Report Card Odisha

| Daily Odia News

ସେନା ଗାଡ଼ି ଆକ୍ରମରେ ପାକ୍‌ ଆତଙ୍କବାଦୀ ସମ୍ପୃକ୍ତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜମ୍ମୁ କଶ୍ମୀରର କଠୁଆରେ ଗତକାଲି ଏକ ସେନା ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ ହୋଇ ୫ ଜଣ ଯବାନ ସହିଦ ହୋଇଯାଇଥିବା ବେଳେ ଆହୁରି ୫ ଜଣ ଯବାନ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ତେବେ ମିଳିଥିବା ସୂଚନାନୁଯାୟୀ ଆକ୍ରମଣରେ ୨-୩ ଜଣ ପାକିସ୍ତାନୀ ଆତଙ୍କବାଦୀ ସମ୍ପୃକ୍ତ ଅଛନ୍ତି। ସେମାନେ ଏକ ପାହାଡ଼ ଉପରେ ରହି ‌ସେନା ଗାଡ଼ି ଉପରକୁ ପ୍ରଥମେ ଗ୍ରେନେଡ୍‌ ମାଡ଼ କରିଥିଲେ ଏବଂ ପରେ ଗୁଳି ଚଳାଇଥିଲେ। ଏହି ଆତଙ୍କବାଦୀ ଆକ୍ରମଣ ମାମଲାର ଏନ୍‌ଆଇଏ ତଦନ୍ତ ଆରମ୍ଭ ହୋଇଛି। ଏନ୍‌ଆଇଏ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡ଼ିଛି। ଆକ୍ରମଣ ପାଇଁ ଆମେରିକା ନିର୍ମିତ ଅତ୍ୟାଧୁନିକ ଅସ୍ତ୍ର ବ୍ୟବହାର ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପାକିସ୍ତାନୀ ଆତଙ୍କବାଦୀ ଏଥିପାଇଁ ସ୍ଥାନୀୟ ଲୋକଙ୍କଠାରୁ ସମର୍ଥନ ପାଇଥିବା କୁହାଯାଉଛି। ଏହା ଏକ ଅତ୍ୟନ୍ତ ଯୋଜନାବଦ୍ଧ ଆକ୍ରମଣ ଥିଲା। ସ୍ଥାନୀୟ ସମର୍ଥକଙ୍କ ଦ୍ବାରା ଆତଙ୍କବାଦୀମାନେ ଆକ୍ରମଣ କରିବା ପୂର୍ବରୁ ଏହାର ଏକ ପୂର୍ବ ପରୀକ୍ଷଣ ମଧ୍ୟ କରିଥିଲେ ବୋଲି ଜଣାପଡ଼ିଛି। ଆକ୍ରମଣ ପରେ ଆତଙ୍କବାଦୀମାନେ ନିକଟସ୍ଥ ଜଙ୍ଗଲକୁ ଖସି ପଳାଇଥିବା ବେଳେ ସେମାନଙ୍କୁ ଧରିବାପାଇଁ ଅପରେସନ୍‌ ଜାରି ରହିଛି। ଆତଙ୍କବାଦୀମାନେ କଠୁଆ ସହରଠାରୁ ୧୫୦ କିମି ଦୂର ଲୋହାଇ ମହ୍ଲାରର ବଦନୋଟା ଗ୍ରାମରେ ଏକ ସେନା ଗାଡ଼ି ଉପରେ ଆକ୍ରମଣ କରିଥିଲେ। ଆକ୍ରମଣରେ ଜଣେ ଜେସିଓଙ୍କ ସମେତ ୫ ଜଣ ଯବାନ ସହିଦ ହୋଇଛନ୍ତି। ଆକ୍ରମଣର କଡ଼ା ଜବାବ ଦେଇ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯବାନମାନଙ୍କ ବଳିଦାନ ଆଦୌ ବ୍ୟର୍ଥ ଯିବନାହିଁ। ପ୍ରତିରକ୍ଷା ସଚିବ ଭାରତ ଭୂଷଣ ବାସୁ ଏକ୍ସରେ ଏକ ‌ପୋଷ୍ଟ୍‌ କରି କହିଛନ୍ତି, ବଦ‌ନୋଟା ଆତଙ୍କବାଦୀ ଆକ୍ରମଣରେ ୫ ଜଣ ଯବାନ ସହିଦ ହେବା ଘଟଣାରେ ମୁଁ ଗଭୀର ଶୋକ ପ୍ରକାଶ କରୁଛି ଏବଂ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ସମବେଦନା ଜ୍ଞାପନ କରୁଛି। ଦେଶ ପାଇଁ ‌ସେମାନଙ୍କ ସ୍ବାର୍ଥହୀନ ସେବା ସର୍ବଦା ମନେ ରହିବ ଏବଂ ସେମାନଙ୍କ ତ୍ୟାଗ ଆଦୌ ବ୍ୟର୍ଥ ଯିବନାହିଁ। ଆକ୍ରମଣ ପଛରେ ଥିବା ଦୁଷ୍ଟ ଶକ୍ତିକୁ ଭାରତ ପରାଜିତ କରିବ। ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନମାନେ ହେଉଛନ୍ତି ‌ଜେସିଓ ଅନନ୍ତ ସିଂହ, ହେଡ କନେଷ୍ଟବଳ କମଳ ରାୱତ, ଅନୁଜ ନେଗି, ଆଦର୍ଶ ନେଗି ଏବଂ ଏନ୍‌କେ କୁମାର। ସେହିପରି ଆହତ ଯବାନମାନେ ହେଉଛନ୍ତି ମୁଖ୍ୟ କନେଷ୍ଟବଳ ଅରବିନ୍ଦ ସିଂହ, ସୁଝନ ସିଂହ, ଗଗନଦୀପ ସିଂହ, କାର୍ତ୍ତିକ ଏବଂ ନାଏକ ସାଗର ସିଂହ। ଉଲ୍ଲେଖଯୋଗ୍ୟ, ମାସକ ମଧ୍ୟରେ ଜମ୍ମୁରେ ଏହା ଷଷ୍ଠ ଆତଙ୍କବାଦୀ ଆକ୍ରମଣ।

Breaking News