Report Card Odisha

| Daily Odia News

ରକ୍ତହୀନତା ଦୂର ପାଇଁ ଆରମ୍ଭ ‘ଅମ୍ଳାନ’କାର୍ଯ୍ୟକ୍ରମ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ରାଜ୍ୟରେ ରକ୍ତହୀନତା ଦୂର କରିବା ତଥା ଏନିମିଆ ମୁକ୍ତ ଲକ୍ଷ୍ୟ ଅଭିଯାନ ପାଇଁ ‘ଅମ୍ଳାନ’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟର ୫୫ହଜାର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ, ୭୪ହଜାର ଅଙ୍ଗନବାଡ଼ି କେନ୍ଦ୍ରରେ ଏହା କାର୍ଯ୍ୟକାରୀ ହେବ। ଆଭାସୀ ଜରିଆରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ‘ଅମ୍ଳାନ’ ହେଉଛି ରାଜ୍ୟ ସରକାରଙ୍କ ନିଜସ୍ବ କାର୍ଯ୍ୟକ୍ରମ। ମହିଳା ଓ ଶିଶୁମାନଙ୍କଠାରେ ରକ୍ତହୀନତା ଦୂର କରିବା ଦିଗରେ ଏହା ସହାୟକ ହେବ। ଗର୍ଭବତୀ ମହିଳା, ସ୍ତନ୍ୟପାନ କରୁଥିବା ମା’, ପ୍ରଜନନକ୍ଷମ ମହିଳା ଓ ଶିଶୁମାନଙ୍କୁ ମିଶାଇ ରାଜ୍ୟର ୧.୩୭ କୋଟି ଲୋକ ଏଥିରେ ଉପକୃତ ହେବେ। ଏହି କାର୍ଯ୍ୟକ୍ରମ ଜରିଆରେ ଆଇରନ୍‌, ଫଲିକ୍ ଏସିଡ୍‌ ସପ୍ଲିମେଣ୍ଟ୍‌, ହିମୋଗ୍ଲୋବିନ୍ ପରୀକ୍ଷା, ରକ୍ତହୀନତାର ଚିକିତ୍ସା, ସେବା ପ୍ରଦାନକାରୀଙ୍କ ଦକ୍ଷତା ବିକାଶ ଓ ସାମାଜିକ ଆଚରଣରେ ପରିବର୍ତ୍ତନ ଆଣିବା ହିଁ ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏହି କାର୍ଯ୍ୟକ୍ରମ ସ୍ବାସ୍ଥ୍ୟ, ବିଦ୍ୟାଳୟ ଓ ଗଣଶିକ୍ଷା, ମହିଳା ଓ ଶିଶୁ ବିକାଶ, ମିସନ ଶକ୍ତି ଓ ଏସ୍‌ସି ଓ ଏସ୍‌ଟି ବିଭାଗ ଦ୍ବାରା ପରିଚାଳିତ ହେବ। କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସଂପୃକ୍ତ ବିଭାଗ ଓ କ୍ଷେତ୍ରସ୍ତରରେ ସେବା ପ୍ରଦାନକାରୀଙ୍କୁ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ‘ଅମ୍ଳାନ’ର ନିର୍ଦେଶାବଳୀକୁ ଉନ୍ମୋଚନ କରିଥିଲେ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ, ସବୁ ବିଭାଗର ସମନ୍ବିତ ପ୍ରୟାସରେ ଏହି କାର୍ଯ୍ୟକ୍ରମ ନିଶ୍ଚିତ ଭାବେ ସଫଳ ହେବ। ୫-ଟି ସଚିବ ଭି.କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରାରମ୍ଭରେ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ସ୍ବାଗତ ଭାଷଣ ଦେଇଥିଲେ ଓ ପରିବାର କଲ୍ୟାଣ ନିର୍ଦେଶକ ଡା.ବିଜୟ ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ସବୁ ବିଭାଗର ପ୍ରମୁଖ ସଚିବ ଓ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ।

Breaking News