Report Card Odisha

| Daily Odia News

DRDO ତଥ୍ୟ ଚୋରି ମାମଲାର କେନ୍ଦ୍ର-ରାଜ୍ୟ ସରକାରଙ୍କୁ ନୋଟିସ କଲେ ହାଇକୋର୍ଟ…..

ରିପୋର୍ଟ କାର୍ଡ / କଟକ

DRDO ତଥ୍ୟ ଚୋରି ମାମଲାର କେନ୍ଦ୍ର-ରାଜ୍ୟ ସରକାରଙ୍କୁ ନୋଟିସ ଜାରିକଲେ ହାଇକୋର୍ଟ | ଏହି ତଥ୍ୟ ଚୋରି ମାମଲାରେ ଉଚ୍ଚସ୍ତରୀୟ ତଦନ୍ତ ଦାବିରେ ଦାୟର ହୋଇଥିବା ଜନସ୍ବାର୍ଥ ମାମଲାର ଆଜି ପ୍ରାରମ୍ଭିକ ଶୁଣାଣି କରିଛନ୍ତି ହାଇକୋର୍ଟ। ମାମଲାର ପ୍ରତିପକ୍ଷ ତଥା ଉଭୟ କେନ୍ଦ୍ର-ରାଜ୍ୟ ସରକାରଙ୍କୁ ଆଜି ହାଇକୋର୍ଟ ନୋଟିସ ଜାରି କରିଥିବା ନେଇ ସୂଚନା ମିଳିଛି | ତଦନ୍ତର ଅଗ୍ରଗତି ନେଇ ସତ୍ୟପାଠ ମାଧ୍ୟମରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ପରବର୍ତ୍ତୀ ଶୁଣାଣି ପୂର୍ବରୁ ଏହି ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ହୋଇଛି। ଆଇନଜୀବୀ ଅରୁଣ କୁମାର ବୁଦ୍ଧିଆଙ୍କ ପକ୍ଷରୁ ଦାୟର ଆବେଦନରେ ଦର୍ଶାଯାଇଛି ଯେ, ଦେଶର ପ୍ରତିରକ୍ଷା ସଂପର୍କିତ ତଥ୍ୟ ଚୋରି ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଂଗ ହୋଇଥିବା ବେଳେ ସରକାର କ୍ରାଇମବ୍ରାଞ୍ଚକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ମାମଲା ସହ ବିଦେଶ ଲିଙ୍କ୍ ଥିବା ହେତୁ କ୍ରାଇମବ୍ରାଞ୍ଚ୍ ଏହାର ମୂଳରେ ପହଞ୍ଚିବା ସମ୍ଭବ ନୁହେଁ ବୋଲି ଆବେଦନକାରୀ କୋର୍ଟଙ୍କୁ ଦର୍ଶାଇଛନ୍ତି । ଗତ ସେପ୍ଟେମ୍ବର ୧୪ ତାରିଖରେ ଏହି ଘଟଣାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ବହୁ ତଥ୍ୟ ତଦନ୍ତରୁ ହସ୍ତଗତ ହୋଇଛି। ସେହିପରି ଏହି ଘଟଣା ପଛରେ ବିଦେଶୀ ଶକ୍ତିଙ୍କ ହାତ ରହିଛି। ବିଦେଶୀ ମହିଳାଙ୍କ ସହିତ ଅଭିଯୁକ୍ତମାନେ ନିୟମିତ ସଂପର୍କରେ ଥିଲେ। ବିଦେଶରୁ ମଧ୍ୟ ଟଙ୍କା‌ ଅଭିଯୁକ୍ତଙ୍କ ଖାତାକୁ ଆସିଥିଲା। ତେଣୁ ଘଟଣାର ସିବିଆଇ କିମ୍ବା ଏନଆଇଏ ତଦନ୍ତ କରାଯିବା ଉଚିତ। କେନ୍ଦ୍ରୀୟ ଏଜେନ୍ସି ତଦନ୍ତ କଲେ ପ୍ରକୃତ ଦୋ‌ଷୀ ଧରା ପଡିବେ ଓ ଏଭଳି ଷଡଯନ୍ତ୍ର ପଛରେ ରହିଥିବା ବିଦେଶୀ ଶକ୍ତିଙ୍କ ସଂକ୍ରାନ୍ତରେ ଜଣା ପଡିବ। ତେଣୁ ଘଟଣାର ସିବିଆଇ କିମ୍ବା ଏନଆଇଏ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

Breaking News