ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦୁଇଦିନିଆ ରୁଷ୍ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ୟୁକ୍ରେନ ଯୁଦ୍ଧର ଅନ୍ତ ଘଟାଇବାକୁ ନିବେଦନ କରିଛନ୍ତି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମସ୍କୋସ୍ଥିତ ସରକାରୀ ବାସଭବନରେ ଅନୁଷ୍ଠିତ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ କହିଥିଲେ ଯେ ଯୁଦ୍ଧ ଦ୍ବାରା କୌଣସି ସମାଧାନ ମିଳିପାରିବ ନାହିଁ। ଯୁଦ୍ଧରେ ଶିଶୁମାନଙ୍କ ମୃତ୍ୟୁ ହୃଦୟ ବିଦାରକ। ଯୁଦ୍ଧକ୍ଷେତ୍ରରେ କୌଣସି ସମସ୍ୟାର ସମାଧାନ ହୋଇପାରିବ ନାହିଁ। ଆଲୋଚନା ଓ କୂଟନୀତି ହିଁ ଆଗକୁ ବଢ଼ିବାର ବାଟ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ପୁଟିନଙ୍କୁ ଆଲୋଚନା ଅବସରରେ କହିଥିଲେ। ଏଥିସହ ଅସାଧୁ ଟ୍ରାଭେଲ ଏଜେଣ୍ଟଙ୍କ ଦ୍ୱାରା ଭାରତୀୟ ନାଗରିକମାନେ ପ୍ରତାରିତ ହୋଇ ରୁଷ୍ସେନାରେ ଯୋଗ ଦେବା ନେଇ ମଧ୍ୟ ମୋଦୀ ଚିନ୍ତା ପ୍ରକଟ କରିଥିଲେ। ସମସ୍ତ ପ୍ରଭାବିତ ବ୍ୟକ୍ତିଙ୍କୁ ଫେରାଇ ଦେବାକୁ ରୁଷ୍ ପ୍ରତିଶ୍ରୁତିବଦ୍ଧ ବୋଲି ପୁଟିନ କହିଥିବା ଜଣାପଡ଼ିଛି। ଅଧିକ ଦରମାରେ ଚାକିରି ଦେବା ବାହାନାରେ ଏଜେଣ୍ଟମାନେ ପାଖାପାଖି ଦୁଇ ଡଜନ ଭାରତୀୟ ଯୁବକଙ୍କୁ ୟୁକ୍ରେନ ବିରୋଧରେ ଯୁଦ୍ଧ ଲଢ଼ିବାକୁ ବାଧ୍ୟ କରିଥିବା କୁହାଯାଉଛି। ଗତ ମାସରେ ରେକର୍ଡ ତୃତୀୟ ଥର ପାଇଁ କ୍ଷମତାକୁ ଫେରିବା ପରେ ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ରୁଷ୍ ଗସ୍ତ। ମୋଦୀଙ୍କୁ ତାଙ୍କ ତୃତୀୟ ପାଳି ପାଇଁ ଅଭିନନ୍ଦନ ଜଣାଇ ପୁଟିନ କହିଛନ୍ତି ଯେ ତାଙ୍କ ପୁନଃନିର୍ବାଚିତ ହେବା ଭାରତର ସ୍ୱାର୍ଥକୁ ଆଗକୁ ବଢ଼ାଇବାରେ ସାହାଯ୍ୟ କରିବ। ତାଙ୍କ ପାଇଁ ଅର୍ଥନୀତି ଦୃଷ୍ଟିରୁ ଭାରତ ଏବେ ବିଶ୍ବସ୍ତରରେ ତୃତୀୟ ସ୍ଥାନରେ ରହିଛି ବୋଲି ପୁଟିନ କହିଥିଲେ। ଗତ ଏକ ଦଶନ୍ଧି ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଓ ରାଷ୍ଟ୍ରପତି ପୁଟିନଙ୍କ ମଧ୍ୟରେ ଏହା ହେଉଛି ୧୬ତମ ଭେଟ। ଶେଷ ଥର ପାଇଁ ୨୦୨୨ରେ ଉଜ୍ବେକିସ୍ତାନର ସମରକନ୍ଦଠାରେ ସାଂଘାଇ ସହଯୋଗ ସଂଗଠନ (ଏସ୍ସିଓ) ଶିଖର ସମ୍ମିଳନୀରେ ଉଭୟ ନେତାଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା। ରୁଷ୍ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ମୋଦୀ ଅଷ୍ଟ୍ରିଆ ଗସ୍ତରେ ଯାଇଛନ୍ତି, ଯାହା କି ଗତ ୪୦ ବର୍ଷ ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ। ରୁଷ୍-ୟୁକ୍ରେନ ଯୁଦ୍ଧ ସମୟରେ ମୋଦୀଙ୍କ ଏହି ଗସ୍ତ ଉପରେ ୟୁରୋପ ଓ ଆମେରିକା ସମେତ ପୂରା ବିଶ୍ବର ନଜର ରହିଛି।
More Stories
୪ ଦିନ ପରେ ବଢ଼ିବ ତାପମାତ୍ରା,କାଳବୈଶାଖୀ ସତର୍କତା ଜାରି……
ଅଖିମୁଠି ଅନୁକୂଳ କରି ଜମିରେ ହଳ କଲେ ମୁଖ୍ୟମନ୍ତ୍ରୀ…..
ବଢିଲା ଶ୍ରମିକଙ୍କ ଦୈନିକ ମଜୁରୀ…..