Report Card Odisha

| Daily Odia News

ଓଡ଼ିଶାରେ ପାୱାର ପ୍ଲାଣ୍ଟ୍‌ ବସାଇବ ଏମ୍‌ସିଏଲ୍‌…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ / ଭୁବନେଶ୍ୱର 

ମହାନଦୀ କୋଲଫିଲ୍ଡ ଲିମିଟେଡ୍‌ ଓଡ଼ିଶାରେ ଏକ ୧୬୦୦ ମେଗାୱାଟ୍‌ କ୍ଷମତାର ନୂଆ ପାୱାର ପ୍ଲାଣ୍ଟ୍‌ ସ୍ଥାପନ କରିବ। ସେଥିରେ କଂପାନି ପ୍ରାୟ ୧୨ ହଜାର କୋଟି ଟଙ୍କା ନିବେଶ କରିବ। ଏ ସମ୍ପର୍କରେ କଂପାନିର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ଓ ପି ସିଂହ ସୂଚନା ଦେଇଛନ୍ତି। ଏହି ପାୱାର ପ୍ଲାଣ୍ଟ୍‌ରେ କୋଇଲାକୁ ଜାଳେଣି ଭାବେ ବ୍ୟବହାର କରାଯିବ। ବର୍ତ୍ତମାନ କେବଳ କୋଇଲାକୁ ନେଇ କାରବାର କରୁଥିବା ଏମ୍‌ସିଏଲ୍‌ ନିଜ ବ୍ୟବସାୟରେ ବିବିଧତା ଆଣିବାକୁ ଯୋଜନା ରଖିଛି। ଏହି ଯୋଜନାର ଅଂଶ ସ୍ବରୂପ କଂପାନି ଏକ ପାୱାର ପ୍ଲାଣ୍ଟ୍‌ ସ୍ଥାପନ କରିବାକୁ ଚାହୁଛି। ଶ୍ରୀ ସିଂହ କହିଛନ୍ତି ଯେ ଆମେ ବିଦ୍ୟୁତ ଉତ୍ପାଦନ କରିବାକୁ ଚାହୁଛୁ। ସେଥିପାଇଁ ପାୱାର ପ୍ଲାଣ୍ଟ୍‌ ସ୍ଥାପନ କରିବୁ। ବିଦ୍ୟୁତ କିଣାକୁ ନେଇ ବୁଝାମଣା କରିବାକୁ କିଛି ରାଜ୍ୟ ସହ ଆଲୋଚନା ଜାରି ରହିଛି। ପାୱାର ପ୍ଲାଣ୍ଟ୍‌ର ଜାଳେଣି ଆବଶ୍ୟକତା ପୂରଣ କରିବା ଲାଗି କୋଇଲା ଲିଙ୍କେଜ୍ ପାଇଁ କଂପାନି ଆବେଦନ କରିଛି। ହେଲେ ବର୍ତ୍ତମାନ ସୁଦ୍ଧା କୋଇଲା ଆବଣ୍ଟନ ହୋଇନାହିଁ। ଶ୍ରୀ ସିଂହ ଆହୁରି କହିଛନ୍ତି ଯେ ବ୍ୟବସାୟରେ ବିବିଧତା ଆଣିବା ଲାଗି ସରକାର ଆମକୁ କହୁଛନ୍ତି। ଏହାର ଅର୍ଥ ହେଉଛି ଆମ ସହିତ ସରକାର ଅଛନ୍ତି। ଆମେ ଆଲୁମିନିୟମ ବ୍ୟବସାୟରେ ମଧ୍ୟ ପ୍ରବେଶ କରିବାକୁ ଯାଉଛୁ। ଆମକୁ ସେଥିପାଇଁ ବକ୍ସାଇଟ୍‌ ଆବଣ୍ଟନ କରାଯିବ। ଖଣିର କ୍ଷମତା ବାର୍ଷିକ ୩ ନିୟୁତ ଟନ୍ ପାଖାପାଖି ରହିବ ବୋଲି ସେ କହିଛନ୍ତି। ଚଳିତ ଆର୍ଥିକ ବର୍ଷ (୨୦୨୨-୨୩)ରେ ଏମ୍‌ସିଏଲ୍‌ ୧୭୬ ନିୟୁତ ଟନ୍ କୋଇଲା ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି। କିନ୍ତୁ ଆସନ୍ତା ମାର୍ଚ୍ଚ ୩୧ରେ ଆର୍ଥିକ ବର୍ଷ ଶେଷ ହେବା ବେଳକୁ ଉତ୍ପାଦନ ୧୯୦ ନିୟୁତ ଟନ୍ ଅତିକ୍ରମ କରିଯିବ ବୋଲି ଆଶା କରାଯାଉଛି। ୨୦୨୧-୨୨ରେ କଂପାନି ୧୬୮ ନିୟୁତ ଟନ୍ କୋଇଲା ଉତ୍ପାଦନ କରିଥିଲା ଏବଂ ୧୭୬.୧୭ ନିୟୁତ ଟନ୍‌ କୋଇଲା ଡେସ୍‌ପ୍ୟାଚ୍‌ କରିଥିଲା।

Breaking News