ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ କମି ବାରେ ଚାଲିଛି କରୋନା ପଜିଟିଭିଟି ହାର। ଏବେ ଦେଶରେ ପଜିଟିଭ ହାର ୭.୨୭ ପ୍ରତିଶତ ରହିଛି। ୭ ଦିନ ହେଲାଣି ପଜିଟିଭିଟି ହାର ୧୦ ପ୍ରତିଶତ ତଳେ ରହିଛି।ଗତ ୨୪ ଘଣ୍ଟାରେ ପଜିଟିଭିଟି ହାର ରହିଛି ମାତ୍ର ୬.୩୮ ପ୍ରତିଶତ। ସେହିପରି ଦେଶର ୩୭୭ ଜିଲ୍ଲାରେ ପଜିଟିଭିଟି ହାର ୫ ପ୍ରତିଶତରୁ କମ୍ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ୍ ଏହି ସୂଚନା ଦେଇଛନ୍ତି। ତେବେ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ସାବଧାନତା ଜରୁରୀ ବୋଲି ମତ ରଖିଛନ୍ତି ନିତି ଆୟୋଗ ସ୍ୱାସ୍ଥ୍ୟ ସଦସ୍ୟ ଡାକ୍ତର ଭି.କେ ପଲ୍। ଟିକେ ବେପରୁଆ ହେଲେ ସଂକ୍ରମଣ ପୁଣି ବଢ଼ିଯିବ। ତୃତୀୟ ଲହର ମାଡ଼ି ଆସିବ ବୋଲି ଡାକ୍ତର ପଲ୍ କହିଛନ୍ତି। ସେପଟେ, ଦେଶରେ କରୋନାର ପ୍ରଭାବ ଧୀରେ ଧୀରେ ହ୍ରାସ ପାଉଥିବା ଦେଖିବାକୁ ମିଳିଛି। ଆଜି ମୃତ୍ୟୁ ସଂଖ୍ୟା ୩ ହଜାର ତଳକୁ ଖସିଥିବା ଦେଖିବାକୁ ମିଳିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ହଜାର ୭୧୩ ଜଣଙ୍କ ଜୀବନ ନେଇଛି କରୋନା । ଏହାକୁ ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୪୦ ହଜାର ୭୦୨କୁ ବୃଦ୍ଧି ପାଇଛି ।
ସେହିପରି ଦେଶରେ ୨୪ ଘଣ୍ଟାରେ ୧ ଲକ୍ଷ ୩୨ ହଜାର ୩୬୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୮୫ ଲକ୍ଷ ୭୪ ହଜାର ୩୫୦କୁ ବୃଦ୍ଧି ପାଇଛି। ଏବେ ୧୬ ଲକ୍ଷ ୩୫ ହଜାର ୯୯୩ ଆକ୍ଟିଭ କେସ୍ ଥିବା ବେଳେ ଏଯାଏଁ ସୁସ୍ଥ ହେଲେଣି ୨ କୋଟି ୬୫ ଲକ୍ଷ ୯୭ ହଜାର ୬୫୫ ଜଣ । ଅନ୍ୟପକ୍ଷେ, National Centre for Disease Controlର ସୂଚନା ଅନୁସାରେ ଡେଲଟା ଭାରିଏଣ୍ଟ ଆଲଫା ଭାରିଏଣ୍ଟ (B.1.117) ତୁଳନାରେ ୪୦ରୁ ୫୦ ପ୍ରତିଶତ ଅଧିକ ବେଗରେ ଲୋକଙ୍କୁ ସଂକ୍ରମିତ କରୁଛି । ତୁଳନାତ୍ମକ ଭାବେ ଡେଲଟାର ସଂକ୍ରମଣ କ୍ଷମତା ଖୁବ ଅଧିକ । କରୋନାର ଦ୍ୱିତୀୟ ଲହରୀରେ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବାର କାରଣ ଡେଲଟା ଭାରିଏଣ୍ଟ୍ । ଆଉ ଏଥିପାଇଁ ୧୦ ଦିନରେ ପଜିଟିଭ୍ ହାର ୧୦ ପ୍ରତିଶତରୁ ବୃଦ୍ଧି ପାଇ ୨୦ ପ୍ରତିଶତ କିମ୍ବା ତା’ ଠାରୁ ମଧ୍ୟ ଅଧିକ ରେକର୍ଡ କରାଯାଇଥିଲା । ସେହିପରି ଦ୍ୱିତୀୟ ଲହରୀରେ ମୃତକଙ୍କ ସଂଖ୍ୟା ମଧ୍ୟ ତୁଳନାତ୍ମକ ଭାବେ ଅଧିକ । କିନ୍ତୁ ମୃତକଙ୍କ ସଂଖ୍ୟା ପାଇଁ ଡେଲଟା ଭାରିଏଣ୍ଟକୁ ଦାୟୀ କରାଯାଇ ନାହିଁ ।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..