Report Card Odisha

| Daily Odia News

କରୋନାର ସଫଳ ମୁକାବିଲା ପାଇଁ ରାଜ୍ୟବାସୀଙ୍କୁ ଶ୍ରେୟ ଦେଲେ ମୁଖ୍ୟମନ୍ତ୍ରୀ….

ରିପୋର୍ଟ କାର୍ଡ / ଭୁବନେଶ୍ବର

କରୋନା ମହାମାରୀକୁନେଇ ବୁଧବାର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟମେଣ୍ଟ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ ଦେଇଛନ୍ତି । ଭିଡିଓ କନଫରେନ୍ସିଂରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ କରୋନାର ସଫଳ ମୁକାବିଲା ପାଇଁ ରାଜ୍ୟବାସୀଙ୍କୁ ଶ୍ରେୟ ଦେବା ସହିତ କରୋନା ମୁକାବିଲାରେ କେନ୍ଦ୍ର ସରକାରଙ୍କୁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏତେ କମ୍‌ ସମୟ ମଧ୍ୟରେ ଟିକା ଉଦ୍ଭାବନ କରିଥିବାରୁ ବୈଜ୍ଞାନିକଙ୍କ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଗତବର୍ଷ ସାରା ବିଶ୍ବ କରୋନା ସଙ୍କଟ ଦେଇ ଗତି କରିଛି। କରୋନା ଯେ କେବଳ ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିଥିଲା ତାହା ନୁହେଁ ଏହା ଲୋକଙ୍କ ଜୀବନ ଜୀବିକା ତଥା ଆର୍ଥିକ ସ୍ଥିତିକୁ ଗଭୀର ଭାବେ ପ୍ରଭାବିତ କରିଛି। ଓଡ଼ିଶା ପ୍ରତିବର୍ଷ ବାତ୍ୟାଜନିତ ପ୍ରାକୃତିକ ଦୁର୍ବିପାକର ସମ୍ମୁଖୀନ ହୋଇଥାଏ। ବିପର୍ଯ୍ୟୟ ମୁକାବିଲାରେ ଆମ ପ୍ରଶାସନିକ କଳ ସିଦ୍ଧହସ୍ତ। ଓଡ଼ିଶାବାସୀଙ୍କ ସହଯୋଗ ଯୋଗୁଁ ଆମେ କରୋନା ମୁକାବିଲାରେ ସଫଳତା ପାଇଛୁ ଏବଂ କ୍ଷୟକ୍ଷତି ନିୟନ୍ତ୍ରଣରେ ରଖି ପାରିଛୁ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟକର୍ମୀ ଓ ପ୍ରଶାସନିକ କଳ ପ୍ରଶଂସା କରିଛନ୍ତି। ସେ କହିଛନ୍ତି କରୋନା ସମୟରେ ସ୍ବାସ୍ଥ୍ୟକର୍ମୀ ଓ ପ୍ରଶାସନିକ କଳର କର୍ତ୍ତବ୍ୟ ପରାୟଣତା ପ୍ରେରଣାଦାୟୀ ଥିଲା। ଟିକା ମଧ୍ୟ ନାଗରିକଙ୍କ ମଧ୍ୟରେ ନୂଆ ଆଶା ଜାଗ୍ରତ କରିଛି। ଟିକା ଉତ୍ପାଦନରେ ଭାରତ ସର୍ବାଗ୍ରେ ଥିବାରୁ ଏହା ଆମ ପାଇଁ ଗର୍ବର ବିଷୟ। ବିଶ୍ବରେ ତଥା ଆମ ଦେଶର କେତେକ ରାଜ୍ୟରେ କରୋନାର ଦ୍ବିତୀୟ ଲହରକୁ ଦେଖି ଆମେ ସଜାଗ ରହିବାର ଆବଶ୍ୟକତା ରହିଛି। ଆମେ ପୁଣି ଥରେ ଲକଡାଉନ ବ୍ୟବସ୍ଥାକୁ ଫେରି ପାରିବାନି; କିନ୍ତୁ ଏହାମଧ୍ୟରେ କରୋନାକୁ କିପରି ପ୍ରତିହତ କରାଯାଇପାରିବ ସେ ନେଇ ସଚେତନତା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Breaking News