ରିପୋର୍ଟକାର୍ଡ / ନୂଆଦିଲ୍ଲୀ
ପଞ୍ଜବ ସମେତ ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସ ପରାଜୟ ହେତୁ ଆଜି ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟିର ମୁଖ୍ୟ ପଦରୁ ନବଜୋତ୍ ସିଂହ ସିଦ୍ଧୁ ଇସ୍ତଫା ଦେଇଛନ୍ତି। ରାଜନେତା ପାଲଟି ଥିବା କ୍ରିକେଟ୍ ଖେଳାଳି ସିଦ୍ଧୁ ନିଜ ଇସ୍ତଫା ସଂକ୍ରାନ୍ତ ସୂଚନା ସେୟାର୍ କରି ଟୁଇଟ୍ କରିଛନ୍ତି। ସେଥିରେ ସେ କହିଛନ୍ତି, କଂଗ୍ରେସ ଅଧ୍ୟକ୍ଷଙ୍କ ଚାହିଁବା ଅନୁସାରେ ମୁଁ ମୋ ଇସ୍ତଫା ପତ୍ର ପଠାଇ ଦେଇଛି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ପତ୍ରରେ ସିଦ୍ଧୁ ଲେଖିଛନ୍ତି, ଏତଦ୍ଦ୍ବାରା ମୁଁ ସଭାପତି (ପିପିସିସି) ପଦରୁ ଇସ୍ତଫା ଦେଉଛି। ସୂଚନାଯୋଗ୍ୟ, ୧୧୭ ଆସନବିଶିଷ୍ଟ ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ୍ ଆଦ୍ମୀ ପାର୍ଟି ୯୨ଟି ଆସନରେ ବିଜୟୀ ହୋଇଥିବା ବେଳେ ମାତ୍ର ୧୮ଟି ଆସନରୁ ବିଜୟୀ ହୋଇ କଂଗ୍ରେସ ଅପମାନଜନକ ଭାବେ ପରାସ୍ତ ହୋଇଛି। ସ୍ମରଣଯୋଗ୍ୟ, ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ହେତୁ କଂଗ୍ରେସ୍ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ପଞ୍ଜାବ ଓ ମଣିପୁର କଂଗ୍ରେସ ମୁଖ୍ୟମାନଙ୍କୁ ଇସ୍ତଫା ଦେବାକୁ କହିଥିବା କଥା ଶୁଣାଯାଉଛି। ଏ ସଂକ୍ରାନ୍ତରେ କଂଗ୍ରେସର ମୁଖ୍ୟ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା ଟୁଇଟ୍ କରିଥିଲେ, ‘ପିସିସି’ର ପୁନଃସଂଗଠନ ପାଇଁ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଏବଂ ମଣିପୁର ‘ପିସିସି’ ସଭାପତିମାନଙ୍କୁ ଇସ୍ତଫା ଦେବା ଲାଗି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଛନ୍ତି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..