Report Card Odisha

| Daily Odia News

ଉତ୍ତରାଖଣ୍ଡ ହିମସ୍ଖଳନ ଘଟଣାରେ ମୃତ୍ୟୁ ସଂଖ୍ୟା ୬୭କୁ ବୃଦ୍ଧି

ଉତ୍ତରାଖଣ୍ଡ ଚମୋଲିରେ ବିଶାଳ ହିମସ୍ଖଳ ଧସିବା ଘଟଣା । ତପୋବନ ଜଳଭଣ୍ଡାରର ଭଗ୍ନାବଶେଷ ମଧ୍ୟରୁ ଆଉ ୫ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଉତ୍ତରାଖଣ୍ଡ ପୋଲିସ ମହାନିର୍ଦେଶକ ଅଶୋକ କୁମାର ସୂଚନା ଦେଇଛନ୍ତି । ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୬୭କୁ ବୃଦ୍ଧି । ଚମୋଲିରେ ପ୍ରବାହିତ ଧଉଳିଗଙ୍ଗା ନଦୀର ଜଳପତ୍ତନ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏହାର ଗଭୀରତା ଏବଂ ଜଳସ୍ତର ମାପିବା ଲାଗି ମାପଦଣ୍ଡ ବସାଇବା ପାଇଁ ଏନ୍‌ଡିଆର୍‌ଏଫ୍‌ କର୍ମଚାରୀମାନେ ପର୍ବତର ପାଦଦେଶ ଆଡ଼କୁ ଯାତ୍ରା କରିଛନ୍ତି । ଚମୋଲିର ଉଚ୍ଚଭାଗରେ ସୃଷ୍ଟି ହୋଇଥିବା ହ୍ରଦର ପୁଙ୍ଖାନୁପୁଙ୍ଖ ସର୍ବେକ୍ଷଣ ପରେ ଆଇଟିବିପି ଏବଂ ଡିଆର୍‌ଡିଓ ଟିମ୍‌ ଯୋଶୀମଠକୁ ଫେରି ଆସିଛନ୍ତି । ତେବେ ସୁଡ଼ଙ୍ଗ ମଧ୍ୟରେ ବିପୁଳ ପରିମାଣର ଭଙ୍ଗାରୁଜା ଅଂଶ ଏବଂ କାଦୁଅ ଜମି ଯାଇଥିବାରୁ ଉଦ୍ଧାର କାର୍ଯ୍ୟ ଦୀର୍ଘ ଦିନ ଧରି ଚାଲିବ । ସେପଟେ ଜରୁରୀ ପରିସ୍ଥିତିର ସତର୍କ ସୂଚନା ପାଇଁ ରେନି ଗାଁରେ ଏକ ଓ୍ଵାଟର୍‌ ସେନ୍‌ସର୍‌ ଓ୍ଵାର୍ଣ୍ଣିଂ ସିଷ୍ଟମ୍‌ ଲଗାଯାଇଛି । ଫେବ୍ରୁଆରି ୭ ତାରିଖ ଦିନ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ତପୋବନ-ରେନି ଅଞ୍ଚଳରେ ପ୍ରକାଣ୍ଡ ବରଫଖଣ୍ଡ ଧସି ପଡ଼ିବାରୁ ଧଉଳିଗଙ୍ଗା ଏବଂ ଅଳକାନନ୍ଦା ନଦୀରେ ପ୍ରଳୟଙ୍କରୀ ବନ୍ୟା ଆସି ଘରଦ୍ୱାର ସବୁ ନଷ୍ଟ କରିବା ସହ ନିକଟବର୍ତ୍ତୀ ଋଷିଗଙ୍ଗା ଜଳବିଦ୍ୟୁତ୍‌ ପ୍ରକଳ୍ପକୁ ମଧ୍ୟ ନଷ୍ଟ କରିଦେଇଥିଲା ।

Breaking News