Report Card Odisha

| Daily Odia News

ବଲିଉଡ୍‌ ପାଇଁ ବଳାତ୍କାର ମାମଲା ଦେଖିବାକୁ ମିଳୁଛି କହିଲେ ଇମ୍ରାନ,ପତ୍ନୀ କଲେ ସମାଲୋଚନା-ନିଜ ଆଖିକୁ ସଂଯତରେ ରଖ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଅନେକ ସମୟରେ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହୋଇଥାନ୍ତି | ଏବେ ବଳାତ୍କାର ମାମଲା ଉପରେ ଭାରତ ବିରୋଧୀ ମନ୍ତବ୍ୟ ଦେଇ ଅଡୁଆରେ ପଡ଼ିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌। ଏପରି କି ନିଜ ପତ୍ନୀମା​‌ନଙ୍କଠାରୁ ବି ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଇମ୍ରାନ ବଳାତ୍କାର ମାମଲା ବୃଦ୍ଧି ପାଇଁ ବଲିଉଡ୍‌, ମହିଳାଙ୍କ ଛୋଟ ପୋଷାକ ପରିଧାନ ଏବଂ ପଶ୍ଚିମ ସଂସ୍କୃତିକୁ ଦାୟୀ କରିଛନ୍ତି। ଇମ୍ରାନଙ୍କ ଏହି ମନ୍ତବ୍ୟ ଉପରେ ତାଙ୍କର ପ୍ରଥମ ପତ୍ନୀ ଜେମିମା ଗୋଲ୍ଡସ୍ମିତ କହିଛନ୍ତି କି, ପୁରୁଷମାନଙ୍କ ଆଖି ଉପରେ ପରଦା ପକାଇବାକୁ ଶିକ୍ଷା ଦିଆଯାଇଛି, ମହିଳାମାନଙ୍କ ଉପରେ ପରଦା ପକାଇବାକୁ ନୁହେଁ। ନିଜ ଆଖିକୁ ସଂଯତ ରଖିବା ଦାୟିତ୍ଵ ପୁରୁଷମାନଙ୍କର। ସେ ଯେଉଁ ଇମ୍ରାନଙ୍କୁ ଜାଣିଥିଲେ, ସେ ପୁରୁଷଙ୍କ ଆଖିରେ ପରଦା ପକାଇବା କଥା କହୁଥିଲେ। ଏ ସେହି ଇମ୍ରାନ ନୁହନ୍ତି ବୋଳି ଜେମିମା କହିଛନ୍ତି। ସେହିପରି ଇମ୍ରାନଙ୍କ ୨ୟ ପତ୍ନୀ ରେହମ ଖାନ ମଧ୍ୟ ତାଙ୍କର ଏହି ମନ୍ତବ୍ୟ ପାଇଁ କଟୁ ସମାଲୋଚନା କରିବା ସହିତ ନିଜ ମୁହଁ ବନ୍ଦ ରଖିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଇମ୍ରାନ ଯେତେ କମ୍‌ କଥା କହିଲେ, ତାହା ସମସ୍ତଙ୍କ ପାଇଁ ସେତେ ଭଲ ହେବ। ସୂଚନାଯୋଗ୍ୟ, ଇମ୍ରାନ ପାକିସ୍ତାନରେ ବଢୁଥିବା ଅଶ୍ଳୀଳତା ପାଇଁ ଭାରତ ଏବଂ ୟୁରୋପକୁ ଦାୟୀ କରିଥିଲେ। ଏକ କାର୍ଯ୍ୟକ୍ରମରେ ସେ କହିଥିଲେ, ଦେଶରେ ବଢୁଥିବା ବଳାତ୍କାର ମାମଲାକୁ ରୋକିବା ପାଇଁ ଲୋକଙ୍କ ସହଯୋଗ ଜରୁରୀ। ବଳାତ୍କାରରୁ ବର୍ତ୍ତିବା ଲାଗି ପାକିସ୍ତାନୀ ମହିଳାମାନଙ୍କୁ ପରଦା ଭିତରେ ରହିବା ଦରକାର, ଫଳରେ ସେମାନଙ୍କୁ କେହି ପ୍ରଲୋଭିତ କରିପାରିବେ ନାହିଁ। ଇମ୍ରାନ ଆହୁରି କହିଥିଲେ, ଭାରତରେ ବଲିଉଡ୍‌ ଯୋଗୁ ଏତେସବୁ ବଳାତ୍କାର ମାମଲା ଦେଖିବାକୁ ମିଳୁଛି, ଯେଉଁଥିପାଇଁ ଦିଲ୍ଲୀକୁ ରେପ୍‌ କ୍ୟାପିଟାଲ କୁହାଯାଉଛି। ୟୁରୋପରେ ଅଶ୍ଳୀଳତା ପାରିବାରିକ ବ୍ୟବସ୍ଥାକୁ ନଷ୍ଟ କରିଦେଇଛି। ସେଥିଲାଗି ପାକିସ୍ତାନୀ ଲୋକମାନଙ୍କୁ ଅଶ୍ଳୀଳତା ଉପରେ ନିୟନ୍ତ୍ରଣ ଆଣିବା ଲାଗି ସହଯୋଗ କରିବା ଜରୁରୀ। ଅନ୍ୟପଟେ ଇମ୍ରାନଙ୍କ ଏପରି ମନ୍ତବ୍ୟ ପରେ ସୋସିଆଲ ମିଡିଆରେ ତାଙ୍କୁ ପ୍ରବଳ ଟ୍ରୋଲର ଶିକାର ହେବାକୁ ପଡ଼ିଛି। ଅନେକ ସେଲିବ୍ରିଟି ତାଙ୍କୁ ସମାଲୋଚନା କରିବା ସହିତ କ୍ଷମାପ୍ରାର୍ଥନା କରିବାକୁ ଦାବି କରିଛନ୍ତି। ପାକିସ୍ତାନରେ ମାନବାଧିକାର କର୍ମୀମାନେ ବି ଇମ୍ରାନଙ୍କୁ କ୍ଷମା ମାଗିବାକୁ କହିଛନ୍ତି।

Breaking News