ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲଖିମ୍ପୁର ଖେରିରେ ଚାଷୀ ମୃତ୍ୟୁ ମାମଲାରେ ଚାରି ଜଣ କୃଷକଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଥିଲା । ଆଜି ୨ ଜଣ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଥିବା ଜଣାପଡ଼ିଛି । ଅଭିଯୁକ୍ତମାନେ ହେଲେ ଆଶିଷ ପାଣ୍ଡେ ଏବଂ ଲବକୁଶ । ପୋଲିସ୍ ସେମାନଙ୍କୁ ଘଟଣା ସମ୍ୱନ୍ଧରେ ପଚରାଉଚରା କରୁଛି । କୃଷକଙ୍କ ଉପରେ ଗାଡି ଚଢାଇଥିବା ଏବଂ ପୁଣି ଚାରି ଜଣଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ତଦନ୍ତ ଜାରିରହିଛି। ସୂଚନାଯୋଗ୍ୟ, ରବିବାର ଲକ୍ଷ୍ମୀପୁର ଖେରିରେ ପ୍ରଦର୍ଶନ କରୁଥିବା କୃଷକଙ୍କ ଉପରେ ଗାଡି ଚଢାଇବାର ଭିଡିଓ ସାମ୍ନାକୁ ଆସିଥିଲା। ଦାବି କରାଯାଇଥିଲା ଯେ, ଗାଡି ଟେନିଙ୍କ ପୁଅ ଆଶିଷ ମିଶ୍ର ଚଲାଉଥିଲେ। କିନ୍ତୁ ଟେନି ଏବଂ ଆଶିଷ ମିଶ୍ର ଉଭୟ ଏହି କଥାକୁ ଖଣ୍ଡନ କରିଛନ୍ତି। ଟେନି ଏହା ମଧ୍ୟ କହିଛନ୍ତି ଯେ, ତାଙ୍କ ପୁଅଙ୍କ ଘଟଣାସ୍ଥଳରେ ଉପସ୍ଥିତ ଥିବା ପ୍ରମାଣ ଯଦି କିଏ ଦେଇ ଦେବ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତୁତ। ଏପରିକି ଅଭିଯୁକ୍ତ ଆଶିଷ ମିଶ୍ରଙ୍କୁ ଘଟଣାର ତିନି ଦିନ ପରେ ମଧ୍ୟ ନିଜ ଉପରେ ହୋଇଥିବା ଏଫଆଇଆରର ସୂଚନା ନଥିଲା । ଲକ୍ଷ୍ମୀପୁର ଖେରି ହିଂସାରେ ଜଡିତ ଅଲଗା ଅଲଗା ୧୦ ଭିଡିଓ ପୂର୍ବରୁ ସାମ୍ନାକୁ ଆସି ସାରିଛି। ଏଥିରେ କୃଷକଙ୍କ ଉପରେ ଗାଡି ଚଢାଯିବାର ଭିଡିଓ, ଗାଡିରୁ ବାହାରି ଫେରାର ହେଉଥିବା ବ୍ୟକ୍ତିଙ୍କ ଭିଡିଓ ସାମିଲ୍ ରହିଛି। ଗାଡିରୁ ବାହାରି କୃଷକଙ୍କ କବଳରୁ ବଞ୍ଚି ପଳାଉଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ସୁମିତ୍। ସେ କହିଛନ୍ତି, ତାଙ୍କ ଗାଡି ଉପରେ ପଥରମାଡ ହେଉଥିଲା, ଯେଉଁ କାରଣରୁ ଗାଡି ନିୟନ୍ତ୍ରଣ ହରାଇଥିଲା ଏବଂ ଏହି ସମୟରେ ହିଁ ଦୁର୍ଘଟଣା ଘଟିଛି।
Discussion about this post