Report Card Odisha

| Daily Odia News

ପଞ୍ଚାୟତ ନିର୍ବାଚନ ପରେ ପୌର ନିର୍ବାଚନ….

ରିପୋର୍ଟ କାର୍ଡ / ଭୁବନେଶ୍ବର

ପଞ୍ଚାୟତ ନିର୍ବାଚନ ପରେ ହେବ ପୌର ନିର୍ବାଚନ | ସେଥି ପାଇଁ ମଧ୍ୟ ପ୍ରସ୍ତୁତି ଜୋରଦାର ଚାଲିଛି | ଫେବ୍ରୁଆରି ୨୮ ସୁଦ୍ଧା ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ସରିବ। ଏହା ପରେ ପରେ ରାଜ୍ୟରେ ପୌର ନିର୍ବାଚନ ହୋଇପାରେ | ଏପ୍ରିଲ ମାସରେ ପୌର ନିର୍ବାଚନ କରିବାକୁ ରାଜ୍ୟ ସରକାର ଓ ରାଜ୍ୟ ନିର୍ବାଚନ କମିସନର ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ଚଳିତ ମାସରେ ପୌରାଞ୍ଚଳରେ ଭୋଟର ତାଲିକା ସଂଶୋଧନ ନେଇ ବିଜ୍ଞପ୍ତି ପ୍ରକାଶ ହୋଇପାରେ । ଏବେ ସବୁ ପୌରାଞ୍ଚଳରେ ବୁଥ୍ ଚୟନ ପ୍ରକ୍ରିୟା ଚାଲିଥିବା ବେଳେ ଏହାର ତାଲିକା ଦିନେ ଦୁଇ ଭିତରେ ରାଜ୍ୟ ନିର୍ବାଚନ କମିସନଙ୍କୁ ମିଳିବ। ଅପରପକ୍ଷେ ମେୟର ଓ ପୌରାଧ୍ୟକ୍ଷ ପଦବି ପାଇଁ ନଗର ଉନ୍ନୟନ ବିଭାଗ ଯେଉଁ ଚିଠା ସଂରକ୍ଷଣ ତାଲିକା ପ୍ରକାଶ କରିଛି । ସେନେଇ ଜାନୁଆରି ୨୬ ସୁଦ୍ଧା ଅଭିଯୋଗ ଓ ପ୍ରସ୍ତାବ ଗ୍ରହଣ କରାଯିବ। ଏହାପରେ ଦିନେ ଦୁଇ ଦିନ ଭିତରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇବ। ସେହିପରି ପୂର୍ବରୁ ବିଭିନ୍ନ ୱାର୍ଡର ସଂରକ୍ଷଣ ତାଲିକା ପ୍ରକାଶ ପାଇଥିବାରୁ ମେୟର ଓ ପୌରାଧ୍ୟକ୍ଷ ପଦବି ନେଇ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ କରିବା ପରେ ରାଜ୍ୟ ସରକାରଙ୍କ ନିର୍ବାଚନ ପ୍ରସ୍ତୁତି କାମ ଶେଷ ହେବ। ଏହାପରେ ରାଜ୍ୟ ନିର୍ବାଚନ କମିସନଙ୍କ କାମ ଆରମ୍ଭ ହେବାକୁ ଥିବାରୁ ଜାନୁଆରି ଶେଷରେ ହିଁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହେବ। ରାଜନୈତିକ ଦଳ, ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନ ସହ ଚୂଡ଼ାନ୍ତ ବୈଠକ ବସିବା ପରେ ନିର୍ବାଚନ ତାରିଖ ଘୋଷଣା ହେବ। ବର୍ତ୍ତମାନ ପରିସ୍ଥିତିରେ ଏପ୍ରିଲ ଶେଷ ସୁଦ୍ଧା ହିଁ ପୌର ନିର୍ବାଚନ କରିବାକୁ ଯୋଜନା ହୋଇଛି।

Breaking News