Report Card Odisha

| Daily Odia News

କର୍ମଚାରୀ ମିଶି ଲୁଟିନେଲେ ୩୯ ଲକ୍ଷ…..

ରିପୋର୍ଟ କାର୍ଡ / ସମ୍ବଲପୁର

ସମ୍ବଲପୁର ହୋଟେଲ୍ ଶୀଲା ଟାୱାର୍‌ରୁ ଚୋରି ଘଟଣାରେ କେହି ବାହାର ଲୋକ ସମ୍ପୃକ୍ତ ନଥିଲେ | ଏହି ଘଟଣାରେ ହୋଟେଲର ଜଣେ ପୂର୍ବତନ କର୍ମଚାରୀଙ୍କ ସହ ବର୍ତ୍ତମାନ ଥିବା ୩ ଜଣ କର୍ମଚାରୀ ମିଶି ଲୁଟ କରିଥିଲେ | ଆଜି ସମ୍ବଲପୁର ଏସପି ସାମ୍ବାଦିକ ସମ୍ମିଳନୀରେ ଏବାବଦରେ ବିସ୍ତୃତ ଭାବେ ସୂଚନା ଦେଇଛନ୍ତି | ଏହି ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି | ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ରାକେଶ(ପୂର୍ବତନ କର୍ମଚାରୀ) ବର୍ତ୍ତମାନର କର୍ମଚାରୀ ମାନସ ପ୍ରଧାନ(ରୋଷେୟା), ଯୋଗେଶ୍ୱର ବେହେରା ଓ ଗୋବିନ୍ଦ ମଲ୍ଲିକ ରହିଛନ୍ତି | ଅଭିଯୁକ୍ତମାନଙ୍କୁ ପାଖରୁ ପୁଲିସ ୩୨ ଲକ୍ଷ ୧୦ ହଜାର ଟଙ୍କା, ୫ଟି ମୋବାଇଲ ଫୋନ ଜବତ କରିଛି | ଉଲ୍ଲେଖଯୋଗ୍ୟ, ଗତ ୧୫ ତାରିଖ ଦିନ ସମ୍ବଲପୁର ଭିଏସ୍‌ଏସ୍ ମାର୍ଗରେ ଥିବା ହୋଟେଲ୍ ଶୀଲା ଟାୱାର୍‌ର କ୍ୟାସ୍‌ କାଉଣ୍ଟର୍‌ରୁ ନଗଦ ୩୯ ଲକ୍ଷ ଟଙ୍କା ଚୋରି ହୋଇଥିଲା। ଏନେଇ ଅଭିଯୋଗ ହେବା ପରେ କର୍ମଚାରୀଙ୍କ ସଂପୃକ୍ତି ସନ୍ଦେହ କରି ପୁଲିସ୍ ସେହି ଦିଗରେ ତଦନ୍ତ ଆଗକୁ ବଢ଼ାଇଥିଲା। ପୂର୍ବତନ କର୍ମଚାରୀ ରାକେଶ ଉପରେ ସନ୍ଦେହ ହେବାରୁ ତାହାକୁ ପଚରାଉଚୁରା କରାଯାଇଥିଲା | ଏହାପରେ ସମ୍ବଲପୁର ପୁଲିସ୍‌ର ଏକ ଟିମ୍‌ ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଗୁଣ୍ଡିଆପାଲି ପଂଚାୟତ ଅନ୍ତର୍ଗତ ବନାକାଲ ଗାଁର ରାକେଶ ବେହେରାଙ୍କ ଘରେ ଚଢ଼ଉ କରି ଚୋରି ହୋଇଥିବା ୩୯ ଲକ୍ଷରୁ ୩୨ ଲକ୍ଷ ଟଙ୍କା ଉଦ୍ଧାର କରିଥିଲା । ଶୀଲା ଟାୱାର୍‌ରେ କାମ କରୁଥିବା ରାକେଶ ଚୋରି ଟଙ୍କାକୁ ଏକ ବସ୍ତାରେ ପୂରାଇ ନିଜ ଘର ନିକଟରେ ମାଟି ତଳେ ପୋତି ଦେଇଥିଲା। ରାକେଶଙ୍କୁ ପଚରାଉଚୁରା କରିବା ପରେ ଅନ୍ୟ ଅଭିଯୁକ୍ତଙ୍କ ବାବଦରେ ପୁଲିସ ଜାଣିପାରିଥିଲା |

Breaking News