ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବେ ତାକୁ ନେଇ ଏବେଠୁ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ତେବେ କେନ୍ଦ୍ରରେ କ୍ଷମତାସୀନ ଏନ୍ଡିଏ ଏଭଳି ଜଣେ ନିର୍ମଳ ଭାବମୂର୍ତ୍ତି ସଂପନ୍ନ ବ୍ୟକ୍ତିଙ୍କୁ ରାଷ୍ଟ୍ରପତି ପଦରେ ବସାଇବାକୁ ଚିନ୍ତା କରୁଛି, ଯାହାଙ୍କୁ ଅନ୍ୟ ଆଞ୍ଚଳିକ ଦଳ ପକ୍ଷରୁ ପୂର୍ଣ୍ଣ ସମର୍ଥନ ମିଳିପାରିବ। ସେ ଦୃଷ୍ଟିରୁ ମୟୂରଭଞ୍ଜର ପୁରୁଖା ଆଦିବାସୀ ନେତ୍ରୀ ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କ ନାଁ ମଧ୍ୟ ଚର୍ଚ୍ଚା ହେଉଛି। ରାଜନୈତିକ ଅଭିଜ୍ଞତା, ଯୋଗ୍ୟତା ଓ ଭାବମୂର୍ତ୍ତି ଦୃଷ୍ଟିରୁ ଦେଖିଲେ ଦ୍ରୌପଦୀଙ୍କୁ ଅନ୍ୟ ଦଳମାନେ ନିଃସର୍ତ୍ତ ସମର୍ଥନ ବି କରିପାରନ୍ତି। ଦ୍ରୌପଦୀ ଶିକ୍ଷୟିତ୍ରୀ ଚାକିରି ଛାଡ଼ି ରାଜନୀତିକୁ ଆସିଥିଲେ । ବିଜେଡି-ବିଜେପି ମେଣ୍ଟ ସରକାର ସମୟରେ ବିଜେପିରୁ ବିଧାୟିକା ଭାବେ ନିର୍ବାଚିତ ହୋଇ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ପରିବହନ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ହୋଇଥିଲେ। ନବୀନଙ୍କ ସହ ଦ୍ରୌପଦୀଙ୍କର ଏବେ ବି ଭଲ ସମ୍ପର୍କ ରହିଛି। ରାଷ୍ଟ୍ରପତି ନିର୍ବାଚନରେ ବିଜେଡି କାହାକୁ ସମର୍ଥନ କରିବ, ସେ ସଂପର୍କରେ ଦଳର ସୁପ୍ରିମୋ କିଛି ସ୍ପଷ୍ଟ କରିନଥିଲେ ମଧ୍ୟ ପ୍ରାର୍ଥୀଙ୍କୁ ଦେଖି ତାଙ୍କ ଦଳ ନିଷ୍ପତ୍ତି ନେବ ବୋଲି ନିକଟରେ ଦିଲ୍ଲୀଠାରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଥିଲେ। ତେବେ ଦ୍ରୌପଦୀ ଯଦି ବିଜେପିରୁ ରାଷ୍ଟ୍ରପତି ପ୍ରାର୍ଥୀ ହୁଅନ୍ତି, ତା ହେଲେ ବିଜେଡି ତାଙ୍କୁ ନିଶ୍ଚିତ ସମର୍ଥନ କରିବ ବୋଲି ରାଜନୀତି ବିଶେଷଜ୍ଞଙ୍କ ମଧ୍ୟରେ ଆଲୋଚନା ଜାରିରହିଛି । ଏମିତିରେ ବିଜେପିର ଶୀର୍ଷ ନେତୃବୃନ୍ଦଙ୍କ ସହ ଦ୍ରୌପଦୀଙ୍କ ସମ୍ପର୍କ ଖୁବ ଭଲ। ଯେଉଁଥିପାଇଁ ତାଙ୍କୁ ଝାଡ଼ଖଣ୍ଡର ରାଜ୍ୟପାଳ ଭଳି ପଦରେ ଅବସ୍ଥାପିତ କରିଥିଲା ଦଳ। ସେଠାରେ ରାଜ୍ୟପାଳ ଥିବା ସମୟରେ ସେ ସମସ୍ତଙ୍କ ମଧ୍ୟରେ ଗ୍ରହଣୀୟ ହୋଇ ପାରିଥିଲେ। ଝାଡ଼ଖଣ୍ଡରେ କ୍ଷମତାସୀନ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ର ସୁପ୍ରିମୋ ଶିବୁ ସୋରେନ୍ ଓ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହ ବି ଦ୍ରୌପଦୀଙ୍କର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ରହିଛି। ତେଣୁ ଦ୍ରୌପଦୀଙ୍କୁ ବିଜେପି ରାଷ୍ଟ୍ରପତି ପ୍ରାର୍ଥୀ କଲେ ବିଜେଡି, ଜେଏମ୍ଏମ୍ ସମେତ କ୍ଷମତାସୀନ ଅନ୍ୟାନ୍ୟ ଆଞ୍ଚଳିକ ଦଳଗୁଡ଼ିକରୁ ସମର୍ଥନ ମିଳିବ ବୋଲି କୁହାଯାଉଛି। ସେହିପରି ଦ୍ରୌପଦୀଙ୍କୁ ପ୍ରାର୍ଥୀ କରି ଓଡ଼ିଶାବାସୀଙ୍କ ମନ ଜିଣିବାକୁ ଦଳ ଚେଷ୍ଟା କରିପାରେ। ଦ୍ରୌପଦୀ ରାଷ୍ଟ୍ରପତି ହେଲେ ୨୦୨୪ରେ ଓଡ଼ିଶାରେ କ୍ଷମତାକୁ ଆସିବାକୁ ଲକ୍ଷ୍ୟ ରଖିଥିବା ବିଜେପି ପାଇଁ ଏକ ବଡ଼ ଭୋଟ୍ବ୍ୟାଙ୍କ ହୋଇପାରେ । ଯଦି ଏହା ସମ୍ଭବ ହୁଏ ତେବେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ବସିବାରେ ସେ ହେବେ ପ୍ରଥମ ଓଡ଼ିଆ ଓ ଭାରତର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..