Report Card Odisha

| Daily Odia News

ଚଳିତ ସପ୍ତାହ ଶେଷସୁଦ୍ଧା ୟୁକ୍ରେନ୍‌ ରାଜଧାନୀକୁ କବଜା କରିବ ରୁଷ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ୟୁକ୍ରେନ୍‌ର ପ୍ରତିରୋଧ ଶକ୍ତି କ୍ଷୀଣ ହୋଇ ଆସୁଥିବାରୁ ଚଳିତ ସପ୍ତାହାନ୍ତ ସୁଦ୍ଧା ରୁଷ୍‌ ସୈନିକମାନେ ରାଜଧାନୀ କିଏଭ୍‌କୁ ବେଢ଼ି ଯିବେ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ସେନା ଅଧିକାରୀମାନେ ଆଶଙ୍କା କରୁଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ଆଜି ରୁଷୀୟ ଆକ୍ରମଣର ଦ୍ବିତୀୟ ଦିନରେ କିଏଭ୍‌ରେ ବିସ୍ଫୋରଣ ଶବ୍ଦ ଶୁଭିଛି। ଶତ୍ରୁପକ୍ଷର ବିଧ୍ବଂସକାରୀ ଟିମ୍‌ କିଏଭ୍‌ରେ ପ୍ରବେଶ କରିଛନ୍ତି ବୋଲି ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନସ୍କି କହିବା ସହିତ ନାଗରିକମାନଙ୍କୁ ଜାଗ୍ରତ ରହିବା ଏବଂ କର୍ଫ୍ୟୁ ନିୟମ ମାନିବାକୁ ନିବେଦନ କରିଛନ୍ତି। ବିମାନ ଆକ୍ରମଣ ଭୟ ଥିବାରୁ ଲୋକେ ତୁରନ୍ତ ଆଶ୍ରୟସ୍ଥଳକୁ ଚାଲିଯିବାକୁ ସେ କହିଛନ୍ତି। ସୂଚନା ଦେଇ ସେ କହିଛନ୍ତି ଯେ, ପ୍ରାରମ୍ଭିକ ଗଣନା ଅନୁସାରେ, ଗୁରୁବାର ସକାଳୁ ରୁଷ୍‌ ଆରମ୍ଭ କରିଥିବା ଆକ୍ରମଣରେ ଏଯାବତ୍‌ ୧୩୭ଜଣ ୟୁକ୍ରେନୀୟ ସୈନିକ ନିହତ ହୋଇଛନ୍ତି ଏବଂ ୨୧୬ଜଣ ଆହତ ହୋଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ରୁଷ୍‌ ଆକ୍ରମଣକୁ ପ୍ରତିରୋଧ କରିବା ଲାଗି ଏକାକୀ ଲଢ଼େଇ କରି ୟୁକ୍ରେନ୍‌ ଅବସନ୍ନ ହୋଇଗଲାଣି। ୟୁକ୍ରେନ୍‌ ‘ନାଟୋ’ ସଦସ୍ୟ ହେବ ବୋଲି କେହି ଗ୍ୟାରେଣ୍ଟି ଦେବାକୁ ପ୍ରସ୍ତୁତ ନୁହନ୍ତି। ସମସ୍ତେ ଭୟଭୀତ, ସମସ୍ତେ ନିରବ। ଏହାଛଡ଼ା, କେବଳ କଥାରେ ନୁହେଁ, କାମରେ ୟୁକେନ୍‌କୁ ସାହାଯ୍ୟ କରିଥିବା ସମସ୍ତ ଦେଶକୁ ସେ ଧନ୍ୟବାଦ ଜଣାଇଛନ୍ତି। ଆନ୍ତର୍ଜାତିକ ସହଯୋଗ ପାଇଁ ମଧ୍ୟ ସେ ଟୁଇଟ୍‌ କରି ନିବେଦନ କରିଛନ୍ତି। ସେହିପରି, ୟୁକ୍ରେନୀୟ ସାଂସଦ ସୋଫିଆ ଫେଦିନା ଭାରତଠାରୁ ଔଷଧପତ୍ର ଓ ରାଜନୈତିକ ସହାୟତା ଲୋଡ଼ିଛନ୍ତି। ସେ କହିଛନ୍ତି, ଆକ୍ରମଣକାରୀ ମସ୍କୋକୁ ଶାସ୍ତି ଦେବା ଲାଗି ୟୁକ୍ରେନ୍‌ ଖାଲି ଅସ୍ତ୍ରଶସ୍ତ୍ର ନୁହେଁ, ମାନସିକ ସହାୟତା ବି ଆବଶ୍ୟକ କରୁଛି। ସେମାନେ ଶାନ୍ତପ୍ରିୟ ୟୁକ୍ରେନୀୟଙ୍କୁ ହତ୍ୟା କରୁଛନ୍ତି। ସାର୍ବଭୌମ ଦେଶ ୟୁକ୍ରେନ୍‌ର ମାନବୀୟ ଅଧିକାର ସୁରକ୍ଷା ନିମନ୍ତେ ମୁଁ ସମସ୍ତ ଭାରତୀୟ ରାଜନେତାଙ୍କୁ ଅନୁରୋଧ କରୁଛି। ୟୁକ୍ରେନୀୟ ରାଜଧାନୀ କିଏଭ୍ ସହରରେ ପ୍ରବେଶ କରିବାରେ ରୁଷୀୟ ସୈନିକମାନଙ୍କୁ ବାଧା ଦେବା ପାଇଁ ସହର ନିକଟରେ ଥିବା ଗୋଟାଏ ସେତୁକୁ ଭାଙ୍ଗି ଦିଆଯାଇଛି।

Breaking News