Report Card Odisha

| Daily Odia News

ଅବିବାହିତା ମହିଳା କରିପାରିବେ ଗର୍ଭପାତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଅବିବାହିତା ମହିଳାମାନେ କରିପାରିବେ ଗର୍ଭପାତ | ଏନେଇ ଗୁରୁବାର ସୁପ୍ରିମ୍‌ କୋର୍ଟ ରାୟ ଶୁଣାଇଛନ୍ତି | ୨୪ ସପ୍ତାହ ଅନ୍ତଃସତ୍ତ୍ବା ଥିବା ଜଣେ ମହିଳାଙ୍କୁ ଗର୍ଭପାତ କରାଇବାକୁ ଅନୁମତି ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଡାକ୍ତରୀ ବିଶେଷଜ୍ଞମାନେ ସୁରକ୍ଷା ଦୃଷ୍ଟିରୁ ସବୁପ୍ରକାର ‘କ୍ଲିୟରାନ୍‌ସ୍‌’ ଦେଇଥିଲେ ବି ‘ଲିଭ୍‌-ଇନ୍‌’ ଥାଇ ଅନ୍ତଃସତ୍ତ୍ବା ହୋଇଥିବା ଜଣେ ମହିଳାଙ୍କୁ ଗର୍ଭପାତ କରାଇବାକୁ ଅନୁମତି ଦେବା ପାଇଁ ଦିଲ୍ଲୀ ହାଇକୋର୍ଟ ମନା କରିଥିଲେ। ଦିଲ୍ଲୀ ହାଇକୋର୍ଟଙ୍କ ଆଦେଶକୁ ରଦ୍ଦ କରି ସୁପ୍ରିମ୍‌ କୋର୍ଟ କହିଛନ୍ତି, ଅନ୍ୟାନ୍ୟ ବର୍ଗର ମହିଳାମାନଙ୍କୁ ଅନୁମତି ମିଳୁଥିବା ବେଳେ ଅବିବାହିତ ମହିଳାମାନଙ୍କୁ ଡାକ୍ତରମାନଙ୍କଦ୍ବାରା ଗର୍ଭ ନଷ୍ଟ କରାଇବା ଅଧିକାରରୁ ବଞ୍ଚିତ କରାଇବାର କୌଣସି କାରଣ ନାହିଁ। ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼, ସୂର୍ଯ୍ୟକାନ୍ତ ଏବଂ ଏ.ଏସ୍‌. ବୋପନ୍ନାଙ୍କ ଖଣ୍ଡପୀଠ ଗୁରୁତ୍ବାରୋପ କରି କହିଲେ ଯେ, ସମ୍ବିଧାନର ଧାରା ୨୧ ଅନୁସାରେ, ଜଣେ ମହିଳାଙ୍କର ସନ୍ତାନ ଜାତ କରିବା ନ କରିବା ଅଧିକାର ହେଉଛି ତାଙ୍କ ବ୍ୟକ୍ତିଗତ ସ୍ବାଧୀନତାର ଅବିଚ୍ଛେଦ୍ୟ ଅଂଶ । ସୂଚନାଯୋଗ୍ୟ, ଗର୍ଭପାତ ନିମନ୍ତେ ଥିବା କେନ୍ଦ୍ରୀୟ ଆଇନ ‘ଦି ମେଡିକାଲ୍‌ ଟର୍ମିନେସନ୍‌ ଅଫ୍ ପ୍ରେଗ୍‌ନାନ୍‌ସି ଆକ୍ଟ୍‌ ୧୯୭୧ ଅନୁସାରେ, ଜଣେ ପଞ୍ଜିକୃତ ମେଡିକାଲ୍‌ ପ୍ରାକ୍ଟିସନର୍‌ଙ୍କ ମତାମତ ନେଇ ୨୦ ସପ୍ତାହ ହେବ ଅନ୍ତଃସତ୍ତ୍ବା ହୋଇଥିବା ସମସ୍ତ ମହିଳା ଗର୍ଭପାତ କରାଇପାରିବେ। କିନ୍ତୁ, ବିଶେଷ କୌଣସି ପରିସ୍ଥିତିରେ କେତେକ ବର୍ଗର ମହିଳାଙ୍କୁ ୨୦ରୁ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବା ପାଇଁ ଅନୁମତି ଦିଆଯାଇଥାଏ।

Breaking News