ରିପୋର୍ଟ କାର୍ଡ / କୋଲକାତା
ମୁଖ୍ୟ ସଚିବ ଅଲପନ ବନ୍ଦୋପାଧ୍ୟାୟଙ୍କୁ କାର୍ଯ୍ୟମୁକ୍ତ ନ କରିବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ସେପଟେ ଆଦେଶ ଅନୁଯାୟୀ ନୂଆଦିଲ୍ଲୀ ସ୍ଥିତ କର୍ମଚାରୀ, ଜନ ଅଭିଯୋଗ ଏବଂ ପେନ୍ସନ୍ ମନ୍ତ୍ରାଳୟରେ ଉପସ୍ଥିତ ହେବାରେ ବିଫଳ ହୋଇଥିବା କାରଣରୁ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଆଲାପନ ବନ୍ଦୋପାଧ୍ୟାୟଙ୍କ ବିରୋଧରେ କେନ୍ଦ୍ର ସରକାର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆଜି ବିଶେଷସୂତ୍ରରୁ ଜଣାପଡ଼ିଛି । ରାଜ୍ୟ ସରକାର ସମ୍ପ୍ରତି ସଙ୍କଟ ଜନକ ସ୍ଥିତିରେ ରହିଛନ୍ତି। ତେଣୁ ଅଲପନଙ୍କୁ ଏବେ କାର୍ଯ୍ୟମୁକ୍ତ କରିବା ସମ୍ଭବ ହେବ ନାହିଁ ବୋଲି ମମତା ଚିଠିରେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି, ବନ୍ଦୋପାଧ୍ୟାୟଙ୍କୁ କର୍ମଚାରୀ, ଜନ ଅଭିଯୋଗ ଏବଂ ପେନ୍ସନ୍ ମନ୍ତ୍ରାଳୟରେ ଉପସ୍ଥିତ ହେବାକୁ ଦିଆଯାଇଥିବା ଏକତରଫା ଆଦେଶ ଯୋଗୁଁ ମୁଁ ମର୍ମାହତ ଓ ଚକିତ।୫ ପୃଷ୍ଠା ସମ୍ବଳିତ ପତ୍ରରେ ମୁଖ୍ୟମନ୍ତ୍ରୀ ବାନାର୍ଜୀ ଲେଖିଛନ୍ତି, ପଶ୍ଚିମବଙ୍ଗ ସରକାରଙ୍କ ସହ ପୂର୍ବରୁ ଆଲୋଚନା ନ କରି, ଅଧିକାରୀଙ୍କୁ କୌଣସି ବିକଳ୍ପ ଦିଆ ନ ଯାଇ, ୧୯୫୪ ଭାରତ ପ୍ରଶାସନିକ ସେବା ନିୟମର ସର୍ତ୍ତାବଳି ଓ ଅନ୍ୟାନ୍ୟ ଆଇନ ତର୍ଜମା ନ କରି ଏକତରଫା ଆଦେଶ ଦିଆଯାଇଛି। ଏହି ଏକତରଫା ଆଦେଶ ଅଯୌକ୍ତିକ, ଐତିହାସିକଭାବେ ଅଭୂତପୂର୍ବ ଏବଂ ସମ୍ପୂର୍ଣ୍ଣ ଅଣସାମ୍ବିଧାନିକ। ସେ ଆହୁରି ମଧ୍ୟ ଲେଖିଛନ୍ତି, ନିୟମ ଅନୁସାରେ ବିଚାର ଆଲୋଚନା କରିବା ପରେ ବୁଝାମଣାକୁ ଭିତ୍ତିକରି ତାଙ୍କ ନିଯୁକ୍ତିକୁ ପରିବର୍ଦ୍ଧିତ କରାଯାଇଥିଲା ଏବଂ ତାହା ଏବେ ମଧ୍ୟ କାଏମ ଥିବାରୁ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ପଶ୍ଚିମବଙ୍ଗ ସରକାର ତାଙ୍କର ମୁଖ୍ୟ ଶାସନ ସଚିବଙ୍କୁ ଛାଡ଼ି ପାରିବ ନାହିଁ, କି, ଛାଡୁନାହିଁ। ସୂଚନାଯୋଗ୍ୟ, ସୋମବାର ଦିନ ବନ୍ଦୋପାଧ୍ୟାୟ ଅବସର ଗ୍ରହଣ କରିଥାଆନ୍ତେ। କିନ୍ତୁ, ୧୯୮୭ ବ୍ୟାଚ୍ର ଏହି ପଶ୍ଚିମବଙ୍ଗ କ୍ୟାଡର୍ର ଆଇଏଏସ୍ ଅଫିସର୍ଙ୍କର ଗତବର୍ଷ ବାତ୍ୟା ‘ଅମ୍ଫନ୍’ ଏବଂ ସାମ୍ପ୍ରତିକ ମହାମାରୀ ପରିଚାଳନା ଅଭିଜ୍ଞତା ଥିବାରୁ ତାଙ୍କୁ ଆଉ ତିନି ମାସ ଚାକିରିରେ ରଖାଯାଉ ବୋଲି ମୁଖ୍ୟମନ୍ତ୍ରୀ ବାନାର୍ଜୀ କେନ୍ଦ୍ରକୁ ଅନୁରୋଧ କରିଥିଲେ। କେନ୍ଦ୍ର ମଧ୍ୟ ତାଙ୍କ ଅନୁରୋଧ ରକ୍ଷା କରି ଅନୁମତି ପ୍ରଦାନ କରିଥିଲେ। ଏହାଛଡ଼ା, ବନ୍ଦୋପାଧ୍ୟାୟ କେବ ମଧ୍ୟ କେନ୍ଦ୍ର ସରକାରରେ ଚାକିରି କରି ନାହାନ୍ତି କିଂବା ସରକାରଙ୍କର ବରିଷ୍ଠ ପଦବୀ ନିମନ୍ତେ ତାଲିକାଭୁକ୍ତ ହୋଇ ନାହାନ୍ତି।
More Stories
ନିର୍ମାଣ ହେବ ୧୧ ଏମଏସଏମଇ ପାର୍କ…..
କଂଗ୍ରେସରେ ମିଶିଲେ ପୂର୍ବ ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କ ଭଣଜା…..
ପୁରୀରୁ ନବୀନଙ୍କୁ ଟାର୍ଗେଟ,ସଂକଳ୍ପପତ୍ର ଆମପାଇଁ ଧର୍ମଗ୍ରନ୍ଥ…..