ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନେପାଳ-ତିବ୍ବତ ସୀମାରେ ହୋଇଥିବା ଆକସ୍ମିକ ପାହାଡୀ ବନ୍ୟାର ମୃତ୍ୟୁସଂଖ୍ୟା ୪୦୦କୁ ବୃଦ୍ଧି ପାଇଛି। ଏହି ବନ୍ୟାରେ ୧୫୦୦ରୁ ଅଧିକ ଲୋକ ନିଖୋଜ ହୋଇଛନ୍ତି। ନିଖୋଜଙ୍କ ମଧ୍ୟରୁ ଅଧିକାଂଶ ପର୍ଯ୍ୟଟକ। ଏମାନଙ୍କ ମଧ୍ୟରେ ୩୦୦ ଭାରତୀୟ ନାଗରିକ ଅଛନ୍ତି। ତୀର୍ଥଯାତ୍ରା ଓ ପର୍ଯ୍ୟଟନ ଉଦ୍ଦେଶ୍ୟରେ ନେପାଳ ଓ କୈଳାସ ମାନସରୋବରକୁ ଯାଇଥିବା ଏହି ଭାରତୀୟଙ୍କ ସହ ଏବେ କୌଣସି ଯୋଗାଯୋଗ ହୋଇପାରୁ ନାହିଁ। ଅନ୍ୟପଟେ ବନ୍ୟା ଯୋଗୁଁ ଫସି ରହିଥିବା ପ୍ରାୟ ୨୦୦ ଭାରତୀୟଙ୍କୁ ଉଦ୍ଧାର କରାଯାଇଥିବା ବୈଦେଶିକ ମନ୍ତ୍ରଣାଳୟ କହିଛି। ଏମାନେ କୈଳାସ ମାନସରୋବର ଯାତ୍ରା ଲାଗି ଯାଇଥିଲେ। ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ନେପାଳ ଯାଇଥିବା କଂଗ୍ରେସ ସାଂସଦ ଶଶୀ ତରୁର୍ ଏବେ କାଠମାଣ୍ଡୁରେ ଫସି ରହିଛନ୍ତି। କାଠମାଣ୍ଡୁରେ ଫସି ରହିବା ସମ୍ପର୍କରେ ତରୁର୍ ସୋସିଆଲ ମିଡିଆ ‘ଏକ୍ସ’ର ପୋଷ୍ଟରେ ସୂଚନା ଦେଇଛନ୍ତି। ନେପାଳ ବନ୍ୟା ସମ୍ପର୍କରେ ସୂଚନା ପ୍ରଦାନ ପାଇଁ କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସ ୩ଟି ହେଲପ୍ଲାଇନ ନମ୍ବର ଜାରି କରିଛି।ଏହି ହେଲପ୍ଲାଇନଗୁଡିକ ହେଲା ୯୭୭-୯୮୫୧୩୧୬୮୦୭, ୯୭୭-୯୭୦୯୧୦୭୫୦୦ ଓ ୯୭୭-୯୮୧୦୩୨୬୧୧୭। ଏହି ବନ୍ୟାରେ ୫୧୭ ବିଦେଶୀ ପର୍ଯ୍ୟଟକ ନିଖୋଜ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଆମେରିକାର ୬୫, ୟୁକ୍ରେନର ୫୩ ଓ ମାଲେସିଆର ୫୧ଜଣ ନାଗରିକ ଅଛନ୍ତି। ଏହା ସହିତ କାନାଡା, ଦକ୍ଷିଣ କୋରିଆ, ସିଙ୍ଗାପୁର, ଜର୍ମାନୀ, ରୁଷ୍, ଦକ୍ଷିଣ ଆଫ୍ରିକା, ଜାପାନ, ନ୍ୟୁଜିଲାଣ୍ଡର ଅନେକ ପର୍ଯ୍ୟଟକ ନିଖୋଜ ଅଛନ୍ତି। ନେପାଳ ବନ୍ୟା ବିପନ୍ନଙ୍କ ସହାୟତା ନିମନ୍ତେ ଭାରତ ସରକାର ଗୁରୁବାର ଦ୍ବିତୀୟ ପର୍ଯ୍ୟାୟ ରିଲିଫ ପଠାଇଛି। ଦ୍ବିତୀୟ ପର୍ଯ୍ୟାୟରେ ୩୭.୫ ଟନ୍ର ଅତ୍ୟାବଶ୍ୟକ ସାମଗ୍ରୀ, ଔଷଧ ଓ ଖାଦ୍ୟ ପ୍ୟାକେଟ୍ ପଠାଇଛି। ବୁଧବାର ରାତିରେ ଭାରତ ପ୍ରଥମ ପର୍ଯ୍ୟାୟରେ ରିଲିଫ୍ ପଠାଇଥିଲା। ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ମୃତ୍ୟୁସଂଖ୍ୟା ଆହୁରି ବଢିବାର ଆଶଙ୍କା କରାଯାଇଛି। ଉଦ୍ଧାର କାର୍ଯ୍ୟ ଲାଗି ନେପାଳ ସରକାର ଭାରତ ଓ ଚୀନର ସହଯୋଗ ଲୋଡିଛନ୍ତି। ଉଦ୍ଧାର ହେଉଥିବା ଅଚିହ୍ନା ମୃତଦେହଗୁଡିକ ସମ୍ପର୍କରେ ସୂଚନା ପାଇଁ ନେପାଳ ପୁଲିସ ଏକ ୱେବସାଇଟ୍ ଖୋଲିଛି। ଏହି ୱେବସାଇଟ୍ରେ ଅଚିହ୍ନା ଓ ଦାବିଦାର ନଥିବା ମୃତଦେହଗୁଡିକର ତଥ୍ୟ ପ୍ରଦାନ କରାଯାଉଛି। େଭାଟେକୋଶୀ, ତ୍ରିଶୂଳି ଓ ନାରାୟଣୀ ନଦୀରେ ପୁଣି ବନ୍ୟା ଆସିବା ନେଇ ଚୀନ ପକ୍ଷରୁ ନେପାଳକୁ ସତର୍କତା ଜାରି କରାଯାଇଛି। ଏଥିପାଇଁ ନଦୀ କୂଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କୁହାଯାଇଛି। ନେପାଳ ବନ୍ୟା ଯୋଗୁଁ ଭାରତ-ନେପାଳ ମଧ୍ୟରେ ଚାଲିଥିବା ମୈତ୍ରୀ ବସ୍ ସେବାକୁ ଅଗଷ୍ଟ ୨୯ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।ସୂଚନାଯୋଗ୍ୟ ବୁଧବାର ସକାଳେ ନେପାଳ-ତିବ୍ବତ ସୀମାନ୍ତ ରସୁୱା ଜିଲାର ଭୋଟେକୋଶୀ ନଦୀରେ ଆକସ୍ମିକ ବନ୍ୟା ଆସି ସମଗ୍ର ଅଞ୍ଚଳରେ ତାଣ୍ଡବ ରଚିଥିଲା। ତିବ୍ବତରେ ଭୂମିକମ୍ପ ପ୍ରଭାବରେ ହିମସ୍ଖଳନ ଓ ପାହାଡ ଧସିବା କାରଣରୁ ଏହି ବନ୍ୟା ଆକସ୍ମିକ ଭାବେ ଆସିଥିଲା। ବରଫାବୃତ ପାହାଡରେ ହିମପ୍ରବାହ ହୋଇଥାଏ। ଅନେକ ସମୟରେ ହିମପ୍ରବାହର ଜଳ ଆବର୍ଜନା ଦ୍ବାରା ଆବଦ୍ଧ ହୋଇ ହ୍ରଦ ଆକାରରେ ଜମି ରହିଥାଏ। ଏହିସବୁ ହ୍ରଦର ମଧ୍ୟକୁ ବଡ ବଡ ବରଫ ଅତଡା ଧସିବାରୁ ଏହା ବନ୍ଧ ଭାଙ୍ଗି ହଠାତ୍ ତଳକୁ ମାଡିଆସିଥାଏ। ଏହାଦ୍ବାରା ପାହାଡିଆ ଅଞ୍ଚଳର ନିମ୍ନଭାଗରେ ଆକସ୍ମିକ ବନ୍ୟା ସୃଷ୍ଟି କରିଥାଏ।






More Stories
ବିମାନ ଦୁର୍ଘଟଣାଗ୍ରସ୍ତ: ୨ ପାଇଲଟ ମୃତ…..
ନେପାଳ ବନ୍ୟା:ଓଡ଼ିଆଙ୍କ ପାଇଁ ୨୪ ଘଂଟିଆ ହେଲ୍ପ ଡେସ୍କ…..
ନଦୀରେ ଓଲଟିଲା ଡଙ୍ଗା…..