Report Card Odisha

| Daily Odia News

ନୂଆପଡ଼ା ଉପ-ନିର୍ବାଚନ:ଆଜି ନାମାଙ୍କନପତ୍ର ଯାଞ୍ଚ……

ରିପୋର୍ଟ କାର୍ଡ / ନୂଆପଡ଼ା/ଭୁବନେଶ୍ୱର

ନୂଆପଡ଼ା ବିଧାନସଭା ଉପ-ନିର୍ବାଚନ ପାଇଁ ଅକ୍ଟୋବର ୧୩ରୁ ଚାଲିଥିବା ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ୨୦ ତାରିଖରେ ସରିଛି। ଅକ୍ଟୋବର ୨୨ରେ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଯାଞ୍ଚ କରାଯିବ। ତେବେ ନୂଆପଡ଼ା ଉପ-ନିର୍ବାଚନ ମଇଦାନରେ ସମୁଦାୟ ୧୯ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏସଂକ୍ରାନ୍ତରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ସେମାନେ ହେଲେ ବିଜୁ ଜନତା ଦଳର ସ୍ନେହାଙ୍ଗିନୀ ଛୁରିଆ, ଭାରତୀୟ ଜନତା ପାର୍ଟିର ଜୟ ଢୋଲକିଆ, ଭାରତୀୟ ଜାତୀୟ କଂଗ୍ରେସର ଘାସିରାମ ମାଝୀ, ସମାଜବାଦୀ ପାର୍ଟିର ରମାକାନ୍ତ ହାତୀ, ବହୁଜନ ମୁକ୍ତି ପାର୍ଟିର ହେମନ୍ତ ତାଣ୍ଡି, ବହୁଜନ ସମାଜ ପାର୍ଟିର ରାଜାରାମ ସାହୁ, ଓଡ଼ିଶା ଜନତା ଦଳର ଶୁକଧର ଦଣ୍ଡସେନା, ରାଷ୍ଟ୍ରୀୟ ପରିବର୍ତ୍ତନ ଦଳର ସୀତାରାମ ବେହେରା ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏମାନଙ୍କ ସହିତ ୧୧ ସ୍ବାଧୀନ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସ୍ବାଧୀନ ପ୍ରାର୍ଥୀମାନେ ହେଲେ ଆଶ୍ରୟ ମହାନନ୍ଦ, ଇଂ. ଚକ୍ରାନ୍ତ ଜେନା, ପୁରୁଷୋତ୍ତମ ବେହେରା, କମଲ କୁମାର ଛତ୍ରିଆ, ଭୁବନଲାଲ ସାହୁ, ଲୋଚନ ମାଝୀ, ଭୁଜବଳ ଆଡ଼ବଙ୍ଗ, କିଶୋର କୁମାର ବାଗ, ଭକ୍ତବନ୍ଧୁ ଧରୁଆ, ନୀତା ବାଗ ଏବଂ ଲକ୍ଷ୍ମୀକାନ୍ତ ତାଣ୍ଡି। ଅକ୍ଟୋବର ୨୪ (ଶୁକ୍ରବାର) ନାମାଙ୍କନପତ୍ର ପ୍ରତ୍ୟାହାର ଶେଷ ତାରିଖ ଥିବାବେଳେ ନଭେମ୍ବର ୧୧ରେ ଭୋଟ ଗ୍ରହଣ କରାଯିବ। ସେହିଭଳି ନଭେମ୍ବର ୧୪ରେ ଭୋଟ ଗଣତି କରି ଫଳଫଳ ପ୍ରକାଶ ପାଇବ। ନଭେମ୍ବର ୧୬ (ରବିବାର) ସୁଦ୍ଧା ଏହି ଉପ-ନିର୍ବାଚନର ସମସ୍ତ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ। ନାମାଙ୍କନପତ୍ର ଦାଖଲ ସମୟରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଏବଂ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ସେମାନଙ୍କ ସମର୍ଥକଙ୍କୁ ଧରି ଶୋଭାଯାତ୍ରାରେ ଆସି ନାମାଙ୍କନପତ୍ର ଦାଖଲ କରିଥିଲେ। ଅନ୍ୟପଟେ ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ ନାମାଙ୍କନପତ୍ର ଦାଖଲ କରିବା ପୂର୍ବଦିନ ସମର୍ଥକଙ୍କୁ ଧରି ଶୋଭାଯାତ୍ରା କରିଥିଲେ। ନାମାଙ୍କନପତ୍ର ଯାଞ୍ଚ ପ୍ରକ୍ରିୟା ସରିବା ପରେ ପ୍ରାର୍ଥୀମାନେ ପ୍ରଚାର ମଇଦାନକୁ ଓହ୍ଲାଇବେ। ଭୋଟରଙ୍କ ପାଖକୁ ଯାଇ ଭୋଟ ମାଗିବା ସହିତ ଦଳର ତୁଙ୍ଗନେତାଙ୍କୁ ନେଇ ପ୍ରଚାର କରିବେ। ପ୍ରଚାର ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିସାରିଛନ୍ତି। ଏଥିରେ ବିଜେପି ଏବଂ କଂଗ୍ରେସର ରାଜ୍ୟ ଶୀର୍ଷ ନେତୃବୃନ୍ଦଙ୍କ ସହିତ ଜାତୀୟ ସ୍ତରୀୟ ନେତା ରହିଛନ୍ତି। ସେହିପରି ବିଜେଡି ତାଲିକାରେ ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କ ସହ ତୁଙ୍ଗନେତାମାନେ ରହିଛନ୍ତି।

Breaking News