Report Card Odisha

| Daily Odia News

ଆତ୍ମସମର୍ପଣ କର ନଚେତ୍‌ ଭୋକରେ ମର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି, ଉତ୍ତର ଗାଜାର ଜବାଲିଆରେ ସାମରିକ ଅପରେସନ୍‌ ତୀବ୍ର ହୋଇଛି। ନାଗରିକ ମାନେ ଅଞ୍ଚଳ ଛାଡ଼ି ଦକ୍ଷିଣକୁ ଚାଲିଯିବାପାଇଁ ଆଇଡିଏଫ୍‌ (ଇସ୍ରାଏଲ ପ୍ରତିରକ୍ଷା ବାହିନୀ) ପକ୍ଷରୁ ଅନୁ‌ରୋଧ କରାଯାଇଛି। ତେବେ ଏକ ନୂଆ ରିପୋର୍ଟରୁ ଜଣାପଡ଼ିଛି ଯେ ଉତ୍ତର ଗାଜାକୁ ମାନବୀୟ ସହାୟତା ଯୋଗାଣ ବନ୍ଦ ପାଇଁ ଯୋଜନା ହୋଇଛି।ଏହି ନୂଆ ଯୋଜନାର ଲକ୍ଷ୍ୟ ହେଉଛି ହମାସ୍‌ ଆତଙ୍କବାଦୀଙ୍କୁ ଭୋକରେ ମାରିବା। କିନ୍ତୁ ଏଥିରେ ହଜାର ହଜାର ନାଗରିକ ଫସିଯିବେ ଏବଂ ଭୋକ ଉପାସରେ ମରିଯିବେ। କିଛି ଅବସରପ୍ରାପ୍ତ ଜେନେରାଲ୍‌ଙ୍କ ଦ୍ବାରା ନେତାନ୍ୟାହୁ ଏବଂ ଇସ୍ରାଏଲ ସଂସଦରେ ଏହି ପ୍ରସ୍ତାବ ଦିଆଯାଇଛି। ଉତ୍ତର ଗାଜାକୁ ଏକ ସମ୍ପୂର୍ଣ୍ଣ ସାମରିକ ଜୋନ୍‌ ଘୋଷଣା କରାଯିବା ପୂର୍ବରୁ ନାଗରିକଙ୍କୁ ଏଠାରେ ମାତ୍ର ସପ୍ତା‌ହେ ସମୟ ମିଳିବ। ସେମାନେ ଏହି ସମୟ ମଧ୍ୟରେ ଉକ୍ତ ଅଞ୍ଚଳ ଛାଡ଼ିଦେବେ। ଯଦି କୌଣସି ନାଗରିକ ଅଞ୍ଚଳ ନଛାଡ଼ି ଏଠାରେ ରହନ୍ତି ତେବେ ସେମାନଙ୍କ ନିକଟରେ ଖାଦ୍ୟ, ପାଣି, ଔଷଧ ଏବଂ ଇନ୍ଧନ କିଛି ପହଞ୍ଚିପାରିବନି। ଏହାଦ୍ବାରା ହମାସ୍‌ ଆତଙ୍କବାଦୀଙ୍କ ସହ ସେମାନଙ୍କ ଜୀବନ ବି ଦୁର୍ବିସହ ହୋଇପଡ଼ିବ।ଇସ୍ରାଏଲର ଅବସରପ୍ରାପ୍ତ ଜେନେରାଲ୍‌ମାନଙ୍କର ଏହି ରଣନୀତି କାର୍ଯ୍ୟକାରୀ ହେଲେ ହମାସ୍‌ ଦୁର୍ବଳ ହୋଇଯିବ। ଏଭଳି ରଣନୀତି ପ୍ରସ୍ତୁତ କରିଛନ୍ତି ଜଣେ ପ୍ରମୁଖ ଜେନେରାଲ ଗିଓରା ଇଲାଣ୍ଡ୍‌ ଯିଏ କି ଜାତୀୟ ସୁରକ୍ଷା ପରିଷଦର ପୂର୍ବତନ ମୁଖ୍ୟ । ସେ ବିଶ୍ବାସ କରନ୍ତି ଯେ ଦୀର୍ଘ ବର୍ଷ ବ୍ୟାପୀ ଯୁଦ୍ଧର ପରିସମାପ୍ତି ଘଟାଇବାପାଇଁ ଏବଂ ହମାସ୍‌ ଆତଙ୍କବାଦୀଙ୍କ କବଳରେ ବନ୍ଦୀ ଥିବା ବାକି ଇସ୍ରାଏଲୀ ପଣବନ୍ଦୀଙ୍କୁ ମୁକ୍ତ କରିବାପାଇଁ ଏହା ହିଁ ଏକମାତ୍ର ବାଟ। ତେବେ ଏହି ଯୋଜନାକୁ ଇସ୍ରାଏଲ ସରକାର କାର୍ଯ୍ୟକାରୀ କରିପାରିବେ କି ନା’ ତାହା ସ୍ପଷ୍ଟ ହୋଇନି। କିନ୍ତୁ ନେତାନ୍ୟାହୁ ଏହି ଯୋଜନା ଏବଂ ରଣନୀତିକୁ ସମୀକ୍ଷା କରୁଛନ୍ତି ବୋଲି ଜଣେ ଅଧିକାରୀ କହିଛନ୍ତି। ଅନ୍ୟପ‌କ୍ଷେ ଜାତିସଂଘ ପକ୍ଷରୁ କୁହାଯାଇଛି ଯେ ଚଳିତ ମାସ‌ରେ ଉତ୍ତର ଗାଜାରେ ମାନବୀୟ ସହାୟତା ଗାଡ଼ି ପହଞ୍ଚିନି।

Breaking News