ରିପୋର୍ଟ କାର୍ଡ / କଟକ
କୌଣସି ଅପରାଧିକ ମାମଲାରେ ଅଭିଯୁକ୍ତ ଥିବା ନାବାଳକ ଆଗୁଆ ଜାମିନ ଆବେଦନ କରି ପାରିବେ। ସିଆର୍ପିସିର ଧାରା ୪୩୮ରେ ନାବାଳକଙ୍କ ଆଗୁଆ ଜାମିନ ଆବେଦନ ଗ୍ରହଣୀୟ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି। ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ରାୟ ଦେଇଛନ୍ତି। କିଶୋର ନ୍ୟାୟ ଆଇନଅନୁସାରେ ଜଣେ ନାବଳକକୁ ଗିରଫ କରାଯାଇ ପାରିବ ନାହିଁ। ଯେଉଁଠି ଗିରଫଦାରୀର ଆଶଙ୍କା ନାହିଁ ସେଠାରେ ଆଗୁଆ ଜାମିନ ଆବେଦନ ସଂପର୍କିତ ଧାରା ୪୩୮ ଲାଗୁ ହେବ ନାହିଁ ବୋଲି ଭଦ୍ରକ ଜିଲ୍ଲା ଓ ଦୌରା ଜଜ୍ ଅଦାଲତ ରାୟ ଦେଇଥିଲେ। ଏଥି ସହିତ ଅଦାଲତ ନାବାଳକଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିଥିଲେ। ଏହି ରାୟକୁ ଚାଲେଞ୍ଜ କରି ହାଇକୋର୍ଟରେ ଦାୟର ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ ଏସ୍ସି ଆଣ୍ଡ ଏସ୍ଟି (ପିଏ) ଆଇନରେ ସିଆରପିସିର ଧାରା ୪୩୮ରେ ଆଗୁଆ ଜାମିନ ପ୍ରଦାନ ଉପରେ ସ୍ବତନ୍ତ୍ର ଭାବେ ଅଙ୍କୁଶ ରହିଛି। କିନ୍ତୁ ଜେଜେ ଆକ୍ଟରେ ଆଗୁଆ ଜାମିନ ଉପରେ ଅଙ୍କୁଶ ନେଇ ନିର୍ଦ୍ଦିଷ୍ଟ ଭାବେ କିଛି ବି ଉଲ୍ଲେଖ ନାହିଁ। ତେଣୁ ଏପରି କ୍ଷେତ୍ରରେ ସିଆରପିସିର ଧାରା ୪୩୮ ଲାଗୁ ହେବ। ଜଣେ ନାବାଳକଙ୍କ ଆଗୁଆ ଜାମିନ ଆବେଦନ ଗ୍ରହଣୀୟ ହେବ ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ଆବେଦନକାରୀ ଦୁଇ ନାବାଳକଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଆଗୁଆ ଜାମିନ ମଞ୍ଜୁର କରିଛନ୍ତି। ବିବରଣୀରୁ ପ୍ରକାଶ ଯେ ଦୁଇ ନାବାଳକଙ୍କ ବିରୋଧରେ ଚୋରି ଅଭିଯୋଗ ନେଇ ଥାନାରେ ଅପରାଧିକ ମାମଲା ରୁଜୁ ହୋଇଥିବା ବେଳେ ସେମାନେ ଭଦ୍ରକ ଜିଲ୍ଲା ଓ ଦୌରା ଜଜ୍ ଅଦାଲତରେ ଆଗୁଆ ଜାମିନ ଆବେଦନ ଦାୟର କରିଥିଲେ। ୨୦୨୨, ଜୁଲାଇ ୧୦ରେ ଏହି ଆବେଦନ ଖାରଜ ହେବା ପରେ ଉଭୟ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଜଣେ ନାବାଳକଙ୍କ ଆଗୁଆ ଜାମିନ ଆବେଦନ ଗ୍ରହଣୀୟ ହେବ ବା ନାହିଁ ସେ ନେଇ ଶୁଣାଣି ହୋଇଥିଲା। ହାଇକୋର୍ଟ ଆମିକସକ୍ୟୁରୀ ଭାବେ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକଙ୍କୁ ନିଯୁକ୍ତି ଦେଇଥିଲେ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..