ରିପୋର୍ଟ କାର୍ଡ / ଭୁବନେଶ୍ୱର
ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ଆବେଦନ ନିମନ୍ତେ ୱେବ୍ସାଇଟ୍ ଉନ୍ମୋଚନ ହୋଇଛି। ଅନଲାଇନରେ ଆବେଦନ କରିବାପାଇଁ www.opid.odisha.gov.ଇଂ ରେ ଆବେଦନ କରିପାରିବେ ଜମାକାରୀ। ପ୍ରାରମ୍ଭିକ ପର୍ଯ୍ୟାୟରେ ୨ଟି ସଂସ୍ଥାର ହାଇଟେକ୍ ଇଷ୍ଟେଟସ୍ ଓ ପ୍ରମୋଟର୍ସ, ୨- ରାଜଧାନୀ ସିଷ୍ଟମ୍ ଓ ଇଷ୍ଟେଟସ୍ କ୍ଷତିଗ୍ରସ୍ତ ଜମାକାରୀ ଆବେଦନ କରିପାରିବେ। ସୂଚନାଯୋଗ୍ୟ, କମ ଦିନରେ ଅଧିକ ସୁଧ ଲୋଭରେ ରାଜ୍ୟର ହଜାର ହଜାର ଜମାକାରୀ ବିଭିନ୍ନ ଚିଟଫଣ୍ଡ କମ୍ପାନିରେ ଟଙ୍କା ଜମା ରଖିଥିଲେ। ରାତାରାତି କୋଟି କୋଟି ଟଙ୍କା ନେଇ ଚିଟଫଣ୍ଡ କଂପାନି ଫେରାର ହୋଇଯିବା ପରେ ଜମାକାରୀ ଟଙ୍କା ଫେରସ୍ତ ଦାବିରେ କ୍ଷତିଗ୍ରସ୍ତ ମିଳିତ ମଞ୍ଚ ଗଠନ କରି ସରକାରଙ୍କୁ ଘେରିଥିଲେ। କ୍ଷତିଗ୍ରସ୍ତ ମିଳିତ ମଞ୍ଚର ଦାବି ପରେ ସରକାର ଚିଟଫଣ୍ଡ ଘୋଟଲାର ତଦନ୍ତ ପାଇଁ କମିଶନ୍ ଗଠନ କରି ତହସିଲ ସ୍ତରରେ ଜମାକାରୀଙ୍କୁ ଚିହ୍ନଟ କରିବାକୁ ନିର୍ଦେଶ ଦେଇଥିଲେ। ସେପଟେ ଚିଟଫଣ୍ଡ କଂପାନି ଗୁଡ଼ିକର ସଂପତ୍ତିକୁ ବ୍ୟାଜାପ୍ତି କରି ସରକାର ନିଲାମ କରିବା ପରେ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରାଇବା ଆରମ୍ଭ କରିଥିଲେ। ୧୦ ହଜାରରୁ କମ ଜମାକାରୀଙ୍କୁ କ୍ଷୁଦ୍ର ଏବଂ ୧୦ ହଜାରରୁ ଊର୍ଦ୍ଧ୍ୱ ଜମାକାରୀଙ୍କୁ ବୃହତ ଜମାକାରୀ ଭାବେ ବିଭକ୍ତ କରିଥିଲେ ସରକାର। କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବହୁ ଦାବି ଆନ୍ଦୋଳନ ସତ୍ତ୍ୱେ ବୃହତ ଜମାକାରୀଙ୍କୁ ଟଙ୍କା ଫେରସ୍ତ ନେଇ କୌଣସି ସବୁଜ ସଙ୍କେତ ମିଳୁନଥିବାରୁ ଜମାକାରୀ ଜଳକା ପାଲଟିଛନ୍ତି । ଲକ୍ଷାଧିକ ଟଙ୍କା ଡିପୋଜିଟ୍ କରିଥିବା ହିତାଧିକାରୀ ଟଙ୍କା ଫେରି ପାଇବାକୁ ଅପେକ୍ଷା କରି ରହିଛନ୍ତି। ଅନେକ ଗୁରୁତ୍ୱପୂର୍ଣ୍ଣ କାମ ପାଇଁ ଲକ୍ଷ ଲକ୍ଷ ଟଙ୍କା ଡିପୋଜିଟ୍ କରିଥିବା ଜମାକାରୀ ଠକେଇର ଶିକାର ହେବା ପରେ ମାନସିକ ସ୍ତରରେ ଭାଙ୍ଗି ପଡିବା ସହ ସର୍ବସ୍ୱାନ୍ତ ହୋଇ ପଡିଛନ୍ତି।
More Stories
୨୫ ରେ ମିଳିବ ‘ସୁଭଦ୍ରା’ ଟଙ୍କା…..
ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ଆଜି ତୃତୀୟ ଦିନ,ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ….
ପରାକ୍ରମ ଦେଖାଇଲା ନୌବାହିନୀ…..