Report Card Odisha

| Daily Odia News

ଫ୍ଲାଇଂ ଶିଖ୍ ମିଲଖା ସିଂହଙ୍କ ଦେହାନ୍ତ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଉ ନାହାଁନ୍ତି ଫ୍ଲାଇଂ ଶିଖ୍ ଭାବେ ପରିଚିତ ତଥା କିମ୍ୱଦନ୍ତି ଧାବକ ମିଲଖା ସିଂହ । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ଶୁକ୍ରବାର ବିଳମ୍ୱିତ ରାତିରେ ଚଣ୍ଡିଗଡ଼ର ପିଜିଆଇରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ମିଲଖା । ଗତ ପାଞ୍ଚ ଦିନ ତଳେ ପତ୍ନୀ ନିର୍ମଲଙ୍କୁ ତାଙ୍କୁ ଛାଡି ଚାଲିଯାଇଥିଲେ । ଆଉ ଏବେ ଜୀବନ ଯୁଦ୍ଧରେ ଲଢି ଲଢି ସବୁଦିନ ଆଖିବୁଜିଛନ୍ତି ମିଲଖା । ତାଙ୍କ ବିୟୋଗରେ ସମ୍ପୂର୍ଣ୍ଣ କ୍ରୀଡ଼ା ଜଗତ ସ୍ତବ୍ଧ ହୋଇଯାଇଛି । ଗତମାସରେ ମିଲଖା କରୋନାରେ ସଂକ୍ରମିତ ହୋଇଥିଲେ । ପିଜିଆଇଏମ୍‌ଆର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଏହି ଧାବକଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ସୁଧାର ଆସୁଥିଲା । ହେଲେ ଶୁକ୍ରବାର ତାଙ୍କ ସ୍ୱାସ୍ଥ୍ୟ ପୁଣି ବିଗିଡିଯାଇଥିଲା । ତାଙ୍କ ଶରୀରରେ ଜ୍ୱର ବଢ଼ିବା ସହ ଅକ୍ସିଜେନ୍‌ ସ୍ତର ମଧ୍ୟ କମିବାରେ ଲାଗିଥିଲା । ଫଳରେ ତାଙ୍କୁ ପୁଣି ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତରମାନଙ୍କ ସମସ୍ତ ଉଦ୍ୟମ ବିଫଳ ହୋଇଥିଲା । ଶେଷରେ ସବୁଦିନ ପାଇଁ ଦୁନିଆକୁ ଅଲବିଦା କହିଥିଲେ । ମିଲଖା ସିଂହଙ୍କ ପରଲୋକରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେ କହିଛନ୍ତି ମୁଁ ଏଇ ଖବର ଶୁଣିବା ପରେ ଅତ୍ୟନ୍ତ ମର୍ମାହିତ । ମିଲଖା ସିଂହଙ୍କ ଜୀବନି, ସଂଘର୍ଷ ଏବଂ ଚରିତ୍ର ଯୁବପୀଢୀ ତଥା ଅନ୍ୟାମାନଙ୍କ ପାଇଁ ପ୍ରେରଣା ପାଲଟିବ । ଆହୁରି ମଧ୍ୟ ରାଷ୍ଟ୍ରପତି ଜଣାଇଛନ୍ତି ଯ, ଶୋକସନ୍ତପ୍ତ ପରିବାରକୁ ମୁଁ ଗଭୀର ସମବେଦନା ଜଣାଉଛି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମିଲଖା ମୃତ୍ୟୁକୁ ନେଇ ଶୋକ ଜଣାଇଛନ୍ତି । ମୋଦି କହିଛନ୍ତି ଆମେ ଏକ ମହାନ୍ ଖେଳାଳୀଙ୍କୁ ହରାଇଲୁ । ଭାରତୀୟ ଦଳରେ ମିଲଖା ସିଂହଙ୍କ ସ୍ଥାନ ସ୍ୱତନ୍ତ୍ର । ସେ ଆହୁରି କହିଛନ୍ତି ଯେ, ମିଲଖାଙ୍କ ବ୍ୟକ୍ତିତ୍ୱ ଅନ୍ୟମାନଙ୍କ ପ୍ରେରଣା । ମୁଁ ତାଙ୍କ ମୃତ୍ୟୁରେ ଗଭୀର ମର୍ମାହତ ।

 

Breaking News