ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚଳିତ ସେପ୍ଟେମ୍ବର ୯ ଓ ୧୦ ତାରିଖ ଦୁଇଦିନ ଧରି ଦିଲ୍ଲୀରେ ଆୟୋଜିତ ହେବାକୁ ଯାଉଛି ଜି-୨୦ ଆନ୍ତର୍ଜାତିକ ସମ୍ମିଳନୀ। ଜି-୨୦ ରାଷ୍ଟ୍ରଗୋଷ୍ଠୀର ଅଧ୍ୟକ୍ଷ ଭାବେ ଭାରତ ଏହି ସମ୍ମିଳନୀର ଆୟୋଜନ କରୁଛି। ବୈଠକରେ ୨୧ ଟି ରାଷ୍ଟ୍ରର ପ୍ରମୁଖ ନେତା ଓ ପ୍ରତିନିଧିମାନେ ଯୋଗ ଦେବେ। ବୈଠକକୁ ଆସୁଥିବା ବିଶ୍ବ ନେତାଙ୍କୁ ଉତ୍ତମ ଆତିଥେୟତା ସହିତ ସେମାନଙ୍କ ସୁରକ୍ଷା ବ୍ୟବସ୍ଥା ଲାଗି ଦିଲ୍ଲୀରେ ବ୍ୟାପକ ବ୍ୟବସ୍ଥା ଚାଲିଛି। ତେବେ ଏହି ବୈଠକକୁ ନେଇ ଦିଲ୍ଲୀବାସୀ ଏକ ପ୍ରକାର ତାଲାବନ୍ଦ ସମସ୍ୟାର ସମ୍ମୁଖୀନ ହେବାକୁ ଯାଉଛନ୍ତି। ବୈଠକ ପାଇଁ ଦିଲ୍ଲୀ ସହରକୁ ସେପ୍ଟେମ୍ବର ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି। ଏହି ତିନିଦିନ ଦିଲ୍ଲୀର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ, ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଓ ବାଣିଜ୍ୟିକ ପ୍ରତିଷ୍ଠାନକୁ ଛୁଟି ଘୋଷଣା କରାଯାଇଛି। ସହରବାସୀଙ୍କ ଯିବା ଆସିବା ଉପରେ ବିଭିନ୍ନ ପ୍ରକାର କଟକଣା ଲାଗୁ କରାଯାଇଛି। ଏଥିପାଇଁ ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି। ଅନେକ ରାସ୍ତାକୁ ସାଧାରଣ ଲୋକଙ୍କ ଯିବା ଆସିବା ପାଇଁ ବନ୍ଦ କରାଯାଇଛି। ଏପରିସ୍ଥିତିରେ ଦିଲ୍ଲୀବାସୀଙ୍କୁ କ୍ଷୀର, ଖାଦ୍ୟ, ପନିପରିବା, ଔଷଧ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବା ଯୋଗାଇ ଦେବା ଲାଗି ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ସ୍ଥାନୀୟ ଅଞ୍ଚଳରେ ରେସନ, ଔଷଧ, ପନିପରିବା ଓ କ୍ଷୀର ଦୋକାନଗୁଡିକ ଅସ୍ଥାୟୀ କଟକଣା ମଧ୍ୟରେ ଖୋଲା ରଖିବାକୁ ଅନୁମତି ଦିଆଯାଇଛି। ଏହିସବୁ ଦୋକାନରୁ ଲୋକେ ନିଜର ଆବଶ୍ୟକ ଜିନିଷ କିଣିପାରିବେ। ଜି-୨୦ ବୈଠକକୁ ନେଇ ଦିଲ୍ଲୀବାସୀ ଯେଉଁ ଅସୁବିଧାର ସମ୍ମୁଖୀନ ହେବାକୁ ଯାଉଛନ୍ତି ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବରୁ କ୍ଷମା ମାଗିବା ସହିତ ସହଯୋଗ ପାଇଁ ନିବେଦନ କରିସାରିଛନ୍ତି। ଜି-୨୦ ବୈଠକ ପାଇଁ ସେପ୍ଟେମ୍ବର ୭ରେ ପୂର୍ବାଭ୍ୟାସ କରାଯିବ। ଏହି ସମୟରେ ମଧ୍ୟ ଦିଲ୍ଲୀର ଅନେକ ରାସ୍ତାକୁ ସାମୟିକ ବନ୍ଦ କରାଯିବ।






More Stories
ପଶ୍ଚିମବଙ୍ଗ,ତାମିଲନାଡୁ ସମେତ ୫ ରାଜ୍ୟର ନିର୍ବାଚନ ଫଳାଫଳ…..
ପଶ୍ଚିମବଙ୍ଗରେ ଅତିରିକ୍ତ ୧୬୫ ପର୍ଯ୍ୟବେକ୍ଷ ଓ ୭୭ ପୋଲିସ ପର୍ଯ୍ୟବେକ୍ଷ ନିଯୁକ୍ତ……
ପଶ୍ଚିମବଙ୍ଗରରେ ପୁନଃ ମତଦାନ ଆରମ୍ଭ……