Report Card Odisha

| Daily Odia News

ହାଇସ୍କୁରେ ହିନ୍ଦୀ ଓ ସଂସ୍କୃତ ବିଷୟକୁ ନେଇ ଚିନ୍ତା….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଧନ୍ଦାମୂଳକ ଶିକ୍ଷା ଆଳରେ ରାଜ୍ୟ ସରକାର ହାଇସ୍କୁଲଗୁଡ଼ିକରୁ ତୃତୀୟ ଭାଷା ହିନ୍ଦୀ ଓ ସଂସ୍କୃତ ବିଷୟକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ଯୋଜନା କରୁଛନ୍ତି କି  | ଏନେଇ ପ୍ରଶ୍ନ ଆସୁଛି | କାରଣ ଧନ୍ଦାମୂଳକ ବିଷୟ ପାଠପଢ଼ା ଆରମ୍ଭ ହେବା ପରେ ପାଖାପାଖି ୧୦ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ସଂସ୍କୃତରେ ଶିକ୍ଷା ଗ୍ରହଣ କରୁନାହାନ୍ତି। ଭବିଷ୍ୟତରେ ହିନ୍ଦୀର ଆବଶ୍ୟକତା ରହିଥିବାରୁ କାଁ ଭାଁ ଛାତ୍ରଛାତ୍ରୀ ଏହାକୁ ନେଇ ପଢ଼ୁଛନ୍ତି। ରାଜ୍ୟର ୫୭୬ଟି ଉଚ୍ଚ ବିଦ୍ୟାଳୟରେ ବିଭିନ୍ନ ଟ୍ରେଡ୍‌ରେ ଛାତ୍ରଛାତ୍ରୀଙ୍କୁ ଧନ୍ଦାମୂଳକ ବିଷୟ ପଢ଼ାଯାଉଛି। ୫ ବର୍ଷ ହେଲା ପର୍ଯ୍ୟାୟକ୍ରମେ ବିଭିନ୍ନ ସ୍କୁଲରେ ଏହି ବିଷୟ ଖୋଲୁଥିବା ବେଳେ ୨୦୨୦-୨୧ ଶିକ୍ଷାବର୍ଷରେ ଆଉ ୩୫୫ଟି ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷା ଆରମ୍ଭ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଗତ ୧୦ ତାରିଖ‌ରେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭିନ୍ନ ଆଶଙ୍କା ପ୍ରକାଶ ପାଇଛି। ଦେଖିବାକୁ ମିଳିଛି କି ଯେଉଁ ବିଦ୍ୟାଳୟଗୁଡ଼ିକରେ ଉଭୟ ହିନ୍ଦୀ/ସଂସ୍କୃତି/ଧନ୍ଦାମୂଳକ ଶିକ୍ଷା ରହିଛି, ସେଠାରେ ୭୦% ଛାତ୍ରଛାତ୍ରୀ ଧନ୍ଦାମୂଳକ ବିଷୟ ନେଉଛନ୍ତି। ଏମିତିକି କେତେକ ସ୍ଥାନରେ ଧନ୍ଦାମୂଳକ ବିଷୟରେ ପଢ଼ିବାକୁ ପିଲାଙ୍କ ଇଚ୍ଛା ଥିଲେ ମଧ୍ୟ ସିଟ୍‌ ପାଉନାହାନ୍ତି। ଆଉ ବାଧ୍ୟ ହୋଇ ହିନ୍ଦୀ ଓ ସଂସ୍କୃତ ବିଷୟରେ ଶିକ୍ଷା ଗ୍ରହଣ କରୁଛନ୍ତି। ଏମିତି ଶତାଧିକ ବିଦ୍ୟାଳୟ ରହିଛି ଯେଉଁଠି ସଂସ୍କୃତ ଓ ହିନ୍ଦୀ ବିଷୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଏକ ଅଙ୍କ ଡେଉଁ ନ ଥିବା ନଜରକୁ ଆସିଛି। ନିଖିଳୋତ୍କଳ ସଂସ୍କୃତ ଶିକ୍ଷକ ମହାସଂଘର ସାଧାରଣ ସମ୍ପାଦକ କୁମାର ଚନ୍ଦ୍ର ମିଶ୍ର କହିଛନ୍ତି ଯେ ହାଇସ୍କୁଲରୁ ସଂସ୍କୃତ ପାଠ ଉଠାଇ ଦେବା ପାଇଁ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହୋଇଛି। ତୃତୀୟ ଭାଷା ଭାବେ ସବୁ ରାଜ୍ୟରେ ସଂସ୍କୃତ ପଢ଼ାଯାଉଛି। ତେବେ ଓଡ଼ିଶାରେ ତୃତୀୟ ଭାଷାର ବିକଳ୍ପ ଭାବେ ଧନ୍ଦାମୂଳକ ବିଷୟ ରଖି ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରାଯାଉଛି। ଧନ୍ଦାମୂଳକ ବିଷୟରେ ପଢ଼ିଲେ ଛାତ୍ରଛାତ୍ରୀଙ୍କୁ ୭୦ ନମ୍ବର ପ୍ରାକ୍ଟିକାଲ ମିଳୁଛି ଏବଂ ସେମାନେ ବିନା ପଢ଼ାରେ ଭଲ ନମ୍ବର ପାଉଛନ୍ତି। ତେଣୁ ସେମାନେ ସଂସ୍କୃତ/ହିନ୍ଦୀ ବଦଳରେ ଧନ୍ଦାମୂଳକ ଶିକ୍ଷା ପଢ଼ିବାକୁ ଆଗ୍ରହ ଦେଖାଉଛନ୍ତି। ଗତ ୫ ବର୍ଷ ମଧ୍ୟରେ ପର୍ଯ୍ୟାୟକ୍ରମେ ଧନ୍ଦାମୂଳକ ଶିକ୍ଷାକୁ ଗୋଟିଏ ପରେ ଗୋଟିଏ ବିଦ୍ୟାଳୟରେ ଖୋଲାଯାଇ ସଂସ୍କୃତ/ହିନ୍ଦୀକୁ ଦୁର୍ବଳ କରାଯାଉଛି। ଏବେ ୩୫୫ଟି ବିଦ୍ୟାଳୟରେ ସଂସ୍କୃତ/ହିନ୍ଦୀ ପରିବର୍ତ୍ତେ ଧନ୍ଦାମୂଳକ ଶିକ୍ଷା ପ୍ରଚଳନ ଦ୍ବାରା ଭବିଷ୍ୟତରେ ସଂସ୍କୃତ ଭାଷା ଅସ୍ତିତ୍ବ ହରାଇବ। ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି ଯେ ଧନ୍ଦାମୂଳକ ବିଷୟରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବା ଭଲ କଥା। ତା’ମାନେ ନୁହେଁ ଯେ ତୃତୀୟ ଭାଷା(ସଂସ୍କୃତ ଓ ହିନ୍ଦୀ)ର ବିକଳ୍ପ ଭାବେ ରଖାଯିବ। ବରଂ ଧନ୍ଦାମୂଳକ ବିଷୟକୁ ଅପ୍‌ସନାଲ ବିଷୟ ଭାବେ ପାଠ୍ୟକ୍ରମରେ ସାମିଲ କରାଯାଉ। ଫଳରେ ଧନ୍ଦାମୂଳକ ବିଷୟରେ ଥିବା ବିଭିନ୍ନ ଟ୍ରେଡ୍‌ ଯଥା ବିଜନେସ୍‌ ମ୍ୟାନେଜ୍‌ମେଣ୍ଟ, ଆଇଟି, କମ୍ପ୍ୟୁଟର, ଟୁରିଜିମ୍‌, ହୋଟେଲ ମ୍ୟାନେଜ୍‌ମେଣ୍ଟ ଆଦିକୁ ଅପସ୍‌ନାଲ ବିଷୟ ଭାବେ ପଢ଼ିପାରିବେ। ନ ହେଲେ ଛାତ୍ରଛାତ୍ରୀ ସଂସ୍କୃତ ଓ ହିନ୍ଦୀରୁ ଯେଉଁଭାବେ ମୁହଁ ଫେରାଉଛନ୍ତି, ଆଉ କିଛି ବର୍ଷ ମଧ୍ୟରେ ହାଇସ୍କୁଲରେ ଏହି ବିଷୟ ବନ୍ଦ ହୋଇଯିବ। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ସଂସ୍କୃତ ଆମର ଆଦି ଭାଷା। ତାହାକୁ କେବେ ବି ବନ୍ଦ କରିବାକୁ ଦିଆଯିବ ନାହିଁ। ତେବେ ପିଲାଙ୍କ ଭବିଷ୍ୟତ ଲାଗି ଧନ୍ଦାମୂଳକ ଶିକ୍ଷାର ଆବଶ୍ୟକତା ବହୁତ ରହିଛି। ଜାତୀୟ ଶିକ୍ଷା ନୀତିରେ ଏ ଦିଗରେ ପ୍ରାଥମିକତା ଦିଆଯାଇଥିବାରୁ ଆମେ ଗୁରୁତ୍ବ ଦେଉଛୁ।

 

Breaking News