ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀର ଏକ ଷ୍ଟାଡିୟରେ ଜଣେ ୨୩ ବର୍ଷ ବୟସ୍କ କୁସ୍ତିଯୋଦ୍ଧାଙ୍କୁ ହତ୍ୟା କରାଯିବା ଅଭିଯୋଗରେ ପୋଳିସ ଅଲିମ୍ପିକ୍ସ ବିଜେତା କୁସ୍ତିଯୋଦ୍ଧା ସୁଶିଲ କୁମାରଙ୍କୁ ଗିରଫ କରିଛି। ସୁଶିଲ ଅଲିମ୍ପିକ୍ସରେ ଦୁଇଥର ପଦକ ବିଜେତା ହୋଇଥିଲେ। ଛତ୍ରଶାଳ ଷ୍ଟାଡିୟମରେ ଚଳିତ ମାସ ୪ ତାରିଖରେ ୨୩ ବର୍ଷ ବୟସ୍କ ଜଣେ କୁସ୍ତିଯୋଦ୍ଧା ସାଗର ରାଣାଙ୍କୁ ହତ୍ୟା କରାଯାଇଥିଲା। ସେଥିରେ ସୁଶିଲ କୁମାର ଓ ଅନ୍ୟଜଣେ ସଂପୃକ୍ତ ଥିବା ଅଭିଯୋଗ ହୋଇଥିଲା। ଦିଲ୍ଲୀ ପୋଲିସ ପକ୍ଷରୁ ଏହି ମାମଲାରେ ସୁଶିଲ କୁମାର ଓ ତାଙ୍କ ସହଯୋଗୀଙ୍କୁ ଖୋଜାଯାଉଥିବାବେଳେ ସେମାନେ ଫେରାର ଥିଲେ। ତେବେ ସେମାନଙ୍କୁ ଆଜି ସକାଳେ ଦକ୍ଷିଣ ପଶ୍ଚିମ ଦିଲ୍ଲୀର ମୁଣ୍ଡକା ଅଞ୍ଚଳରୁ ଗିରଫ କରାଯାଇଛି। ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଦିଲ୍ଲୀ ପୋଲିସ ସ୍ୱତନ୍ତ୍ର ପ୍ରକୋଷ୍ଠର ସହକାରୀ ଆରକ୍ଷୀ ଆୟୁକ୍ତଙ୍କ ଅଧୀନରେ ଆରକ୍ଷୀ ନିରୀକ୍ଷକ କରମବୀରଙ୍କ ନେତୃତ୍ୱରେ ଏକ ଦଳ ମୁଣ୍ଡକା ଅଞ୍ଚଳରେ ଚଢଉ କରି ସୁଶିଲ ଏବଂ ତାଙ୍କ ସହଯୋଗୀ ଅଜୟଙ୍କୁ ଗିରଫ କରିଥିଲେ। ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଚଳିତ ମାସ ୪ ତାରିଖରେ ସାଗର ରାଣା ଏବଂ ତାଙ୍କର ଦୁଇବନ୍ଧୁଙ୍କ ଉପରେ ସୁଶିଲ କୁମାର ଏବଂ ତାଙ୍କ ସହଯୋଗୀମାନେ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ଗୁରୂତର ଆହତ ତିନିଜଣଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ହସପିଟାଲରେ ରାଣାଙ୍କର ମୃତ୍ୟୁ ଘଟିଥିଲା। ସୁଶିଲଙ୍କୁ ଧରାଇଦେବା ପାଇଁ ଦିଲ୍ଲୀ ପୋଲିସ ପକ୍ଷରୁ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା।
More Stories
ରାହୁଲଙ୍କ ଦ୍ୱାରା ହୋଇଥିବା ଅଭିଯୋଗ ଭିତ୍ତିହୀନ…..
ଯାତ୍ରୀଙ୍କୁ ଚାପୁଡା ମାରିଲେ ଆମ ବସ୍ କଣ୍ଡକ୍ଟର…..
କଂଗ୍ରେସ ଆଣିଲା ଅନାସ୍ଥା ପ୍ରସ୍ତାବ…..