Report Card Odisha

| Daily Odia News

ୟୁକ୍ରେନ୍‌ରେ କ୍ଷେପଣାସ୍ତ୍ର ମାଡ଼, ୧୨ ମୃତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରୁଷ୍‌ ଏବଂ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଜାରିରହିଛି | ରୁଷ୍‌ ଏବେ କେନ୍ଦ୍ରୀୟ ୟୁକ୍ରେନ୍‌ରେ ଆକ୍ରମଣ ଜୋରଦାର କରିଛି। ପୂର୍ବ ୟୁକ୍ରେନ୍‌ ସହ କେନ୍ଦ୍ରୀୟ ୟୁକ୍ରେନ୍‌ର ନିପ୍ରୋ ସହରର ଏକ ସାମରିକ ପ୍ରତିଷ୍ଠାନ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ଯୋଗୁଁ ୧୨ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୩୦ରୁ ଅଧିକ ଆହତ ହୋଇଛନ୍ତି। ଏହା ସହିତ ଅନେକ କୋଠା ଛାରଖାର ହୋଇଯାଇଛି। ଖାରକିଭ୍‌ରେ ରୁଷ୍‌ର ଗୋଳାବର୍ଷା ଯୋଗୁଁ ଗୁରୁବାର ଦିନ ଏକ ୫ ବର୍ଷର ଶିଶୁ ସମେତ ମୋଟ୍‌ ୯ ଜଣଙ୍କ ମୃତ୍ୟୁ ହୋଇଛି। ଲୁହାଂସ୍କରେ ଜୋରଦାର ଲଢ଼େଇ ଜାରି ରହିଛି। ସେଭେରୋଡୋନେସ୍କ ସହର ସାମରିକ ପ୍ରଶାସନ ମୁଖ୍ୟ ଓଲେକଜାଣ୍ଟର ଷ୍ଟ୍ରିଉକ୍‌ ଟେଲିଭିଜନ୍‌ରେ ଏକ ବିବୃତି ଜ‌ାରି କରି କହିଛନ୍ତି, ଲୁହାନସ୍କରେ ଜୋରଦାର ଲଢ଼େଇ ଜାରି ରହିଛି। ନିରୀହ ଲୋକଙ୍କ ଉପରେ ଆକ୍ରମଣ କରି ରୁଷ୍‌ ଆତଙ୍କ ସୃଷ୍ଟି କରୁଛି ଏବଂ ଲୋକଙ୍କୁ ସହର ଛାଡ଼ି ପଳାଇଯିବାକୁ ବାଧ୍ୟ କରୁଛି। ପୂର୍ବ ୟୁକ୍ରେନ୍‌ରେ ରୁଷ୍‌ ଯାହା କରୁଛି ତାହା ନରସଂହାରର ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କି କହିଛନ୍ତି। ପୂର୍ବ ୟୁକ୍ରେନ୍‌ର ଅଧିକାଂଶ ଅଞ୍ଚଳରୁ ଲୋକମାନଙ୍କୁ ବଳପୂର୍ବକ ‌ସେମାନଙ୍କ ଘରୁ ଉଠାଇ ନେଇ ହଜାରେ କିମି ଦୂରରେ ଛାଡ଼ି ଦିଆଯାଉଛି। କିଛି ୟୁକ୍ରେନ୍‌ ନାଗରିକ ମଧ୍ୟ ରୁଷ୍‌ ଆକ୍ରମଣରୁ ବଞ୍ଚିବାପାଇଁ ରୁଷ୍‌ ସେନା ଦ୍ବାରା ସ୍ଥାପିତ ଶିବିରରେ ରହୁଛନ୍ତି। ଇତିମଧ୍ୟରେ ଚେଚନ୍ୟା ମୁଖ୍ୟ ତଥା ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ଘନିଷ୍ଠ ସହଯୋଗ ରମଜାନ କାଦିରୋଭ୍‌ ଆଜି ପୋଲାଣ୍ଡ୍‌କୁ ଧମକ ଦେଇଛନ୍ତି। ଖୁବ୍‌ଶୀଘ୍ର ପୋଲାଣ୍ଡ୍‌ରେ ପ୍ରଚଣ୍ଡ ଆକ୍ରମଣ ହେବ ବୋଲି ଆଜି କାଦିରୋଭ୍‌ ଗଣମାଧ୍ୟମକୁ କହିଛନ୍ତି। ପୋଲାଣ୍ଡ୍‌ରେ ନାଟୋର ସାମରିକ ପ୍ରତିଷ୍ଠାନକୁ ଆମେ ୬ ସେକେଣ୍ଡ୍‌ରେ ଧ୍ବଂସ କରିଦେବୁ ବୋଲି କାଦିରୋଭ୍‌ କହିଛନ୍ତି।

Breaking News