ରିପୋର୍ଟ କାର୍ଡ / ମୁମ୍ବାଇ
ମହାରଷ୍ଟ୍ରରେ ମୌସୁମି ବର୍ଷାର ତାଣ୍ଡବ ରଚିଛି | ବର୍ଷା ଜନିତ ବନ୍ୟା, ମାଟି ଅତଡା ଧସିବା ଓ ଘର ଭାଙ୍ଗିବା ଘଟଣାରେ ବିଭିନ୍ନ ସ୍ଥାନରେ ମୋଟ ୧୩୬ଜଣଙ୍କର ମୃତ୍ୟୁ ହୋଇଛି। ଗତ ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ଏହି ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ଓ ନିଖୋଜ ଅଛନ୍ତି। କେବଳ ରାଇଗଡ ଜିଲ୍ଲାର ତିନିଟି ସ୍ଥାନରେ ମାଟି ଅତଡା ଧସି ୩୬ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁବାର ରାତିରେ ଏହି ମାଟି ଅତଡା ଧସିଥିଲା। ମାଟି ଅତଡା ମଧ୍ୟରେ ୩୦ରୁ ୩୫ଜଣ ପୋତି ହୋଇରହିଥିବାବେଳେ ସେମାନଙ୍କୁ ଉଦ୍ଧାର ନିମନ୍ତେ ଏନଡିଆରଏଫ୍ ଦଳ ପଠାଯାଇଛି। ସତାରା ଅଞ୍ଚଳରେ ମଧ୍ୟ ମାଟି ଅତଡା ଧସି ୧୨ଜଣ ଫସି ରହିଛନ୍ତି। ଉପକୂଳ ଓ ପଶ୍ଚିମ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ବର୍ଷା ବିତ୍ପାତରେ ୯ଜଣଙ୍କର ମୃତ୍ୟୁ ହୋଇଛି। ରାଇଗଡ ଓ ରତ୍ନଗିରି ଜିଲାର ଅନେକ ସହର ବନ୍ୟା ପ୍ଲାବିତ ହୋଇଛି। ପ୍ରାୟ ୨୪ଟି ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ଗୁରୁବାର ଠାରୁ ରାଜ୍ୟରେ ବନ୍ୟା ପରିସ୍ଥିତି ଦେଖାଯାଇଥିବାବେଳେ ବିଭିନ୍ନ ସ୍ଥାନରେ ଅଘଟଣ ଘଟିଛି। ବନ୍ୟା ଓ ମାଟି ଅତଡା ଧସିବା ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ନିମନ୍ତେ ଏନଡିଆରଏଫର ୧୮ଟି ବାହିନୀକୁ ମୁତୟନ କରାଯାଇଛି। ଏହାସହିତ ସେନାର ତିନି ବାହିନୀକୁ ମଧ୍ୟ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ନିୟୋଜିତ କରାଯାଇଛି। ବାୟୁସେନାର ହେଲିକପ୍ଟର ବନ୍ୟା ଘେରରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ମହାରାଷ୍ଟ୍ର ସରକାର ମୃତକଙ୍କ ପରିବାର ସଦସ୍ୟଙ୍କୁ ୫ ଲକ୍ଷ ଘୋଷଣା କରିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ମୃତକଙ୍କ ପରିବାର ସଦସ୍ୟଙ୍କୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। ବନ୍ୟା ସ୍ଥିତି ଓ ଉଦ୍ଧାର କାର୍ଯ୍ୟ ନେଇ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ଆଲୋଚନା କରିଛନ୍ତି। ଲଗାଣ ବର୍ଷା ଯୋଗୁଁ କୋଙ୍କଣ ଅଞ୍ଚଳରେ ସ୍ଥିତି ଅଣାୟତ୍ତ ହୋଇଯାଇଛି। ହଜାର ହଜାର ଲୋକ ଜଳବନ୍ଦୀ ହୋଇଯାଇଛନ୍ତି। ହେଲିକପ୍ଟର ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମହାରାଷ୍ଟ୍ରର ୬ ଜିଲ୍ଲାରେ ରେଡ୍ ଆଲର୍ଟ ଜାରି ହୋଇଛି। ଉପକୂଳ କୋଙ୍କଣର ରାୟଗଡ଼, ରତ୍ନଗିରି, ସିନ୍ଧୁଦୁର୍ଗ ଏବଂ ପଶ୍ଚିମ ମହାରାଷ୍ଟ୍ରର ପୁନେ, ସତରା ଏବଂ କୋହ୍ଲାପୁରରେ ରେଡ୍ ଆଲର୍ଟ ଜାରି ହୋଇଛି। ଉଦ୍ଧାର କାର୍ଯ୍ୟରେ ୧୮ଟି ଏନ୍ଡିଆର୍ଏଫ୍ ଟିମ୍ ମୁତୟନ ହୋଇଥିବା ବେଳେ ଅତିରିକ୍ତ ୮ଟି ଟିମ୍ ମୁତୟନ ହେବେ ବୋଲି ଏନ୍ଡିଆରଏଫ୍ ଡିଆଇଜି ମୋହସେନ ସାହିଦ କହିଛନ୍ତି। ମୁମ୍ବାଇଠାରୁ ୨୫୦ କିମି ଦୂର ରତ୍ନଗିରି ଜିଲ୍ଲା ସ୍ଥିତ ଉପକୂଳବର୍ତ୍ତୀ ସହର ଚିପଲୁନ୍ରେ ଦୁଇ ଦିନ ଧରି ଧରି ଲଗାଣ ବର୍ଷା ଚାଲିଥିବାରୁ ବଶିଷ୍ଠୀ ନଦୀରେ ଜଳସ୍ତର ବିପଦସଙ୍କେତ ଟପି ପ୍ରବାହିତ ହେଉଛି। ବନ୍ୟାଜଳ ମାଡ଼ିଯାଇ ବ୍ୟାପକ ଅଞ୍ଚଳ ଜଳବନ୍ଦୀ ହୋଇଯାଇଛି। ସହରରେ ବିଦ୍ୟୁତ୍ ଯୋଗାଣ ଏବଂ ଫୋନ୍ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଉଦ୍ଧାର କାର୍ଯ୍ୟରେ ନୌସେନା, ବାୟୁସେନା ଏବଂ ତଟରକ୍ଷୀ ବାହିନୀ ମୁତୟନ ହୋଇଛନ୍ତି। କୋହ୍ଲାପୁର ଜିଲ୍ଲାର ପ୍ରାୟ ୪୭ଟି ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। କୋହ୍ଲାପୁରରେ ୧୧ ଜଣ ବସ୍ ଯାତ୍ରୀ ବିପଦରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବସ୍ଟି କୋହ୍ଲାପୁର୍ରେ ଏକ ନଦୀରେ ଭାସିଯିବାର ମାତ୍ର କିଛି ସମୟ ପୂର୍ବରୁ ୧୧ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା। କରୋନା ମହାମାରୀ ମଧ୍ୟରେ ବର୍ଷା ବିପର୍ଯ୍ୟାୟ ମହାରାଷ୍ଟ୍ରର ସଙ୍କଟ ବଢ଼ାଇଛି।
Discussion about this post