Report Card Odisha

| Daily Odia News

ଦିଦି ଦେଲେ ବିବାଦୀୟ ବୟାନ…

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବିବାଦୀୟ ବୟାନ ଦେଇଛନ୍ତି। କେନ୍ଦ୍ରୀୟ ବାହିନୀ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ପଶ୍ଚିମବଙ୍ଗକୁ ପ୍ରବେଶ କରିବାପାଇଁ ଅନୁମତି ଦେଉଛନ୍ତି ବୋଲି ମମତା ଅଭିଯୋଗ କରିଛନ୍ତି। ବିଏସଏଫ୍‌କୁ ମମତା କହିଛନ୍ତି, ସୀମାର ସୁରକ୍ଷା କେନ୍ଦ୍ରୀୟ ବାହିନୀ ହାତରେ ରହିଛି। ସୀମାରେ ଇସ୍‌ଲାମପୁର, ସୀତାଇ, ଚୋପଡ଼ା‌ ଦେଇ ଲୋକେ ରାଜ୍ୟକୁ ପ୍ରବେଶ କରୁଛନ୍ତି। ଏହାର ବିରୋଧ କରାଯାଉନାହିଁ କାହିଁକି ବୋଲି ମମତା ପ୍ରଶ୍ନ କରିଛନ୍ତି। ମମତା କହିଛନ୍ତି, ପଶ୍ଚିମବଙ୍ଗକୁ ଅସ୍ଥିର କରିବାପାଇଁ ଏହା କେନ୍ଦ୍ରର ବ୍ଲୁପ୍ରିଣ୍ଟ୍‌। ଲୋକମାନେ ଆସୁଛନ୍ତି ଏବଂ ଏଠାରେ ହତ୍ୟା ଭଳି ଅପରାଧ ଘଟାଇ ପୁଣି ସୀମା ଦେଇ ଫେରି ଯାଉଛନ୍ତି। କେନ୍ଦ୍ର ସରକାରଙ୍କ ଯୋଜନା ବିନା ଏହା ହୋଇପାରିବନି। ମମତା କହିଛନ୍ତି, କେନ୍ଦ୍ର ସରକାରଙ୍କୁ ମୁଁ ପୁଣିଥରେ କହୁଛି ଯେ ଯାହା ବି କେନ୍ଦ୍ର ସରକାର କରିବେ ଆମେ ରାଜି କିନ୍ତୁ ଯଦି କେହି ମୋ ରାଜ୍ୟକୁ ପ୍ରଭାବିତ କରିବାପାଇଁ ଆତଙ୍କବାଦୀଙ୍କ ସାହାଯ୍ୟ ନେବ ତେବେ ମୁଁ ଏହାର ବିରୋଧ କରିବି। ରାଜ୍ୟର ଶୀର୍ଷ ଅଧିକାରୀମାନଙ୍କ ସହ ଏକ ପ୍ରଶାସନିକ ‌ବୈଠକରେ ବାନାର୍ଜୀ ଏହି ଟିପ୍ପଣୀ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନିକଟରେ କହିଥିଲେ ଯେ ବାଂଲାଦେଶରୁ ଅନୁପ୍ରବେଶ ପଶ୍ଚିମବଙ୍ଗ‌ରେ ଶାନ୍ତି ନଷ୍ଟ କରୁଛି। କିନ୍ତୁ ମମତା କହିଛନ୍ତି ବିଏସ୍‌ଏଫ୍‌ ହିଁ ବିଭିନ୍ନ ଅଞ୍ଚଳରୁ ପଶ୍ଚିମବଙ୍ଗକୁ ଅନୁପ୍ରବେଶ ପାଇଁ ରାସ୍ତା ସଫା ‌କରିଦେଉଛି।

Breaking News