ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଶନିବାର ସୁଦ୍ଧା ନିଟ୍ ୟୁଜି ପରୀକ୍ଷା ଫଳ ପ୍ରକାଶ କରିବାକୁ ସୁପ୍ରିମକୋର୍ଟ ଜାତୀୟ ପରୀକ୍ଷଣ ସଂସ୍ଥା ଏନଟିଏକୁ ନିର୍ଦ୍ଦେଶ ଦେଇଛନ୍ତି। ପରୀକ୍ଷାର୍ଥୀଙ୍କ ନାମ ଗୋପନ ରଖି ସହରୱାରି ଓ ପରୀକ୍ଷା କେନ୍ଦ୍ରୱାରି ପରୀକ୍ଷା ଫଳ ପ୍ରକାଶ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଆଜି ଦିନର ପ୍ରଥମାର୍ଦ୍ଧରେ ନିଟ ପରୀକ୍ଷା ଅନିୟମିତତା ସମ୍ପର୍କିତ ୪୦ଟିରୁ ଅଧିକ ଆବେଦନର ଏକତ୍ର ଶୁଣାଣି କରି ସୁପ୍ରିମକୋର୍ଟ କହିଥିଲେ ଯେ ‘ନିଟ୍’ର ପୁନଃ ପରୀକ୍ଷା ଦୃଢ଼ ଭିତ୍ତିରେ ହେବା ଆବଶ୍ୟକ। ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାର୍ଡିୱାଲା ଓ ଜଷ୍ଟିସ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଥିଲେ ଯେ ସିବିଆଇ ତଦନ୍ତ ଜାରି ରହିଛି। ସିବିଆଇ ଆମକୁ ଯାହା କହିଛି ତାହା ପଦାକୁ ଆସିଲେ ଏହା ତଦନ୍ତକୁ ପ୍ରଭାବିତ କରିବ। ଖଣ୍ଡପୀଠ କହିଥିଲେ, ଏହାର ସାମାଜିକ ପ୍ରଭାବ ରହିଛି। ଗତ ମେ’ ୫ ତାରିଖରେ ବିଦେଶରେ ୧୪ଟି ଓ ଦେଶରେ ୫୭୧ଟି ସହରର ୪୭୫୦ଟି କେନ୍ଦ୍ରରେ ୨୩ ଲକ୍ଷ ୩୩ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ପୂର୍ବରୁ ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ ହୋଇଥିବା ସତ୍ୟପାଠରେ କେନ୍ଦ୍ର ଓ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) କହିଥିଲେ ଯେ ଗୋପନୀୟତା ଉଲ୍ଲଂଘନର କୌଣସି ପ୍ରମାଣ ନଥିବାରୁ ପରୀକ୍ଷା ବାତିଲ କରିବା ପ୍ରତିକୂଳ ହେବ ଏବଂ ଲକ୍ଷ ଲକ୍ଷ ସଚ୍ଚୋଟ ପରୀକ୍ଷାର୍ଥୀଙ୍କୁ ଗୁରୁତର ଭାବେ ବିପଦରେ ପକାଇବ।
More Stories
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….
ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼…..