ରିପୋର୍ଟ କାର୍ଡ /ଖୋର୍ଦ୍ଧା
ସୁଟକେଶରେ ଯୁବକଙ୍କ ମୃତଦେହ ମିଳିବା ଘଟଣାର ପର୍ଦାଫାସ ହୋଇଛି । ଏନେଇ ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ମୃତକ ମନୋରଞ୍ଜନ ମହାପାତ୍ରଙ୍କ ସ୍ତ୍ରୀ ମିଲି ହିଁ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ। ମିଲିଙ୍କ କହିବା ଅନୁଯାୟୀ, ସ୍ୱାମୀ ମନୋରଞ୍ଜନ ତାଙ୍କୁ ସବୁବେଳେ ମାରପିଟ କରୁଥିଲେ। ନିର୍ଯାତନା ଅସହ୍ୟ ହେବାରୁ ମିଲି ଏଭଳି ପଦକ୍ଷେପ ନେଇଛନ୍ତି। ମିଲି ସମ୍ପର୍କୀୟ ଭାଇ ଓ ସହଯୋଗୀଙ୍କ ଜରିଆରେ ସ୍ୱାମୀ ମନୋରଞ୍ଜନ ମହାପାତ୍ରଙ୍କୁ ହତ୍ୟା କରିଛନ୍ତି।ପୂର୍ବରୁ ଆଜି ଘଟଣାର ସିନ୍ ରିକ୍ରିଏସନ କରିଥିଲା ପୋଲିସ । ସୂଚନାଯୋଗ୍ୟ, ଗତକାଲି ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ହରିପୁର ଜଙ୍ଗଲରୁ ଏକ ସୁଟକେଶରେ ଭର୍ତ୍ତି ଜଣେ ଯୁବକଙ୍କ ମୃତଦେହ ମିଳିଥିଲା। ମୃତ ଯୁବକଙ୍କ ନାମ ମନୋରଞ୍ଜନ ମହାପାତ୍ର। ସେ ରଣପୁର ଥାନା ଓ ବ୍ଲକ ଅନ୍ତର୍ଗତ ବଳଭଦ୍ରପୁର ପଞ୍ଚାୟତ ଅଧୀନ ଲାଖପଡା ଗ୍ରାମର ଗଙ୍ଗାଧର ମହାପାତ୍ରଙ୍କ ପୁଅ ଅଟନ୍ତି। ଗତକାଲି ସକାଳେ ସ୍ଥାନୀୟ କିଛି ଲୋକ ଉକ୍ତ ଜଙ୍ଗଲ ଭିତରକୁ କାଠ ସ°ଗ୍ରହ ପାଇଁ ଯାଇଥିବା ବେଳେ ଏକ ନୀଳ ରଙ୍ଗର ସୁଟକେଶ ପଡ଼ିଥିବା ଦେଖିଥିଲେ। କାଳେ ଏଥିରେ କିଛି ସନ୍ଦିଗ୍ଧ ଜିନିଷ ଥାଇପାରେ ବୋଲି ସନ୍ଦେହ କରି ଏବାବଦରେ ସ୍ଥାନୀୟ ଥାନାକୁ ଖବର ଦେଇଥିଲେ। ନାଚୁଣୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁଟକେଶ ଖୋଲିବା ପରେ ଘଟଣାଟି ଜଣାପଡ଼ିଥିଲା। ପୋଲିସ ଏହି ଘଟଣାଟିର ସବୁ ଦିଗକୁ ନେଇ ତନାଘନା ଜାରି ରଖିଥିଲା । ଘଟଣାଟି ସାଧାରଣରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..