Report Card Odisha

| Daily Odia News

ବାହାଘର ପ୍ରୋସେସନରେ ରକ୍ତପାତ, ଟେଣ୍ଟ ମାଲିକ ମୃତ୍ୟୁ……

ରିପୋର୍ଟ କାର୍ଡ / ପୁରୀ

ବାହାଘର ପ୍ରୋସେସନରେ ସାମାନ୍ୟ ବଚସା କୁ ନେଇ ରକ୍ତପାତ ହୋଇଛି । ଟେଣ୍ଟ କପଡ଼ା ଚିରିବା ଘଟଣାକୁ ନେଇ ଟେଣ୍ଟ ମାଲିକ ଓ ଡିଜେ ମାଲିକ ମୁହାଁମୁହିଁ ହୋଇଥିଲେ। ବଚସା ଏତେ ବଢି ଯାଇଥିଲା ଯେ ଡିଜେ ମାଲିକଙ୍କର କିଛି କର୍ମଚାରୀଙ୍କ ଆକ୍ରମଣରେ ଟେଣ୍ଟ ମାଲିକ ଙ୍କର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ପୁରୀ ଗୋପ ଥାନା ବାଲିକନ୍ଦଳ ଗାଁରେ। ମୃତକ ହେଲେ ଏରବଙ୍ଗ ଗ୍ରାମର ଲିପନ ପ୍ରଧାନ। ଉତ୍ତ୍ୟକ୍ତ ଲୋକେ ବାଲିକନ୍ଦଳଠାରେ କୋଣାର୍କ-ଭୁବନେଶ୍ୱର ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି । ଗତକାଲି ରାତିରେ ନିମାପଡ଼ାରୁ ଏକ ବରଯାତ୍ରୀ ଦଳ ଗୋପ ଥାନା ବେଦପୁରର ବାଲିକନ୍ଦଳ ଗାଁକୁ ଆସିଥିଲେ । ହେଲେ କନ୍ୟା ଘରେ ପହଞ୍ଚିବା ପୂର୍ବରୁ ଡିଜେ ଗାଡ଼ି ବାଜି ଗାଁର ଅନ୍ୟ ଏକ ସ୍ଥାନରେ ହେଉଥିବା ବିବାହ ଭୋଜିର ଟେଣ୍ଟ କପଡ଼ା ଚିରି ଯାଇଥିଲା। ଏହାଦେଖି ଉତ୍ତ୍ୟକ୍ତ ଟେଣ୍ଟ ମାଲିକ ସୁଯୋଗ ଅପେକ୍ଷାରେ ଥିଲେ। ନିର୍ଦ୍ଧାରିତ ସ୍ଥାନରେ ବାହାଘର ପ୍ରୋସେସନ ସରିବା ପରେ ଡିଜେ ଗାଡ଼ି ଫେରି ଆସିଥିଲା। ଫେରିବା ସମୟରେ ଟେଣ୍ଟ ମାଲିକ ଲିପନ ପ୍ରଧାନ ଡିଜେ ଗାଡ଼ିକୁ ଅଟକାଇଥିଲେ। ଏହାପରେ ଡିଜେ ମାଲିକ ଓ କର୍ମଚାରୀଙ୍କ ସହ ତାଙ୍କର ବଚସା ହେବା ସହ କଥା ଉଗ୍ର ରୂପ ଧାରଣ କରିଥିଲା। ଥିରେ ଉତ୍ତ୍ୟକ୍ତ ହୋଇ ଡିଜେ ମାଲିକ ଓ ତାଙ୍କର କିଛି କର୍ମଚାରୀ ଲିପନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଲିପନଙ୍କ ଶରୀରରେ ଏକାଧିକ ଚୋଟ ବାଜିଥିବା ବେଳେ ଗୁରୁତର ଅବସ୍ଥାରେ ଲିପନ ପ୍ରଧାନଙ୍କୁ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ଘଟଣା ସ୍ଥଳରୁ ଡିଜେ ଗାଡି ଜବତ କରି ଗୋପ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତ ଲିପନଙ୍କ ଘର ନିକଟସ୍ଥ ଏରବଙ୍ଗ ଗ୍ରାମରେ ବୋଲି ଜଣାପଡିଛି । ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକେ ବାଲିକନ୍ଦଳଠାରେ କୋଣାର୍କ-ଭୁବନେଶ୍ୱର ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି । ପୁଲିସ୍‌ ପହଞ୍ଚି ବୁଝାଶୁଝା କରିଥିଲେ ବି ଉତ୍ତେଜନା ପ୍ରଶମିତ ହୋଇ ନ ଥିବା ଜଣାଯାଇଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।

Breaking News