ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇଣ୍ଡୋନେସିଆର ବେଣ୍ଟେନ୍ ପ୍ରଦେଶ ଅନ୍ତର୍ଗତ ଅତ୍ୟଧିକ କଏଦୀପୂର୍ଣ୍ଣ ଗୋଟାଏ ଜେଲ୍ ବ୍ଲକ୍ରେ ନିଆଁ ଲାଗିଯିବାରୁ ଅନ୍ୟୂନ ୪୦ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି | ଏନେଇ ସରକାରୀ ମୁଖପାତ୍ରୀ ଏବଂ ଗଣମାଧ୍ୟମ ରିପୋର୍ଟରୁ ସୂଚନା ମିଳିଛି । ମଙ୍ଗଳବାର ରାତି ୧ଟାରୁ ୨ଟା ମଧ୍ୟରେ ‘ତାଙ୍ଗେରାଙ୍ଗ୍ ପ୍ରିଜନ୍ ବ୍ଲକ୍ ସି’ରେ ଲାଗିଥିବା ନିଆଁକୁ ଲିଭାଇ ଦିଆଯାଇଛି ଏବଂ ସରକାରୀ କର୍ତ୍ତୃପକ୍ଷମାନେ ଏବେ ମଧ୍ୟ ସେଠାରୁ କଏଦୀସ୍ଥାନାନ୍ତରଣ ପ୍ରକ୍ରିୟା ଚଳାଇଥିବା କଥା ଆଇନ ଓ ମାନବ ଅଧିକାର ମନ୍ତ୍ରାଳୟ ଅଧୀନସ୍ଥ ଜେଲ୍ ବିଭାଗର ମୁଖପାତ୍ରୀ ରିକା ଆପ୍ରିଆନ୍ତି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଅଗ୍ନିକାଣ୍ଡର କାରଣ ଜାଣିବାକୁ ଉଦ୍ୟମ ଚାଲିଛି। ମାଦକଦ୍ରବ୍ୟ କାରବାର ଅପରାଧରେ ଜଡ଼ିତ ଥାଇ ଧରାପଡ଼ିଥିବା ବ୍ୟକ୍ତିମାନଙ୍କୁ ୧୨୨ଜଣ ରହିବା ସାମର୍ଥ୍ୟ ଥିବା ଉକ୍ତ ବ୍ଲକ୍ରେ ରଖାଯାଇଥିଲା। କିନ୍ତୁ, ଅଗ୍ନିକାଣ୍ଡ ଘଟିବା ବେଳେ ସେଥିରେ କେତେ ଜଣ ଥିଲେ, ତାହା ସେ କହି ନ ଥିଲେ ମଧ୍ୟ ଜେଲ୍ରେ ମାତ୍ରାଧିକ କଏଦୀ ଥିବା କଥା ସେ ସୁନିଶ୍ଚିତ କରି କହିଛନ୍ତି। ସେପ୍ଟେମ୍ବର ମାସରେ ସରକାର ଜାରି କରିଥିବା ତଥ୍ୟାବଳି ଅନୁସାରେ, ଜାକର୍ତା ନିକଟସ୍ଥ ଶିଳ୍ପ ଏବଂ ଉତ୍ପାଦନର ‘ହବ୍’ ବା ‘ନାଭିଚକ୍ର’ ତାଙ୍ଗେରାଙ୍ଗ୍ରେ ଥିବା ଉକ୍ତ ଜେଲ୍ରେ ୬୦୦ କଏଦୀ ରହିବା ଭଳି ବ୍ୟବସ୍ଥା ଥିଲେ ମଧ୍ୟ ସେଥିରେ ୨ ହଜାରରୁ ଅଧିକ କଏଦୀଙ୍କୁ ରଖାଯାଇଥିଲା। ଜେଲ୍ଖାନା ଉପରକୁ ଉଠୁଥିବା ଅଗ୍ନିଶିଖା ସବୁକୁ ଲିଭାଇବା ଲାଗି ଅଗ୍ନିଶମ କର୍ମଚାରୀମାନେ ଉଦ୍ୟମ କରୁଥିବା ଦୃଶ୍ୟ ‘କୋମ୍ପାସ୍ ଟିଭି’ ପ୍ରଦର୍ଶନ କରିଥିଲା। ଏହି ଅଗ୍ନିକାଣ୍ଡରେ ୪୧ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଓ ୮ଜଣ ଆହତ ହୋଇଛନ୍ତି ବୋଲି ‘ଟିଭି’ ରିପୋର୍ଟ କରିଛି। ପୋଲିସ କହିବା ଅନୁସାରେ, ଆହୁରି ୭୩ଜଣ କଏଦୀ ସାମାନ୍ୟ ଆହତ ହୋଇଛନ୍ତି। ‘ମେଟ୍ରୋ ଟିଭି’କୁ ପୁଲିସ ମୁଖପାତ୍ର ୟୁସ୍ରି ୟୁନୁସ୍ କହିଛନ୍ତି, ‘ଇଲେକ୍ଟ୍ରିକ୍ ସର୍ଟ ସର୍କିଟ୍ ହେତୁ ନିଆଁ ଲାଗିଥିବା ସନ୍ଦେହ ହେଉଛି।
More Stories
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……
ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ,ହନୁମାନ ଙ୍କୁ ପୂଜାର୍ଚ୍ଚନା କଲେ କେଜ୍ରିୱାଲ୍……
ଭିଜିଲାନ୍ସ ଜାଲରେ ଏଏସଆଇ……