ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ପାଇଁ ଆଉ ଏକ ବଡ଼ ଆଶ୍ୱସ୍ତି । ଡ଼ିଏଲଏଫ ଲାଞ୍ଚ ମାମଲାରେ ସିବିଆଇ ଲାଲୁ ଯାଦବଙ୍କୁ ଏକ କ୍ଲିନ୍ ଚିଟ୍ ଦେଇଛି । ଏହା ପୂର୍ବତନ ନିର୍ଦ୍ଦେଶକ ଋଷି କୁମାର ଶୁକ୍ଲାଙ୍କ କାର୍ଯ୍ୟକାଳ ମଧ୍ୟରେ ଦିଆଯାଇଥିଲା । ୨୦୧୮ରେ ସିବିଆଇ ଏହି ମାମଲାକୁ ପିଇ ରେ ପ୍ରାଥମିକ ଅନୁସନ୍ଧାନ ଭାବେ ପଂଜିକୃତ କାରିଥିଲା । ମାମଲାର ଯାଞ୍ଚ ପରେ ପ୍ରମାଣ ନମିଳିବାରୁ ଫାଇଲ୍ ବନ୍ଦ କରିବା ସହ କ୍ଲିନ୍ ଚିଟ୍ ଦେଇଛନ୍ତି । ତେଣୁ, ଏହି ମାମଲାରେ ‘ସିବିଆଇ’ ଚଳାଇଥିବା ପ୍ରାଥମିକ ତଦନ୍ତର ଅବସାନ ଘଟିଛି। ଅଭିଯୋଗ ହୋଇଥିଲା କି, ୨୦୧୧ରେ ଲାଲୁ ପ୍ରସାଦଙ୍କ ପୁତ୍ର ତେଜସ୍ବୀ ଏବଂ ଝିଅ ଚନ୍ଦା ଓ ରାଗିଣୀ ୪ ଲକ୍ଷ ଟଙ୍କା ବିନିମୟରେ ‘ଏବି ଏକ୍ସପୋର୍ଟସ୍’ ନାମରେ ଗୋଟାଏ କମ୍ପାନି ଖରିଦ କରିଥିଲେ। ‘ସେଲ୍ କମ୍ପାନି’ ବୋଲି କୁହାଯାଉଥିବା ‘ଏବି ଏକ୍ସପୋର୍ଟସ୍’ ୨୦୦୭ରେ ୫ କୋଟି ଟଙ୍କା ବିନିମୟରେ ‘ନିଉ ଫ୍ରେଣ୍ଡସ୍ କଲୋନି’ରେ ଗୋଟାଏ ଘର କିଣିଥିଲା । କିନ୍ତୁ, ୨୦୧୧ରେ ଲାଲୁଙ୍କ ଆତ୍ମୀୟମାନେ ୪ ଲକ୍ଷ ଟଙ୍କା ବିନିମୟରେ କମ୍ପାନିଟିକୁ କିଣିବା ପରେ କୋଟି କୋଟି ଟଙ୍କାର ଅର୍ଥ ସେମାନଙ୍କ ମାଲିକାନାକୁ ଆସିଥିଲା। ଅଭିଯୋଗ ହୋଇଥିଲା ଯେ, ନୂଆଦିଲ୍ଲୀ ରେଳ ଷ୍ଟେସନ୍ ଏବଂ ବାନ୍ଦ୍ରା ରେଳ ଷ୍ଟେସନ୍ର କିଛି ପ୍ରକଳ୍ପ ପାଇବା ଲାଗି ‘ଡିଏଲ୍ଏଫ୍’ ‘ଏବି ଏକ୍ସପୋର୍ଟ’ ଜରିଆରେ ଲାଞ୍ଚ ଦେଇଥିଲା। ସେହି କାରଣରୁ ଲାଲୁଙ୍କ ସନ୍ତାନସନ୍ତତି ଉକ୍ତ କମ୍ପାନିକୁ କ୍ରୟ କରିଥିଲେ। ସ୍ମରଣଯୋଗ୍ୟ, ଗୋଖାଦ୍ୟ ଦୁର୍ନୀତି ମାମଲାରେ ଜେଲ୍ଦଣ୍ଡାଦେଶ ଭୋଗୁଥିବା ଲାଲୁ ପ୍ରସାଦଙ୍କୁ ଏ ମାସ ପ୍ରାରମ୍ଭରେ ଝାଡ଼ଖଣ୍ଡ ହାଇକୋର୍ଟ ଜାମିନ ଦେବା ପରେ ସେ ରାଞ୍ଚି ଜେଲ୍ରୁ ମୁକୁଳି ଥିଲେ।
More Stories
ଆୟୁଷ୍ମାନ ଭାରତକୁ ନେଇ ବଡ଼ ଘୋଷଣା….
ଟ୍ରାଫିକ ଚାଲାଣରେ ମିଳିବ ରିହାତି……
ଶିଖମାନଙ୍କ ଉପରେ ବୟାନ ପାଇଁ ରାହୁଲଙ୍କ ଘର ଆଗରେ ବିକ୍ଷୋଭ…..