ରିପୋର୍ଟ କାର୍ଡ / ଭୁବନେଶ୍ୱର
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଟ ଫିଟିଛି | ଦୁଇଟି ଯାକ ନିର୍ବାଚନରେ ସଂରକ୍ଷଣ ସୀମା ୫୦ % ଭିତରେ ସୀମିତ ରହିବ | ଏ ସଂକ୍ରାନ୍ତରେ ପ୍ରଚଳିତ ତିନିଟି ପଂଚାୟତ ଓ ଦୁଇଟି ପୌର ଆଇନରେ ଆବଶ୍ୟକ ସଂଶୋଧନ କରାଯିବ | ଏହି ସଂଶୋଧନ ପ୍ରସ୍ଥାନ କ୍ୟାବିନେଟରେ ମୋହର ବାଜିଛି | ଏହା ସହ ବହୁ ଦିନ ଧରି ସଂରକ୍ଷଣ ପ୍ରସଙ୍ଗକୁ ନେଇ ଚାଲିଥିବା ଚର୍ଚ୍ଚା, ବିବାଦର ଅବସାନ ଘଟିଛି | ପଂଚାୟତ ନିର୍ବାଚନ ସଂରକ୍ଷଣ ସୀମା ୫୦% ଭିତରେ ରହିବା ନେଇ ପଞ୍ଚାୟତିରାଜ ମନ୍ତ୍ରୀ ପୂର୍ବରୁ ସ୍ପଷ୍ଟ କରିଥିଲେ | ଏଥିପାଇଁ ପ୍ରଚଳିତ ଆଇନରେ ଆବଶ୍ୟକ ସଂଶୋଧନ ପ୍ରସ୍ତାବ ଚଳିତ ବିଧାନସଭା ଅଧିବେଶନରେ ଆସିବ ବୋଲି ସେ ସୂଚନା ଦେଇଥିଲେ | କିନ୍ତୁ ବୁଧବାର ସରକାର ପୌର ଆଇନର ସଂଶୋଧନ ପ୍ରସ୍ତାବକୁ ତାହା ସହ ଯୋଡି କ୍ୟାବିନେଟରେ ଗୃହୀତ କରାଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି | ଏପରିକି ମନ୍ତ୍ରୀମାନେ ମଧ୍ୟ ଏ ସମ୍ପର୍କରେ ଆଗୁଆ ସୂଚନା ପାଇପାରିନଥିଲେ | ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧକ୍ଷତରେ ଭଚୁଆଲ ପ୍ଲାଟଫର୍ମରେ କ୍ୟାବିନେଟ ବୈଠକ ହୋଇଥିଲା | ଏଥିରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ୩ଟି ଆଇନ ଓ ପୌର ନିର୍ବାଚନ ପାଇଁ ଥିବା ୨ ଟି ଆଇନରେ ସଂଶୋଧନ ପ୍ରସ୍ତାବ ଅଣାଯାଇଥିଲା | ୩ଟି ପଂଚାୟତ ଆଇନ ହେଲା ଓଡିଶ ଗ୍ରାମ ପ୍ରଂଚାୟତ ଆଇନ -୧୯୬୪, ଓଡିଶା ପଂଚାୟତ ସମିତି ଆଇନ ୧୯୯୯ଓ ଓଡିଶା ଜିଲ୍ଲା ପରିଷଦ ଆଇନ-୧୯୯୧ | ଦୁଇଟି ପୌର ଆଇନ ହେଲା ଓଡିଶା ମ୍ୟୁନିସିପାଲ ଆଇନ-୧୯୫୦ ଓ ଓଡିଶା ମ୍ୟୁନିସପାଳ କର୍ପୋରେସନ ଆଇନ -୨୦୦୩| ପୂର୍ବରୁ ଏହି ଆଇନରେ ଥିବା ବ୍ୟବସ୍ଥା ଅନୁଯାୟୀ ସଂରକ୍ଷଣ ୬୫%ରୁ ଅଧିକ ହୋଇଯାଇଥିଲା | ଅନୁସୂଚିତ ଜାତିକୁ ୧୬.୨୫%, ଅନୁସୂଚିତ ଜନଜାତିକୁ ୨୨.୫% ଓ ଓଟିକୁ ୨୭% ସଂରକ୍ଷଣ ଦିଆଯାଇଥିଲା | କିନ୍ତୁ ପରବର୍ତ୍ତୀ ସମୟରେ ହାଇକୋର୍ଟ ଏ ସଂକ୍ରାନ୍ତୀୟ ଏକ ମାମଲାର ବିଚାର କରି ସଂରକ୍ଷଣ ସୀମା କୁ ୫୦%ଭିତରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ | ହାଇକୋର୍ଟଙ୍କ ରାୟକୁ ସୁପ୍ରିମ କୋର୍ଟ କାଏମ ରଖିଥିଲେ |କୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ଆଇନରେ ସଂଶୋଧନ ଆବଶ୍ୟକ ଥିଲା | ତେଣୁ ୫ଟି ଯାକ ଆଇନରରେ ସଂଶୋଧନ କରାଯାଇ ସଂରକ୍ଷଣ ସୀମା ୫୦ % ଭିତରେ ରଖିବାର ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ଦେଇଛି |
Discussion about this post