News

ସନ୍ଦୀପ ଘୋଷଙ୍କ ବାବଦରେ ବଡ଼ ତଥ୍ୟ ଦେଲା ସିବିଆଇ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ବାବଦରେ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ସେ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରୁଥିବା ସିବିଆଇ କହିଛି । କଲିକତା ହାଇକୋର୍ଟରେ ତଦନ୍ତ ରିପୋର୍ଟ ଦାଖଲ କରିବା ସମୟରେ ଏପରି କହିଛି ତଦନ୍ତକାରୀ ସଂସ୍ଥା ସିବିଆଇ। ଏଥିସହ ଗିରଫ ହୋଇଥିବା ତାଲା ପୋଲିସ ଷ୍ଟେସନ ଇନଚାର୍ଜ ଅଭିଜିତ ମଣ୍ଡଳଙ୍କ ବିରୁଦ୍ଧରେ ମଧ୍ୟ ସଙ୍ଗୀନ ଅଭିଯୋଗ ଆଣିଛି। କୋର୍ଟଙ୍କୁ ସିବିଆଇ କହିଛି ଯେ, ଅଗଷ୍ଟ ୯ ରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାର ପର ଦିନ ସକାଳ ୧୦ ଟାରେ ଖବର ପାଇଥିଲେ ମଧ୍ୟ ତୁରନ୍ତ ଡାକ୍ତରଖାନାରେ ପହଞ୍ଚି ନଥିଲେ ସନ୍ଦୀପ ଘୋଷ। ସେ ସେତେବେଳେ ମେଡିକାଲ କଲେଜର ପ୍ରିନ୍ସିପାଲ ଥିଲେ ମଧ୍ୟ ଘଟଣାକୁ ଗୁରୁତର ସହ ନେଇନଥିଲେ। ଥାନାରେ ମଧ୍ୟ ନିଜ ଆଡ଼ୁ କୌଣସି ମାମଲା ରୁଜୁ କରିନଥିଲେ। ଏପରିକି ମୃତ ଟ୍ରେନି ଡାକ୍ତରଙ୍କ ଶରୀରରେ ବାହ୍ୟ ଆଘାତ ଥାଇ ମଧ୍ୟ ଆତ୍ମହତ୍ୟାର ନୂଆ ଥିଓରି ଲେଖିଥିଲେ। ଘଟଣା ପରେ ସେ ଜଣେ ଓକିଲ ଏବଂ ପୋଲିସଙ୍କ ସହ ମଧ୍ୟ ଯୋଗାଯୋଗ କରିଥିବା ସିବିଆଇ କହିଛି। ସିବିଆଇ ଆହୁରି କହିଛି ଯେ, ଡାକ୍ତର ସନ୍ଦୀପ ଘୋଷ ମୃତଦେହର ଡାକ୍ତରୀ ମାଇନା କରାଇବାରେ ବିଫଳ ହୋଇଥିଲେ ଏବଂ ତୁରନ୍ତ ଶବଗାରକୁ ମୃତଦେହ ନେଇଯିବାକୁ କହିଥିଲେ। ସେପଟେ ଗିରଫ ହୋଇଥିବା ପୋଲିସ ଅଧିକାରୀ ଅଭିଜିତ ମଣ୍ଡଳ ମଧ୍ୟ ଦାୟିତ୍ୱରେ ଅବହେଳା କରିଥିବା ସିବିଆଇ ଦର୍ଶାଇଛି। ସେ ଏପରି ଜଘନ୍ୟ ହତ୍ୟାକାଣ୍ଡ ବାବଦରେ ସକାଳ 10ଟା 3ରେ ଖବର ପାଇଥିଲେ ମଧ୍ୟ ଘଣ୍ଟାଏ ପରେ ଡାକ୍ତରଖାନାରେ ପହଞ୍ଚିଥିଲେ। ଏପରିକି ପୋଲିସ ମଧ୍ୟ ଠିକ୍ ସମୟରେ ମାମଲା ରୁଜୁ କରିନଥିଲା। ଘଟଣାସ୍ଥଳରେ ନ ପହଞ୍ଚିବାରୁ ଅପରାଧ ସ୍ଥଳକୁ ସାଧାରଣ ଲୋକେ ଯାଇଥିଲେ ଏବଂ କ୍ରାଇମ୍ ସ୍ଥାନର ଫଟୋ ଉଠାଇଥିଲେ, ଯାହା ପରେ ଲିକ୍ ହୋଇଥିଲା ବୋଲି ସିବିଆଇ କହିଛି। 

Breaking News