Report Card Odisha

| Daily Odia News

ମୁଖ୍ୟମନ୍ତ୍ରୀ ପଦ ହରାଇଲେ ମମତା…..

ରିପୋର୍ଟ କାର୍ଡ / କଲକାତା

ପଶ୍ଚିମବଙ୍ଗ ରାଜ୍ୟପାଳ ଆରଏନ୍ ରବି ଗୁରୁବାର ରାଜ୍ୟ ବିଧାନସଭା ଭଙ୍ଗ କରିଛନ୍ତି। ଏହାଦ୍ବାରା ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (ଟିଏମସି) ସରକାରର ଅନ୍ତ ହେବା ସହିତ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ପଦ ହରାଇଛନ୍ତି। ବିଧାନସଭା ନିର୍ବାଚନରେ ଦଳର ପରାଜୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ମମତା ବାନାର୍ଜୀ ଇସ୍ତଫା ଦେବାକୁ ମନା କରିଥିଲେ। ଫଳରେ ରାଜ୍ୟପାଳ ଏପରି ପଦକ୍ଷେପ ନେଇଛନ୍ତି। ସମ୍ବିଧାନର ଧାରା ୧୭୪(୨)(ଖ) ଅନୁଯାୟୀ ରାଜ୍ୟପାଳ ତାଙ୍କ କ୍ଷମତାର ଉପଯୋଗ ପୂର୍ବକ ବିଧାନସଭାକୁ ଭଙ୍ଗ କରିଛନ୍ତି। ବିଧାନସଭା ଭଙ୍ଗ ସମ୍ପର୍କରେ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପଶ୍ଚିମବଙ୍ଗ ବିଧାନସଭାର କାର୍ଯ୍ୟକାଳ ବୁଧବାର ଶେଷ ହୋଇଥିଲା। ଏବେ ବିଧାନସଭା ଭଙ୍ଗ ସହିତ ନୂଆ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହେବ। ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବା ପର୍ଯ୍ୟନ୍ତ ରାଜ୍ୟପାଳ ରାଜ୍ୟ ଶାସନ ଦାୟିତ୍ବ ନିର୍ବାହ କରିବେ।ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସି ଶୋଚନୀୟ ପରାଜୟ ବରଣ କରିବା ସହିତ ବିଜେପି ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଟିଏମସିର ପରାଜୟକୁ ମମତା ବାନାର୍ଜୀ ଗ୍ରହଣ କରିପାରି ନାହାନ୍ତି। ସେ ଅଭିଯୋଗ କରିଛନ୍ତି ଯେ ବିଜେପି ଜାଲିଆତି କରି ନିର୍ବାଚନରେ ବିଜୟ ହୋଇଛି। ଏପରି କି ବିଜେପି ୧୦୦ ଆସନ ଲୁଟ୍ କରିଥିବା ସେ କହିଛନ୍ତି। ସୋମବାର ପ୍ରକାଶିତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳ ଅନୁଯାୟୀ ବିଜେପି ୨୦୮ଟି ଆସନରେ ବିଜୟୀ ହୋଇଥିବାବେଳେ ଟିଏମସି ୮୦ଟି ଆସନରେ ବିଜୟୀ ହୋଇଛି। ତୃଣମୂଳ କଂଗ୍ରେସର ପରାଜୟ ପରେ କଲିକତାର କାଳୀଘାଟ ଅଞ୍ଚଳରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ସାଂସଦ ଅଭିଷେକ ବାନାର୍ଜୀଙ୍କ ବାସଭବନ ଚାରିପାଖରୁ ସୁରକ୍ଷା ବ୍ୟବସ୍ଥା ହଟାଯାଇଛି। ମମତା ଓ ଅଭିଷେକଙ୍କ ବାସଭବନ ପାଖରେ ଥିବା ବ୍ୟାରିକେଡ୍, ପୋଲିସ କିଓସ୍କ, ସ୍କାନର୍ ମେସିନ୍ ଏବଂ ସର୍ଭେଲାନ୍ସ ସିଷ୍ଟମଗୁଡ଼ିକୁ ହଟାଇ ଦିଆଯାଇଛି। ହରିଶ ମୁଖାର୍ଜୀ ରୋଡ୍‌ରେ ଥିବା ଅଭିଷେକଙ୍କ ବାସଭବନ ‘ଶାନ୍ତିନିକେତନ’ ବାହାରେ ଥିବା ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥାକୁ ହଟାଇ ଦିଆଯାଇଛି। ଗତ ଦଶନ୍ଧି ଧରି ଏହି ସ୍ଥାନଟି ରାଜ୍ୟର ସବୁଠାରୁ କଡ଼ା ସୁରକ୍ଷିତ ଅଞ୍ଚଳ ଥିଲା। ତେବେ ଅଧିକାରୀଙ୍କ କହିବା ଅନୁସାରେ, ଉଭୟ ନେତାଙ୍କୁ ଏବେ ମଧ୍ୟ ଜେଡ୍ ପ୍ଲସ୍‌ ସୁରକ୍ଷା ମିଳୁଛି। କେବଳ ବାସଭବନ ଆଖପାଖରେ ଥିବା ଅତିରିକ୍ତ ସୁରକ୍ଷା ଭିତ୍ତିଭୂମିକୁ ହଟାଯାଇଛି। ଦୀର୍ଘ ବର୍ଷ ଧରି କଟକଣା ଭିତରେ ରହୁଥିବା ସ୍ଥାନୀୟ ବାସିନ୍ଦାମାନେ ଏହାକୁ ନେଇ ମିଶ୍ରିତ ପ୍ରତିକ୍ରିୟା ଦେଇଛନ୍ତି। କିଛି ଲୋକ କଟକଣା ହଟିଥିବାରୁ ଆଶ୍ବସ୍ତି ପ୍ରକାଶ କରିଥିବା ବେଳେ ଅନ୍ୟ କେତେକ ଏହାକୁ ନେଇ ଅସୁରକ୍ଷିତ ମଣୁଛନ୍ତି।

Breaking News