ରିପୋର୍ଟ କାର୍ଡ / ଭୁବନେଶ୍ୱର
କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ଟିକାକରଣକୁ ବିଶ୍ୱବ୍ୟାପୀ ଗୁରୁତ୍ୱ ଦିଆଯାଉଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାକୁ ନେଇ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିଲା। ଏବେ ଲୋକଙ୍କ ମଧ୍ୟରେ ଦ୍ୱିତୀୟ ଡୋଜ୍ ଟିକା ନେବାକୁୁ ସେତେଟା ଆଗ୍ରହ ପ୍ରକାଶ ପାଉନାହିିଁ। ଟିକା ନେବା ପରେ ବି ଲୋକେ ସଂକ୍ରମିତ ହେଉଛନ୍ତି ଏବଂ କେତେକ କ୍ଷେତ୍ରରେ ମୃତ୍ୟୁ ଘଟୁଥିବା ଅଭିଯୋଗ ହେଉଛି। ଫଳରେ ଟିକାକୁ ନେଇ ନକାରାତ୍ମକ ଭାବନା ବଢ଼ୁଛି। ଆମେରିକା ସମେତ କେତେକ ପାଶ୍ଚାତ୍ୟ ରାଷ୍ଟ୍ରରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳୁଛି। ଏପରି କି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ସେଠାକାର ଜନସାଧାରଣଙ୍କୁ ଟିକା ନେବାକୁ ବାରମ୍ବାର ଅନୁରୋଧ କରୁଛନ୍ତି। ଭାରତ ତଥା ଓଡ଼ିଶାରେ ମଧ୍ୟ ଦ୍ୱିତୀୟ ଡୋଜ୍ ଟିକାକୁ ନେଇ ଉତ୍ସାହ ଦେଖାଯାଉନାହିଁ। ରାଜ୍ୟରେ ପ୍ରାୟ ୨୮% ଲୋକ ଏପର୍ଯ୍ୟନ୍ତ ଦ୍ୱିତୀୟ ଡୋଜ୍ ଟିକା ନେବାକୁ ଆସି ନ ଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟରେ ଟିକାକରଣକୁ ତ୍ୱରାନ୍ବିତ କରିବା ପାଇଁ ସରକାର କିଛିଦିନ ହେବ ୧୭୪ଟି କେନ୍ଦ୍ର ବୃଦ୍ଧି କରିଛନ୍ତି। ଏବେ ରାଜ୍ୟରେ ମୋଟ୍ ୧,୭୭୪ଟି କେନ୍ଦ୍ରରେ ଟିକାକରଣ ଚାଲିଛି। ଏପରିକି ଦୈନିକ ୪ଲକ୍ଷ ଡୋଜ୍ ଟିକାକରଣ ଲକ୍ଷ୍ୟ ରଖାଯାଇଥିବାବେଳେ ଗତ ୩ଦିନ ଧରି ରାଜ୍ୟରେ ୪ଲକ୍ଷ ଉପରେ ଟିକାକରଣ ହେଉଛି। ତାହା କେବଳ ପ୍ରଥମ ଡୋଜ୍ ଟିକାକରଣ ଯୋଗୁ ସମ୍ଭବ ହୋଇପାରିଛି। ଦ୍ୱିତୀୟ ଡୋଜ୍ ଟିକାକରଣରେ ସେତେଟା ତତ୍ପରତା ଦେଖିବାକୁ ମିଳୁନାହିଁ। ଦ୍ୱିତୀୟ ଡୋଜ୍ ନେବାକୁ ଥିବା ଲୋକେ ତାହା ନେବାକୁ ଭୁଲି ଯାଉଛନ୍ତି। ପୂର୍ବରୁ ରାଜ୍ୟରେ ଟିକାର ଅଭାବ ଥିଲା। କିନ୍ତୁ ଏବେ ପର୍ଯ୍ୟାପ୍ତ ପରିମାଣର ଟିକା ଥିଲେ ମଧ୍ୟ ଲୋକେ ଟିକା ନେବାକୁ ଆସୁନାହାନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ମିଳିଥିବା ସୂଚନାନୁସାରେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୩କୋଟି କୋଭିଡ୍ ଟିକାକରଣ ହୋଇସାରିଲାଣି। ଏମାନଙ୍କ ମଧ୍ୟରେ ୨ କୋଟି ୧୦ ଲକ୍ଷ ଲୋକଙ୍କୁ ପ୍ରଥମ ଡୋଜ୍ ଟିକା ଦିଆସରିଛି। କିନ୍ତୁ ଲୋକେ ଦ୍ୱିତୀୟ ଡୋଜ୍ ନେବା ପାଇଁ ଭୁଲି ଯାଉଛନ୍ତି। ଦ୍ୱିତୀୟ ଡୋଜ୍ ନେବା ପାଇଁ ୧କୋଟି ୩ଲକ୍ଷ ୭୯ହଜାର ୯୩୭ ଲୋକଙ୍କ ସମୟ ହୋଇଥିବା ବେଳେ ଟିକା ନେଇଛନ୍ତି ୭୨ପ୍ରତିଶତ। ଅର୍ଥାତ୍ ପ୍ରାୟ ୨୮,୪୬୦ହଜାରରୁ ଊର୍ଦ୍ଧ୍ୱ ଲୋକ ଦ୍ୱିତୀୟ ଡୋଜ୍ ନେଇନାହାନ୍ତି। ବିଶେଷକରି ନୂଆପଡ଼ା, ବୌଦ୍ଧ, ରାୟଗଡ଼ା, ନବରଙ୍ଗପୁର ଜିଲା ଦ୍ୱିତୀୟ ଡୋଜ୍ ଟିକାକରଣରେ ପଛରେ ଥିବା ଦେଖାଯାଇଛି।
Discussion about this post